ପେଟ୍ରୋଲ ଦର ସବୁଦିନ ବଢ଼ୁଛି:୯ ଦିନରେ ବଢ଼ିଲାଣି ୮୩ ପଇସା‌

ପେଟ୍ରୋଲ୍‌ରେ ୩୩ ଟଙ୍କା, ଡିଜେଲ୍‌ରେ ୨୪ ଟଙ୍କାର ଟିକସ

ନୂଆଦିଲ୍ଲୀ: ଗତ ୨୦ ତାରିଖ ପରଠାରୁ କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଚାଲିଛି। ବିଗତ ୯ ଦିନରେ ପେଟ୍ରୋଲର ଲିଟର ପିଛା ଦର ୮୩ ପଇସା ଓ ଡିଜେଲ ଦର ୭୩ ପଇସା ବଢ଼ିଛି। ସବୁ ଦିନ ତେଲ ଦରରେ ବୃଦ୍ଧି ହେଉଛି। ଆଜି ପେଟ୍ରୋଲ୍ ଦର ୧୧ ପଇସା‌ ଓ ଡିଜେଲ ୫ ପଇସା ବଢ଼ିଛି।
ଦିଲ୍ଲୀରେ ଏବେ ପେ‌ଟ୍ରୋଲ୍ ଦର ୭୧ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦର ୬୬ ଟଙ୍କା ୬୯ ପଇସା ରହିଛି।
ମତଦାନ ପ୍ରକ୍ରିୟା ଚାଲିଥିବାରୁ ତେଲ କଂପାନିଗୁଡ଼ିକ ଗତ ଏପ୍ରିଲ୍ ଓ ଚଳିତ ମେ’ର ଅଧିକାଂଶ ଦିନ ଦର ବୃଦ୍ଧି କରିନଥିଲେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ବୃଦ୍ଧି ସତ୍ତ୍ବେ ସେମାନେ ଦର ବଢ଼ାଇନଥିଲେ। ସେଥିପାଇଁ କଂପାନିଗୁଡ଼ିକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡ଼ୁଥିଲା। ମତଦାନ ପ୍ରକ୍ରିୟା ଶେଷ ହୋଇଯିବା ପରେ ସେମାନେ ସେହି କ୍ଷତିକୁ ଭରଣା କରିବା ପାଇଁ ପ୍ରତିଦିନ ତେଲ ଦରରେ ୮-୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରୁଛନ୍ତି।
ଏକ ହିସାବରୁ ଜଣାପଡ଼ିଛି ଯେ, ତେଲ କଂପାନିଗୁଡ଼ିକ ଏକ ଟଙ୍କା କମ୍ ଦାମରେ ତେଲ ବିକ୍ରି କଲେ ଦୈନିକ ୧୫୦ କୋଟି ଟଙ୍କାର କ୍ଷତି ସହିଥାନ୍ତି। ଏଥରର ନିର୍ବାଚନ ବେଶ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟ ଭିତରେ ତେଲ କଂପାନିଗୁଡ଼ିକ ବିପୁଳ ପରିମାଣର କ୍ଷତି ସହିଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ନିର୍ଧାରଣ ପ୍ରକ୍ରିୟାକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରାଯିବା ପରେ କଂପାନିଗୁଡ଼ିକ ପ୍ରତିଦିନ ଦୁଇଟି ପ୍ରମୁଖ ବିଷୟ-ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଓ ଡଲାର ମୂଲ୍ୟ ବିଚାରକୁ ନେଇ ତେଲ ଦରରେ ହ୍ରାସ କିମ୍ବା ବୃଦ୍ଧି କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୨ ଡଲାର ପାଖାପାଖି ରହିଛି। ସେହିଭଳି ପରିସ୍ଥିତିରେ ତେଲ ଦର ବଢ଼ାଇବା ବ୍ୟତୀତ କଂପାନିଗୁଡ଼ିକ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
ଭାରତର ତେଲ ବିଶୋଧନକାରୀ କଂପାନିଗୁଡ଼ିକ ଏବେ ବ୍ୟାରେଲ ପିଛା ୬୭.୪୩ ଡଲାରରେ ଅଶୋଧିତ ତେଲ କିଣୁଛନ୍ତି। ଏଥିପାଇଁ ଭାରତୀୟ ଟଙ୍କାରେ ୪୬୮୧ ଟଙ୍କା ୫୫ ପଇସା ଗଣୁଛନ୍ତି। ଅଶୋଧିତ ତେଲକୁ ବିଶୋଧନ କରିବା ପରେ ଏକ ଲିଟର ପେଟ୍ରୋଲ୍‌ର ମୂଲ୍ୟ ୩୪ ଟଙ୍କା ୧୭ ପଇସା ରହୁଥିବା ବେଳେ ଡିଜେଲର ମୂଲ୍ୟ ୩୯ ଟଙ୍କା ୫୫ ପଇସା ରହୁଛି। ଯଦି ଡିଲର କମିସନ ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଟିକସ ଲାଗୁ ନଥାନ୍ତା ତେବେ ଲୋକମା‌ନେ ଏହି ଦରରେ ପେଟ୍ରୋଲ ଓ ଡିଜେଲ୍ କିଣିପାରନ୍ତେ।
‌ନିର୍ବାଚନ ସମୟରେ ପେଟ୍ରୋଲ୍ ଓ ଡିଜେଲ ଦର ବୃଦ୍ଧି ଉପରେ ରୋକ ଲଗାଇବା କିଛି ନୂଆ କଥା ନୁହେଁ। ୨୦୧୮ ମେ’ର କର୍ଣ୍ଣାଟକ ନିର୍ବାଚନ ବେଳେ ତେଲ କଂପାନିଗୁଡ଼ିକ କ୍ରମାଗତ ୧୯ ଦିନ ପର୍ଯ୍ୟନ୍ତ ଦର ବୃଦ୍ଧି ଉପରେ ରୋକ ଲଗାଇଥିଲେ। ତେବେ ସେହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରଠାରୁ ତେଲ ଦର କ୍ରମାଗତ ୧୬ ଦିନ ପର୍ଯ୍ୟନ୍ତ ବଢ଼ିଥିଲା। ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ ହୋଇଥିବା ଗୁଜରାଟ ନିର୍ବାଚନ ସମୟରେ ତେଲ ଦର କ୍ରମାଗତ ୧୪ ଦିନ ପର୍ଯ୍ୟନ୍ତ ବଢ଼ିନଥିଲା। ୨୦୧୭ ଜାନୁଆରିରୁ ଏପ୍ରିଲ୍ ଭିତରେ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ମଣିପୁର ନିର୍ବାଚନ ସମୟରେ ମଧ୍ୟ ତେଲ କଂପାନିଗୁଡ଼ିକ ଦର ବୃଦ୍ଧି କରିନଥିଲେ।

ଗ୍ରାହକ କ’ଣ ଗଣୁଛନ୍ତି?

ପେଟ୍ରୋଲ(ଟ.) ଡିଜେଲ(ଟ.)
ମୂଳ ଦର ୩୪.୧୭ ୩୯.୫୫
ମାହା‌ସୁଲ ୦.୩୫ ୦.୩୨
ଉତ୍ପାଦନ ଶୁଳ୍କ ୧୭.୯୮ ୧୩.୮୩
ଡିଲର କମିସନ ୩.୫୫ ୨.୫୦
ରାଜ୍ୟ ଟିକସ ୧୫.୧୩ ୯.୭୧
ବିକ୍ରି ଦର ୭୧.୧୮ ୬୫.୯୧
(ଗତ ମେ’ ୧୬ରେ ଦିଲ୍ଲୀର ବିକ୍ରି ଦର ହିସାବ)

ଦେଶ ପେଟ୍ରୋଲ(ଟ.) ଡିଜେଲ୍(ଟ.)
ପାକିସ୍ତାନ ୪୭.୬୮ ୫୮.୦୯
ବାଲାଂଦେଶ ୭୨.୧୫ ୫୪.୫୩
ଶ୍ରୀଲଙ୍କା‌ ୫୨.୬୨ ୪୧.୪୬
ନେପାଳ ୬୯.୪୧ ୬୧.୨୧
(ଗତ ମେ’ ୧ର ଦର ଅନୁସାରେ)

ସମ୍ବନ୍ଧିତ ଖବର