୧୨୦ ଛୁଇଁବ ପେଟ୍ରୋଲ: ୧୧୦ ଟପିଲା ଡିଜେଲ, ଭୁବନେଶ୍ବରରେ ପେଟ୍ରୋଲ ୧୦୮ ପାର୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଗତ ଚାରିଦିନ ହେଲା ଲଗାତାର ବଢ଼ିବାରେ ଲାଗିଛି। ଶନିବାର ବୃଦ୍ଧି ଫଳରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଦର ୧୨୦ ଟଙ୍କା ଛୁଇଁବାକୁ ଯାଉଥିବାବେଳେ ଡିଜେଲ ଦର ୧୧୦ ଟଙ୍କା ଟପିଯାଇଛି। ରାଜସ୍ଥାନର ଉକ୍ତ ଜିଲ୍ଲାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଦେଶର ସର୍ବାଧିକ ରହିଛି। ମଧ୍ୟପ୍ରଦେଶର ଅନୁପୁର ଜିଲ୍ଲାରେ ପେଟ୍ରୋଲ ଦାମ ୧୧୯ ଟଙ୍କା ଏବଂ ବାଲାଘଟ ଜିଲ୍ଲାରେ ୧୧୮ ଟଙ୍କା ଟପିଯାଇଛି। ଡିଜେଲ ଦର ଉଭୟ ସ୍ଥାନରେ ୧୦୭ ଟଙ୍କା ଉପରେ ରହିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବି ପେଟ୍ରୋଲ ଏବଂ ଡିଜେଲ ଦର କିଛି କମ୍‌ନାହିଁ। ଛତିଶଗଡ଼ ସୀମାବର୍ତ୍ତୀ ଉକ୍ତ ଜିଲ୍ଲାରେ ଆଜି ପେଟ୍ରୋଲ ଦର ୧୧୪ ଟଙ୍କା ନିକଟବର୍ତ୍ତୀ ହୋଇଥିବାବେଳେ ଡିଜେଲ ଦର ୧୧୦ ଟଙ୍କା ଟପିଯାଇଛି। ଗତ ଦେଢ଼ବର୍ଷ ମଧ୍ୟରେ ପେଟ୍ରୋଲ ଦାମ ଲିଟର ପିଛା ୩୬ ଟଙ୍କା ଏବଂ ଡିଜେଲ ଦାମ ୨୬ ଟଙ୍କା ୫୮ ପଇସା ବୃଦ୍ଧି ପାଇଛି। ଏହାଫଳରେ ଦେଶର ସବୁ ପ୍ରମୁଖ ସହରରେ ପେଟ୍ରୋଲ ଦର ସେଞ୍ଚୁରି ମାରିସାରିଛି। ଡିଜେଲ ଦର ମଧ୍ୟ ୧୨ଟିରୁ ଅଧିକ ରାଜ୍ୟରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି। ପ୍ରମୁଖ ମହାନଗର ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ୧୦୭ ଟଙ୍କା ଏବଂ ଡିଜେଲ ଦର ୯୬ ଟଙ୍କା ରହିଛି। ‌ମୁମ୍ବାଇରେ ପେଟ୍ରୋଲ ଦର ୧୧୩ ଟଙ୍କା ଉପରେ ରହିଥିବାବେଳେ ଡିଜେଲ ଦର ୧୦୪ ଟଙ୍କାରେ ପହଞ୍ଚିଛି। କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୯୯ ଟଙ୍କା ଟପିଯାଇଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ଏବଂ ଡିଜେଲ ଦର ୧୦୦ ଟଙ୍କା ଉପରେ ରହିଛି। ଦେଶର ପ୍ରମୁଖ ସହରରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।

ପେଟ୍ରୋଲ ଏବଂ ଡିଜେଲ ଉପରେ ଗତବର୍ଷ ମେ ୫ ତାରିଖରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବହୁ ପରିମାଣରେ ବଢ଼ାଇ ଦେଇଥିଲେ। ଅନ୍ତର୍ଜାତୀୟ ବଜାରରେ ସେହି ସମୟରେ ଅଶୋଧିତ ତେଲ ଦର ଖୁବ କମ ରହିଥିଲା। କିନ୍ତୁ ତା’ପରେ ଅଶୋଧିତ ତେଲ ଦର ବଢ଼ୁଛି। କିନ୍ତୁ ସରକାର ଟିକସ ଛାଡ଼ୁ ନଥିବାରୁ ଦାମ କମୁନାହିଁ। କରୋନା ମହାମାରୀକୁ ରୋକିବା ପାଇଁ ସରକାର ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରୁଛନ୍ତି। ଏଥିସହିତ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ତେଲ ଉପରେ ଅଧିକ ଟିକସ ଆଦାୟ କରାଯାଉଛି ବୋଲି ସରକାର ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ବିରୋଧୀ ଦଳଗୁଡ଼ିକ ଟିକସ ହ୍ରାସ ପାଇଁ ଦାବି କରୁଛନ୍ତି। ଦୁଇ ଅଟୋ ଇନ୍ଧନ ଦର ବହୁମାତ୍ରାରେ ବଢ଼ିଯାଇଥବାରୁ ଏହାର ପ୍ରଭାବରେ ଦେଶରେ ଅନ୍ୟାନ୍ୟ ସାମଗ୍ରୀର ଦାମ ମଧ୍ୟ ଅଧିକ ରହୁଛି। ବିଶେଷକରି ଡିଜେଲ ଦାମ ବୃଦ୍ଧି ଫଳରେ କୃଷିଜାତ ଓ ଅନ୍ୟାନ୍ୟ ସାମଗ୍ରୀର ପରିବହନ ଖର୍ଚ୍ଚ ବଢ଼ିଯାଇଛି।

ଭୁବନେଶ୍ବରରେ ପେଟ୍ରୋଲ ୧୦୮ ପାର୍‌
ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ଟପିଯାଇଛି। ଗତକାଲି ତୁଳନାରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ଘଟି ୧୦୮ ଟଙ୍କା ୧୯ ପଇସା ରହିଛି। ଅନ୍ୟପକ୍ଷରେ ଡିଜେଲ ଦର ଆଜି ଲିଟର ପିଛା ୩୮ ପଇସା ବୃଦ୍ଧି ଘଟିଛି। ଶୁକ୍ରବାର ଡିଜେଲ ଦର ଲିଟର ପିଛା ୧୦୪ ଟଙ୍କା ୩୦ ପଇସା ରହିଥିବାବେଳେ ଆଜି ଏହା ୧୦୪ ଟଙ୍କା ୬୮ ପଇସା ଛୁଇଁଛି।

ସମ୍ବନ୍ଧିତ ଖବର