ଭୁବନେଶ୍ୱର: ସରକାରୀ ତେଲ କମ୍ପାନି ଗୁଡ଼ିକ ଲଗାତାର ୬ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଏଥିଯୋଗୁ ଭୁବନେଶ୍ୱରରେ ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୭୬ ଟଙ୍କା ପାଖାପାଖି (୭୫ ଟଙ୍କା ୯୬ପଇସା) ପହଞ୍ଚି ଯାଇଛି। ଚଳିତମାସ ୧ ତାରିଖରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୫ ଟଙ୍କା ୨୧ ପଇସା ଥିବାବେଳେ ୭ ତାରିଖରେ ଏହା ୭୫ ଟଙ୍କା ୯୬ ପଇସା ଛୁଇଁଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୭୫ ପଇସା ମହଙ୍ଗା ହୋଇଯାଇଛି। ସେହିଭଳି ଡିଜେଲ ଦର ମଧ୍ୟ ଉପରୋକ୍ତ ସମୟ ମଧ୍ୟରେ ୭୪ ପଇସା ବଢ଼ିଯାଇଛି। ଚଳିତମାସ ପହିଲାରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨ ଟଙ୍କା ୭୪ ପଇସା ଥିବାବେଳେ ମଙ୍ଗଳବାର ଏହା ୭୩ ଟଙ୍କା ୪୮ ପଇସାରେ ପହଞ୍ଚି ଯାଇଛି। କିଛିଦିନର ବ୍ୟବଧାନ ପରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ିବା ଫଳରେ ଖାଉଟିମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗାଡ଼ିରେ ତେଲ ପକାଇବା ପାଇଁ ସେମାନଙ୍କୁ ପକେଟରୁ ଅଧିକ ଅର୍ଥ ଖର୍ଚ କରିବାକୁ ପଡ଼ୁଛି।
ତେବେ କେବଳ ଭୁବନେଶ୍ୱରରେ ନୁହେଁ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ଟପିଯାଇଛି। ମଙ୍ଗଳବାର ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ୬ ପଇସାରେ ପହଞ୍ଚି ଯାଇଥିବାବେଳେ ଡିଜେଲ ଦର ୬୮ ଟଙ୍କା ୫୦ ପଇସା ଛୁଇଁଛି। ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପେଟ୍ରୋଲ ଦର ପୁଣି ୭୭ ଟଙ୍କା ଟପିଛି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ଗତ ମେ ୨୯ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରକୁ ଛୁଇଁଥିଲା। ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୪୩ ପଇସା ଏବଂ ଡିଜେଲ ଦର ୬୯ ଟଙ୍କା ୩୦ ପଇସାରେ ପହଞ୍ଚି ଯାଇଥିଲା।
କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦନ ଶୁଳ୍କ ବୃଦ୍ଧି କରିବା ସହିତ ରାଜ୍ୟ ଗୁଡ଼ିକ ଉଚ୍ଚ ହାରରେ ଭାଟ୍ ଆଦାୟ କରିବା ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଦର ଦେଶରେ ଉଚ୍ଚ ସ୍ତରରେ ରହୁଛି।
ପେଟ୍ରୋଲ୍ ଦାମ୍ ୭୬ ନିକଟତର
/sambad/media/post_attachments/wp-content/uploads/2018/08/petrol-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)