ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ବ୍ରେକ୍ ଲାଗିଛି। ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ତେଲ ଦାମ୍ ବଢ଼ିବ ବୋଲି କୁହାଯାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ବଢ଼ିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଉନାହାନ୍ତି। ଏବେ ସେମାନେ ଯେଉଁ କ୍ଷତି ସହୁଛନ୍ତି ନିର୍ବାଚନ ପରେ ତାହାକୁ ଭରଣା କରିବା ଲାଗି ଉଦ୍ୟମ କରିବେ। ଫଳରେ ବିଭିନ୍ନ ପର୍ଯ୍ୟାୟରେ ପେଟ୍ରୋଲ୍ ଓ ଡିଜେଲ୍ର ଲିଟର ପିଛା ଦାମ୍ରେ୨-୩ ଟଙ୍କାର ବୃଦ୍ଧି ହେବାର ଆଶଙ୍କା ରହିଛି। ଗତ ଫେବ୍ରୁଆରି ୨୭ ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ କୌଣସି ବୃଦ୍ଧି ହୋଇନାହିଁ। ମାର୍ଚ୍ଚ ଓ ଏପ୍ରଲ୍ରେ ଚାରି ଥରରେ ପେଟ୍ରୋଲ୍ ଦାମ୍ ମାତ୍ର ୭୭ ପଇସା ଓ ଡିଜେଲ ଦାମ୍ ୭୪ ପଇସା କମିଛି। ଫେବ୍ରୁଆରିରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୧.୨୨ ଡଲାର ଥିଲା। ମାର୍ଚ୍ଚରେ ତାହା ୬୪.୭୩ ଡଲାରକୁ ଓ ଏପ୍ରିଲ୍ରେ ୬୬ ଡଲାରକୁ ବୃଦ୍ଧି ପାଇବା ସତ୍ତ୍ବେ ବିଧାନସଭା ନିର୍ବାଚନଗୁଡ଼ିକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରାଯାଇନାହିଁ।
ଦେଶରେ ପେଟ୍ରୋଲ୍ ଓ ଡିଜେଲ ଦର ନିର୍ଧାରଣ କରିବା ଲାଗି କଂପାନିଗୁଡ଼ିକ ଏକ ନିର୍ଦିଷ୍ଟ ମଡେଲ୍ ବ୍ୟବହାର କରୁଛନ୍ତି। ପୂର୍ବ ୧୫ ଦିନର ଅଶୋଧିତ ତୈଳ ଦର ଏବଂ ସେହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଯାହା ରହିଛି ତାହା ବିଚାରକୁ ନେଇ ପେଟ୍ରୋଲ୍ର ଦୈନିକ ମୂଲ୍ୟ ଧାର୍ଯ୍ୟ କରାଯାଉଛି। ତୈଳ ନିର୍ଧାରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ନିୟନ୍ତ୍ରଣମୁକ୍ତ କରିଛନ୍ତି। ତୈଳ କଂପାନିଗୁଡ଼ିକୁ ଦର ନିର୍ଧାରଣ କରିବାର ସ୍ବାଧୀନତା ଦିଆଯାଇଛି। ମାତ୍ର ନିର୍ବାଚନ ଭଳି ସମୟରେ ଯେଉଁଭଳି ଭାବେ ତୈଳ ଦର ଅଟକି ଯାଉଛି ସେଥିରୁ ଏହି ସନ୍ଦେହ ସୃଷ୍ଟି ହେଉଛି ଯେ ତୈଳ ଦର ନିର୍ଧାରଣ ଉପରେ ଏବେବି ସରକାରଙ୍କ ଅଦୃଶ୍ୟ ହାତ ରହିଛି। ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରଭାବିତ କରିବାର ଶକ୍ତି ପେଟ୍ରୋଲ୍ ଓ ଡିଜେଲ୍ ପାଖରେ ରହିଥିବାରୁ ତାହାର ଦାମ୍କୁ ନିର୍ବାଚନ ସମୟରେ ନିୟନ୍ତ୍ରଣ ଭିତରେ ରଖିବାକୁ ସରକାର ଚାହୁଛନ୍ତି। ଅତୀତରେ ପେଟ୍ରୋଲ୍ ଦର ବୃଦ୍ଧି ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି କରିଥିଲା।