ଇସଲାମାବାଦ: ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୬.୦୨ ପାକିସ୍ତାନୀ ଟଙ୍କା ବଢ଼ି ୩୩୧.୩୮ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ସେହିଭଳି ହାଇସ୍ପିଡ ଡିଜେଲ ମୂଲ୍ୟ ଲିଟର ପିଛା ୧୭.୩୪ ପାକିସ୍ତାନୀ ଟଙ୍କା ବୃଦ୍ଧି ପାଇ ୩୨୯.୧୮ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ୩୩୦ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଡନ୍‌ର ସୂଚନା ଅନୁଯାୟୀ, ଗତ ୧ ମାସ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫୮.୪୩ ପାକିସ୍ତାନୀ ଟଙ୍କା ଏବଂ ୫୫.୮୩ ପାକିସ୍ତାନୀ ଟଙ୍କା ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଅଗଷ୍ଟ ମାସରେ ମୁଦ୍ରାସ୍ଫୀତିରେ ୨୭.୪ ପ୍ରତିଶତ ବୃଦ୍ଧି ଘଟିଛି। ଏହାପରେ ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ିଛି।

Advertisment

ଶୁକ୍ରବାର ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀଙ୍କ ‌ସ୍ବୀକୃତି ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧି ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛି। ଚଳିତମାସ ୧ ତାରିଖରେ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦାମ ଲିଟର ପିଛା ଯଥାକ୍ରମେ ୧୪.୯୧ ପାକିସ୍ତାନୀ ଟଙ୍କା ଏବଂ ୧୮.୪୪ ପାକିସ୍ତାନୀ ଟଙ୍କା ବୃଦ୍ଧି କରାଯାଇଥିଲା। ଫଳରେ ଏହି ଦୁଇ ଇନ୍ଧନ ମୂଲ୍ୟ ଯଥାକ୍ରମେ ୩୦୫.୩୬ ପାକିସ୍ତାନୀ ଟଙ୍କା ଏବଂ ୩୧୧.୮୪ ପାକିସ୍ତାନୀ ଟଙ୍କା ହୋଇଥିଲା।