ମୋଦି ସରକାରଙ୍କ ବଡ଼ ପଦକ୍ଷେପ; ବିଭିନ୍ନ ରାଜ୍ୟରେ ଖୋଲିବ ୬୫ ହଜାର ପେଟ୍ରୋଲ୍‌ ପମ୍ପ୍‌

ନୂଆଦିଲ୍ଲୀ: ଆଗକୁ ୨୦୧୯ ର୍ନିବାଚନ ଆଉ ମୋଦି ଖେଳିବେ ବଡ଼ ରାଜନୀତିକ ଷ୍ଟ୍ରୋକ। ଦେଶର ବିଭିନ୍ନ ଅଞ୍ଚଳରେ ୬୫ ହଜାର ପେଟ୍ରୋଲ୍‌ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର। ୫ଟି ରାଜ୍ୟରେ ବିଧାନସଭା ର୍ନିବାଚନ ଅନୁଷ୍ଠିତ ହେବାକୁ ଥିବା ଯୋଗୁଁ ଏହାକୁ ବାଦ୍‌ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍‌ ପାଇଁ ଆବେଦନ କରିବାକୁ ତୈଳ ବିତରଣ କମ୍ପାନି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାଦ୍ୱାରା ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। ଆଗାମୀ ସାଧାରଣ ର୍ନିବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୬୫ ହଜାର ଆବେଦନ ମଧ୍ୟରୁ ମାତ୍ର ୧୫ରୁ ୨୦ ହଜାର ଡିଲରସିପ୍‌ ମିଳିପାରିବ। କାରଣ ଅନେକ ସମୟରେ ଜମି କିମ୍ବା ଅନ୍ୟାନ୍ୟ ସମସ୍ୟା ହେତୁ ପେଟ୍ରୋଲ୍‌ ପମ୍ପ ପାଇଁ ଏନଓସି ମିଳିପାରୁନାହିଁ। ଅପରପକ୍ଷରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ଏଭଳି ନିଷ୍ପତ୍ତିକୁ ତୈଳ ବିକ୍ରେତା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଏବେ ହାରାହାରି ତୈଳ ବିକ୍ରି ପରିମାଣ ୧୭୦ କିଲୋ ଲିଟରରୁ ୧୪୦ କିଲୋ ଲିଟରକୁ ହ୍ରାସ ପାଇଥିବା ବେଳେ ଆହୁରି ଅଧିକ ଡିଲରସିପ୍‌ ଖୋଲିଲେ ସେମାନଙ୍କର ବିକ୍ରି ପରିମାଣ ହ୍ରାସ ପାଇବ ଓ କ୍ଷତି ବଢ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବିପୁଳ ସଂଖ୍ୟକ ପେଟ୍ରୋଲ୍‌ ପମ୍ପ ଆବଣ୍ଟନ କରାଯାଉଛି। ସରକାରୀ ସୂଚନା ଅନୁଯାୟୀ, ଏବେ ଦେଶରେ ୬୨, ୫୮୫ଟି ପେଟ୍ରୋଲ୍‌ ପମ୍ପ ରହିଛି। ସେଥିମଧ୍ୟରୁ ୬ ହଜାର ପେଟ୍ରୋଲ୍‌ ପମ୍ପ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଛି। ଇତିମଧ୍ୟରେ ଦେଶରେ ତୈଳ ଚାହିଦା ୫%ବୃଦ୍ଧି ପାଇଛି। ତେଣୁ ଅଧିକ ପେଟ୍ରୋଲ୍‌ ପମ୍ପ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ଚଳିତଥର ଆବେଦନକାରୀଙ୍କ ପାଇଁ କିଛି ସର୍ତ୍ତ କୋହଳ କରାଯାଇଛି। ପୂର୍ବରୁ ଡିଲରସିପ୍‌ ପାଇବାକୁ ହେଲେ ନିଜ ନାମରେ ଜମି ଏବଂ ସହରାଞ୍ଚଳ ପମ୍ପ ପାଇଁ ୨୫ ଲକ୍ଷ ଟଙ୍କା ଓ ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ପାଇଁ ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ତାହା ଉଚ୍ଛେଦ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ଜମି ନଥିଲେ ମଧ୍ୟ ଚୁକ୍ତି ଭିତ୍ତିରେ ସେ ଡିଲରସିପ୍‌ ପାଇପାରିବେ।

ସମ୍ବନ୍ଧିତ ଖବର