ତେଲ କଂପାନି ଖୋଲିପାରିବେ ପେଟ୍ରୋଲ୍‌ ପମ୍ପ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତେଲ କଂପାନିଗୁଡ଼ିକୁ ଡିଲର ନିଯୁକ୍ତି କରିବା କ୍ଷମତା ପ୍ରଦାନ କରିଛନ୍ତି। କଂପାନିଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍‌ ପମ୍ପ୍‌ ନିଯୁକ୍ତ କରିପାରିବେ। ପୂର୍ବରୁ ଏହି କ୍ଷମତା ସରକାରଙ୍କ ପାଖରେ ଥିଲା। ଯେହେତୁ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ସରକାର ନିଜ ନିୟନ୍ତ୍ରଣରୁ ମୁକ୍ତ କରିସାରିଛନ୍ତି ତେଣୁ ପେଟ୍ରୋଲ୍‌ ପମ୍ପ୍‌ ନିଯୁକ୍ତି କ୍ଷମତା ପାଖରେ ରଖିବାର କୌଣସି ଯଥାର୍ଥତା ନାହିଁ। ଏହା ବିଚାରକୁ ନେଇ ତେଲ କଂପାନିଗୁଡ଼ିକୁ ଡିଲର ନିଯୁକ୍ତି କରିବାର ସ୍ୱାଧୀନତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଡିଲର୍‌ ନିଯୁକ୍ତିକୁ ନେଇ କଂପାନିଗୁଡ଼ିକ ନିଜସ୍ୱ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିପାରିବେ। ପୂର୍ବରୁ ସେମାନଙ୍କୁ ତୈଳ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁସରଣ କରିବାକୁ ପଡ଼ୁଥିଲା। କଂପାନିଗୁଡ଼ିକ ନିଜସ୍ୱ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିସାରିଲେଣି। ତିନି ରାଷ୍ଟ୍ରାୟତ୍ତ ତେଲ କଂପାନି ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଓ ଇଣ୍ଡିଆନ୍‌ ଅଏଲ୍‌ ଆଗାମୀ ଦିନରେ ଦେଶରେ ୨୫ ହଜାର ନୂଆ ପେଟ୍ରୋଲ୍‌ ପମ୍ପ୍‌ ଖୋଲିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର