ପେଟ୍ରୋଲ ଛୁଇଁଲା ୮୧

ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱରରେ ସୋମବାର ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଉଭୟ ତେଲ ଦର ଲିଟର ପିଛା ୧୦ ପଇସା ବଢ଼ିଥିଲେ ବି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୮୧ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ମଧ୍ୟ ୭୯ ଟଙ୍କା ୨୭ ପଇସାରେ ପହଞ୍ଚି ଯାଇଛି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୯୦ ଏବଂ ଡିଜେଲ ଦର ୭୯ ଟଙ୍କା ୧୭ ପଇସା ରହିଥିଲା। ରାଜଧାନୀରେ ପେଟ୍ରୋଲ ଦର ଚଳିତମାସରେ ୧୮ ତାରିଖ ସୁଦ୍ଧା ୩ ଟଙ୍କା ୪୫ ପଇସା ମହଙ୍ଗା ହୋଇଗଲାଣି। ଚଳିତମାସ ୧ ତାରିଖରେ ଏହା ୭୭ ଟଙ୍କା ୫୫ ପଇସା ରହିଥିଲା। ସେହିଭଳି ଡିଜେଲ ଦର ୩ ଟଙ୍କା ୭୨ ପଇସା ମହଙ୍ଗା ହୋଇଗଲାଣି। ଚଳିତମାସ ୧ ତାରିଖରେ ଭୁବନେଶ୍ୱରରେ ଡିଜେଲ ଦର ୭୫ ଟଙ୍କା ୫୫ ପଇସା ଥିଲା।
କର୍ଣ୍ଣାଟକ ୨ ଟଙ୍କା କମାଇଲା
ବେଙ୍ଗାଲୁରୁ, ୧୭/୯: ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଚତୁର୍ଥ ରାଜ୍ୟ ଭାବେ କର୍ଣ୍ଣାଟକ ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ଘୋଷଣା କରିଛି। ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ଲେଖାଏଁ ରାଜ୍ୟ ସରକାର କମାଇଛନ୍ତି। ବେଙ୍ଗାଲୁରୁରେ ଏବେ ପେଟ୍ରୋଲ ଦର ୮୪ ଟଙ୍କା ୮୦ ପଇସା ଏବଂ ଡିଜେଲ ଦର ୭୬ ଟଙ୍କା ୨୧ ପଇସା ରହିଛି। ପେଟ୍ରୋଲର ବିକ୍ରି କର ୨୮.୭୫%କୁ ଏବଂ ଡିଜେଲର ବିକ୍ରି କର ୧୭.୭୩%କୁ କମାଇ ଦିଆଯାଇଛି। କର୍ଣ୍ଣାଟକ ସରକାର ଏ ନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ କର୍ଣ୍ଣାଟକର କଂଗ୍ରେସ-ଜେଡି(ଏସ୍‌) ସରକାର ପେଟ୍ରୋଲ, ଡିଜେଲରେ ଏହି ମୂଲ୍ୟ ହ୍ରାସ କରିଥିବା କୁହାଯାଉଛି। ତେବେ କୃଷକଙ୍କ ଋଣ ଛାଡ଼ ବାବଦ ପାଣ୍ଠି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀ ଗତ ଜୁଲାଇ ୫ରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୧୨ ପଇସା ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର