ପେଟ୍ରୋଲ ୯.୨୫, ଡିଜେଲ ୧୫.୭୬ ଟଙ୍କା କମିଲା

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଏବଂ ରାଜ୍ୟ ସରକାର ଭାଟ୍ ହ୍ରାସ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ପ୍ରଭାବୀ ଶୁଳ୍କ ହ୍ରାସ ପେଟ୍ରୋଲ ଉପରେ ୯ ଟଙ୍କା ୨୫ ପଇସା ଏବଂ ଡିଜେଲ ଉପରେ ୧୫ ଟଙ୍କା ୭୬ ପଇସା ରହିଛି। ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୧ ଟଙ୍କା ୭୮ ପଇସାକୁ ଏବଂ ଡିଜେଲ ଦର ୯୧ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି। ପ୍ରଥମେ କେନ୍ଦ୍ର ସରକାର ପେଟ୍ରୋଲରେ ଉତ୍ପାଦ ଶୁଳ୍କ ୫ ଟଙ୍କା ଏବଂ ଡିଜେଲରେ ୧୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ରାଜ୍ୟ ଭାଟ୍ ଉପରେ ଏହାର ପ୍ରଭାବ ପଡ଼ିଥିଲା। ଫଳରେ ପେଟ୍ରୋଲ ଦର ୬ ଟଙ୍କା ୧୫ ପଇସା ହ୍ରାସ ଘଟି ୧୦୪ ଟଙ୍କା ୮୮ ପଇସା ରହିଥିଲା। ଡିଜେଲ ଦର ଲିଟର ପିଛା ୧୨ ଟଙ୍କା ୮୭ ପଇସା କମି ୯୪ ଟଙ୍କା ୫୧ ପଇସା ରହିଥିଲା। ପେଟ୍ରୋଲ ଏବଂ ଡିଜେଲର ମୂଳ ମୂଲ୍ୟ ସ‌ହିତ ଉତ୍ପାଦ ଶୁଳ୍କକୁ ମିଶାଇବା ପରେ ତେଲର ଯେଉଁ ଦର ରହିଥାଏ ତାହା ଉପରେ ପ୍ରତିଶତ ଆକାରରେ ଭାଟ୍ ଆଦାୟ କରାଯାଉଛି। ଓଡ଼ିଶାରେ ସେହି ସମୟରେ ପେଟ୍ରୋଲର ଭାଟ୍ ହାର ୩୨ ପ୍ରତିଶତ ଏବଂ ଡିଜେଲର ଭାଟ୍ ହାର ୨୮ ପ୍ରତିଶତ ରହିଥିଲା। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କା କମାଇବା ପରେ ରାଜ୍ୟରେ ଉକ୍ତ ଦୁଇ ଇନ୍ଧନ ଶୁଳ୍କ ଯଥାକ୍ରମେ ଏହି ରାଶିଠାରୁ ଅଧିକ ୧ ଟଙ୍କା ୧୫ ପଇସା ଏବଂ ୨ ଟଙ୍କା ୮୭ ପଇସା କମିଥିଲା।

କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ହ୍ରାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟ୍ ହ୍ରାସ ଘୋଷଣା କରିଥିଲେ। ଭାଟ୍ ୩ ଟଙ୍କା ଛାଡ଼ କରାଯିବ ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଏହି ହାର ୪ ପ୍ରତିଶତ ଲେଖାଏଁ କମାଇ ଦିଆଯାଇଥିଲା। ଏବେ ପେଟ୍ରୋଲର ଭାଟ୍ ୨୮ପ୍ରତିଶତ ଏବଂ ଡିଜେଲର ଭାଟ୍ ୨୪ ପ୍ରତିଶତକୁ ଖସିଛି। ୫ ତାରିଖ ମଧ୍ୟରାତ୍ରିରୁ ଏହାକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ଫଳରେ ଆଜିର ତେଲ ଦରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଲିଟର ପିଛା ପେଟ୍ରୋଲ ଉପରେ ଭାଟ୍ ୩ ଟଙ୍କା ୧୦ ପଇସା ଏବଂ ଡିଜେଲ ଉପରେ ଭାଟ୍ ୨ ଟଙ୍କା ୮୯ ପଇସା ହ୍ରାସ ପାଇଛି। ଏଥିଯୋଗୁ ଭୁବନେଶ୍ବରରେ ବିପିସିଏଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୭୮ ପଇସା ଏବଂ ଡିଜେଲ ଦର ଲିଟର ପିଛା ୯୧ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଇଓସିଏଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ଯଥାକ୍ରମେ ୧୦୧ ଟଙ୍କା ୮୧ ଓ ୯୧ ଟଙ୍କା ୬୨ ପଇସାକୁ ଖସିଆସିଛି।

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ ପ୍ରଦତ୍ତ ସାରଣୀ ଉପରେ ନଜର ପକାଇଲେ ଜାଣିବାକୁ ମିଳେ ଯେ ଭୁବନେଶ୍ବରରେ ପେଟ୍ରୋଲର ମୂଳମୂଲ୍ୟ ୪୮ ଟଙ୍କା ୯୯ ପଇସା ରହିଛି। ଏହା ଉପରେ କେନ୍ଦ୍ର ସରକାର ୨୭ ଟଙ୍କା ୯୦ ପଇସା ଏବଂ ରାଜ୍ୟ ସରକାର ୨୧ ଟଙ୍କା ୫୦ ପଇସାର ଟିକସ ନେଉଛନ୍ତି। ଡିଲର କମିସନ ବାବଦରେ ଯାଉଛି ୩ ଟଙ୍କା ୩୯ ପଇସା। ଫଳରେ ଗୋଟିଏ ଲିଟର ପେଟ୍ରୋଲ ଦର ଭୁବନେଶ୍ବରରେ ୧୦୧ ଟଙ୍କା ୭୮ ପଇସା ରହିଛି। ଅର୍ଥାତ୍ ପେଟ୍ରୋଲର ମୂଳମୂଲ୍ୟ ୪୮ ଟଙ୍କା ୯୯ ପଇସା ରହିଥିବାବେଳେ ଏହା ଉପରେ ଟିକସ ରାଶି ୪୯ ଟଙ୍କା ୪୦ ରହିଛି। ସେହିଭଳି ଡିଜେଲର ମୂଳମୂଲ୍ୟ ୫୦ ଟଙ୍କା ୩୯ ରହିଥିବାବେଳେ ଏହା ଉପରେ ଟିକସ ରାଶି ୩୯ ଟଙ୍କା ୧୦ ପଇସା ରହିଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରରେ ଦୈନିକ ଯେଉଁ ବୃଦ୍ଧି କରୁଥିଲେ ଗତ ଦୁଇଦିନ ହେଲା ତାହା କରିନାହାନ୍ତି।

ସମ୍ବନ୍ଧିତ ଖବର