୪ ଦିନ ହେଲା କମୁଛି ତେଲ ଦର : ପେଟ୍ରୋଲ ୭୩, ଡି‌ଜେଲ ୭୨ ଟଙ୍କା ତଳକୁ ଖସିଲା

ନୂଆଦିଲ୍ଲୀ/ଭୁବନେଶ୍ବର : କ୍ରମାଗତଭାବେ ଗତ ୪ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମୁଛି। ସାଉଦି ଆରବର ବୃହତ୍ ତେଲ କମ୍ପାନି ସାଉଦି ଆରାମ୍‌କୋ ଉପରେ ଡ୍ରୋନ୍ ଆକ୍ରମଣ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲର ଉପରେ ପଡ଼ିଥିଲା। ଫଳରେ ଦେଶରେ ଲଗାତାର ପ୍ରାୟ ୧୫ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ବଢ଼ିଥିଲା। ଏପରିକି ଚଳିତମାସ ୨ ତାରିଖରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୭୩ ଟଙ୍କା ୫୯ ପଇସା ଏବଂ ଡିଜେଲ ଦର ୭୨ ଟଙ୍କା ୩୯ ପଇସା ଛୁଇଁଥିଲା। ପେଟ୍ରୋଲ ଦର ଏହି ସମୟ ମଧ୍ୟରେ ପାଖାପାଖି ଅଢ଼େଇ ଟଙ୍କା ବୃଦ୍ଧି ଘଟିଥିଲା। କିନ୍ତୁ ଗତ ୩ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର କମିବାରେ ଲାଗିଛି। ୩ ତାରିଖରୁ ୬ ତାରିଖ ମଧ୍ୟରେ ପେଟ୍ରୋଲ ଦର ଭୁବନେଶ୍ବରରେ ୭୧ ପଇସା କମିଥିବାବେଳେ ଡିଜେଲ ଦର ୪୯ ପଇସା କମିଛି। ରବିବାର ଭୁବନେଶ୍ବର ରସୁଲଗଡ଼ସ୍ଥିତ ଆଇଓସିଏଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୭୨ ଟଙ୍କା ୮୮ ପଇସା ଏବଂ ଡିଜେଲ ଦର ୭୧ ଟଙ୍କା ୯୦ ପଇସା ରହିଛି। ଅର୍ଥାତ୍ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୭୩ ଏବଂ ୭୨ ଟଙ୍କା ତଳକୁ ଖସିଛି। ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ରବିବାର ଲିଟର ପିଛା ୧୫ ପଇସା ଏବଂ ଡିଜେଲ ଦର ୧୩ ପଇସା ହ୍ରାସ ଘଟିଛି।

ରବିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୭୩ ଟଙ୍କା ୮୯, ୭୯ ଟଙ୍କା ୫୦, ୭୬ ଟଙ୍କା ୫୩ ଏବଂ ୭୬ ଟଙ୍କା ୭୪ ପଇସା ରହିଛି। ସେହିଭଳି ଉପରୋକ୍ତ ୪ଟି ମହାନଗରରେ ଡିଜେଲ ଦର ରବିବାର ଯଥାକ୍ରମେ ୬୭ ଟଙ୍କା ୩, ୭୦ ଟଙ୍କା ୨୭, ୬୯ ଟଙ୍କା ୩୯ ଏବଂ ୭୦ ଟଙ୍କା ୮୧ ପଇସା ରହିଛି। ସାଉଦି ଆରାମ୍‌କୋର ତେଲ ଉତ୍ପାଦନ ବର୍ତ୍ତମାନ ଡ୍ରୋନ ଆକ୍ରମଣର ପୂର୍ବସ୍ଥିତିକୁ ଫେରିଆସିଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ ସପ୍ତାହରେ ୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର