ଭୁବନେଶ୍ବର: ରବିବାର ମଧ୍ୟ ଦେଶରେ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ାଇଛନ୍ତି। ଶନିବାର ତୁଳନାରେ ରବିବାର ପେଟ୍ରୋଲ ଦାମ ଲିଟର ପିଛା ଭୁବନେଶ୍ବରରେ ୫୪ ପଇସା ଏବଂ ଡିଜେଲ ଦର ୫୯ ପଇସା ବଢ଼ିଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୭୬କୁ ଏବଂ ଡିଜେଲ ଦର ୯୫ ଟଙ୍କା ୬୧ ପଇସା‌ରେ ପହଞ୍ଚିଛି। ଚଳିତ ସପ୍ତାହର ୨୨ ତାରିଖରୁ ଏହି ଦରବୃଦ୍ଧି ଆରମ୍ଭ ହୋଇଛି। ୨୭ ତାରିଖ ସୁଦ୍ଧା ୫ ଥରରେ ପେଟ୍ରୋଲ ଓ ଡିଜେଲ ଦର ଭୁବନେଶ୍ବରରେ ପ୍ରାୟ ୪ ଟଙ୍କା ମହଙ୍ଗା ହୋଇଗଲାଣି।

Advertisment

ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ଦାମ ଏହି ସମୟ ମଧ୍ୟରେ ଲିଟର ପିଛା ୩ ଟଙ୍କା ୯୫ ପଇସା ଏବଂ ଡିଜେଲ ଦାମ ୩ ଟଙ୍କା ୯୯ ପଇସା ବଢ଼ିଛି। ଶନିବାର ସୁଦ୍ଧା ପେଟ୍ରୋଲ ଦର ୩ ଟଙ୍କା ୪୧ ପଇସା ଏବଂ ଡିଜେଲ ଦର ୩ ଟଙ୍କା ୪୦ ପଇସା ବଢ଼ିଥିଲା। ୨୧ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦାମ ୧୦୧ ଟଙ୍କା ୮୧ ପଇସା ଥିବାବେଳେ ୨୭ ତାରିଖରେ ଏହା ୧୦୫ ଟଙ୍କା ୭୬ ପଇସାରେ ପହଞ୍ଚି ଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ଡିଜେଲ ଦାମ ୯୧ ଟଙ୍କା ୬୨ ପଇସାରୁ ବୃଦ୍ଧି ପାଇ ୯୫ ଟଙ୍କା ୬୧ ପଇସାରେ ପହଞ୍ଚିଛି। ନିର୍ବାଚନ ପାଇଁ ସରକାରୀ ତେଲ କମ୍ପାନିଗୁଡ଼ିକ ଦର ବଢ଼ାଇ ନଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ଅନେକ ବୃଦ୍ଧି ଘଟିଛି। ତେଣୁ ସରକାରୀ ତେଲ କମ୍ପାନି ଗୁଡ଼ିକ ଦିନକୁ ଜାତୀୟ ସ୍ତରରେ ୮୦ ପଇସା ଲେଖାଏଁର ଦର ବଢ଼ାଉଛନ୍ତି। ବିଭିନ୍ନ ରାଜ୍ୟରେ ଏହି ବୃଦ୍ଧି ଭିନ୍ନ ଭିନ୍ନ ରହୁଛି। ଭୁବନେଶ୍ବରରେ ଥରକରେ ୮୫ରୁ ୮୬ ପଇସା ଲେଖାଏଁ ଦାମ୍‌ ବଢ଼ୁଥିବାବେଳେ ରବିବାର ଏଥିରେ ଅପେକ୍ଷାକୃତ କମ୍ ବୃଦ୍ଧି ଘଟିଛି। ଆଗକୁ ଦର ବୃଦ୍ଧି ଧାରା ଜାରି ରହିଲେ ଏହା ପୁଣି ପୂର୍ବ ଦରକୁ ଟପିବା ଆଶଙ୍କା ରହିଛି।