ପେଟ୍ରୋଲ୍‌ ପମ୍ପ୍‌ରେ ରହିବ ଇଭି ଚାର୍ଜିଂ ସୁବିଧା

ନୂଆଦିଲ୍ଲୀ :ଇଲେକ୍‌ଟ୍ରିକ୍ ଯାନ (ଇଭି) ଲାଗି ଭିତ୍ତିଭୂମି ବିକଶିତ କରିବାକୁ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଦେଶରେ ଥିବା ପ୍ରାୟ ୬୯ ହଜାର ପେଟ୍ରୋଲ୍ ପମ୍ପ୍‌ରେ ଇଲେକ୍‌ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜିଂ ସୁବିଧା ଦେବା ଲାଗି ଚାର୍ଜିଂ କିଓସ୍କ ସ୍ଥାପନ କରିବା ଉପରେ ବିଚାର କରାଯାଉଛି। ପ୍ରତି ‌ପେଟ୍ରୋଲ୍ ପମ୍ପ୍‌ରେ ଗୋଟିଏ ଲେଖାଏଁ କିଓସ୍କ ରହିବ। ବିଶେଷ କରି ତିନି ସରକାରୀ ତେଲ କଂପାନିଗୁଡ଼ିକ ଦ୍ବାରା ପରିଚାଳିତ ହେଉଥିବା ପେଟ୍ରୋଲ୍ ପମ୍ପ୍‌ରେ ଇଭି ଚାର୍ଜିଂ କିଓସ୍କ ସ୍ଥାପନ କରିବାକୁ ଅଗ୍ରାଧିକାର ଦିଆଯାଇଛି। ନିକଟରେ ଇଭି ଚାର୍ଜିଂ ଭିତ୍ତିଭୂମିକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ପେଟ୍ରୋଲ୍ ପମ୍ପ୍‌ରେ ଚାର୍ଜିଂ ସୁବିଧା ‌ଦେବା ଲାଗି ତେଲ କଂପାନିଗୁଡ଼ିକୁ ନିର୍ଦେଶ ଦେବାକୁ ଏହି ବୈଠକରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ ତୈଳ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ କହିଥିଲେ। ଯେଉଁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ କଂପାନି ପରିଚାଳନା ଅଧୀନରେ ରହିଛି ସେଥିରେ ଆଗ କିଓସ୍କ ସ୍ଥାପନ କରିବାକୁ କୁହାଯାଇଛି। ଫ୍ରାଞ୍ଚାଇଜି ସୂତ୍ରରେ ଚାଲୁଥିବା ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକୁ ମଧ୍ୟ ଚାର୍ଜିଂ କିଓସ୍କ ସ୍ଥାପନ କରିବା ଲାଗି ପରାମର୍ଶ ଦିଆଯିବ। ଏହା ଜରିଆରେ ସାରା ଦେଶରେ ଇଲେକ୍‌ଟ୍ରିକ୍ ଯାନର ପ୍ରମୁଖ ଆବଶ୍ୟକତା ଥିବା ଚାର୍ଜିଂ ସୁବିଧା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର