ମହଙ୍ଗା ଅଶୋଧିତ ତୈଳ ପାଇଁ ପେଟ୍ରୋଲ୍‌ ଦାମ୍ ବଢ଼ୁଛି: ଧର୍ମେନ୍ଦ୍ର

ଅହମ୍ମଦାବାଦ: ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍‌ର ଦାମ୍ ବଢ଼ୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୦ ଡଲାରରୁ ଅଧିକ ରହିଛି। ଭାରତ ଭଳି ଦେଶ ଯାହା ନିଜ ଆବଶ୍ୟକତାର ୮୦% ତେଲ ଆମଦାନି କରୁଛି ତାହା ଏଥିରେ ପ୍ରଭାବିତ ହୋଇଛି। ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍‌ଟି ପରିସରକୁ ଆଣିବା ସମ୍ପର୍କରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ଜିଏସ୍‌ଟି ପରିଷଦ ଯାହା କିଛି ନିଷ୍ପତ୍ତି ନେବ। ଜିଏସ୍‌ଟିରେ ସାମିଲ ହେଲେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ ପାଇବ। ଏବେ ବିକ୍ରି ହେଉଥିବା ପେଟ୍ରୋଲ୍ ମୂଲ୍ୟର ୬୦ ପ୍ରତିଶତ ହେଉଛି ଟିକସ। ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳର ଦର ବିଶ୍ବ ବଜାର ନିୟନ୍ତ୍ରଣ କରୁଛି। ଏହି କ୍ଷେତ୍ରର ଦାୟିତ୍ବରେ ଥିବାରୁ ମୋର ମତ ହେଉଛି ତୈଳକୁ ଜିଏସ୍‌ଟିରେ ସାମିଲ କରାଯାଉ। ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଏଥିପାଇଁ ସହମତ ହେବେ ତେବେ ହିଁ ଏହା ସମ୍ଭବପର ହେବ। ଜିଏସ୍‌ଟି ପରିଷଦରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି। ଗୁଜରାଟ ବିଶୋଧନାଗାରର ସମ୍ପ୍ରସାରଣ ଲାଗି ଇଣ୍ଡିଆନ ଅଏଲ ୨୪ ହଜାର କୋଟି ଟଙ୍କା ନିବେଶ କରିବ। ଏନେଇ ଆଜି ଶ୍ରୀ ପ୍ରଧାନ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଗୁଜରାଟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ବିତରଣ ଷ୍ଟେସନ ପ୍ରତିଷ୍ଠା ହେବ ବୋଲି ଶ୍ରୀ ପ୍ରଧାନ ଆଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର