ରାଜ୍ୟରେ ପେଟ୍ରୋଲ୍ ବିକ୍ରି ୧୮% କମିଲା, ୨୫ ଟଙ୍କା ପେଟ୍ରୋଲରେ ୫୧ ଟଙ୍କାର ଟିକସ

ଭୁବନେଶ୍ବର: ଅର୍ଥନୀତିର ଗତି ସହିତ ପେଟ୍ରୋଲ ଓ ଡିଜେଲ୍ ବିକ୍ରିର ସିଧାସଳଖ ସମ୍ପର୍କ ରହିଛି। ବିଶେଷ କରି ଡିଜେଲ୍‌ ବ୍ୟବହାର ବୃଦ୍ଧି ପାଇଲେ ଅର୍ଥନୀତି ତ୍ବରାନ୍ବିତ ହୋଇଥିବା ବିଚାର କରାଯ‌ାଏ। ରାଜ୍ୟରେ ଗତ ଜୁଲାଇରେ ପେଟ୍ରୋଲ୍ ବିକ୍ରି ୧୮% ହ୍ରାସ ପାଇଛି। ଏହି ମାସରେ ରାଜ୍ୟରେ ୭୪,୫୬୦ କିଲୋଲିଟର ପେଟ୍ରୋଲ୍ ବିକ୍ରି ହୋଇଛି ଯାହା ଗତବର୍ଷର ଜୁଲାଇରେ ହୋଇଥିବା ବିକ୍ରି ତୁଳନାରେ ୧୮ ପ୍ରତିଶତ କମ୍। କିନ୍ତୁ, ଯଦି ଗତ ଜୁନ୍‌ର ବିକ୍ରି ସହିତ ଜୁଲାଇ ସଂଖ୍ୟାକୁ ତୁଳନା କରାଯିବ ତେବେ ପେଟ୍ରୋଲ୍ ବିକ୍ରିରେ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ୨୦୨୦ ଜୁନ୍‌ରେ ରାଜ୍ୟରେ ୬୦,୬୦୮ କିଲୋଲିଟର ପେଟ୍ରୋଲ୍ ବିକ୍ରି ହୋଇଥିଲା। ଜୁଲାଇରେ ସେହି ପରିମାଣ ୭୪ ହଜାର କିଲୋଲିଟରରୁ ଅଧିକ ହୋଇଛି। ଅର୍ଥାତ ଜୁନ୍ ତୁଳନାରେ ଜୁଲାଇରେ ପ୍ରାୟ ୧୫ ହଜାର କିଲୋଲିଟର ଅଧିକ ପେଟ୍ରୋଲ୍ ବିକ୍ରି ହୋଇଛି। ଏକ ହଜାର ଲିଟରକୁ ଏକ କିଲୋଲିଟର କୁହାଯାଏ। ଗତ ଜୁଲାଇରେ ଓଡ଼ିଶାରେ ଡିଜେଲ ବିକ୍ରିରେ ବଡ଼ ଧରଣର ସୁଧାର ଘଟିଛି। ଗତବର୍ଷ ଜୁଲାଇରେ ‌ଯେତିକି ପରିମାଣର ଡିଜେଲ୍ ବିକ୍ରି ହୋଇଥିଲା ଚଳିତ ବର୍ଷ ଜୁଲାଇରେ ତା’ଠାରୁ ମାତ୍ର ୦.୬% କମ୍ ଡିଜେଲ୍ ବିକ୍ରି ହୋଇଛି ଯାହାକୁ ନଗଣ୍ୟ ହ୍ରାସ ବୋଲି କୁହାଯାଇପାରିବ। ୨୦୨୦ ଜୁଲାଇରେ ଓଡ଼ିଶାରେ ୨,୦୧,୪୧୪ କିଲୋଲିଟର ଡିଜେଲ୍ ବିକ୍ରି ହୋଇଛି। ଏହା ଜୁନ୍ ମାସର ୧,୯୦,୨୫୨ କିଲୋଲିଟର ବିକ୍ରି ତୁଳନାରେ ପ୍ରାୟ ୧୦ ହଜାର କିଲୋଲିଟର ଅଧିକ।

ଡିଜେଲ୍‌ ବିକ୍ରିରେ ଘଟିଥିବା ସୁଧାର ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ଜୁଲାଇ ମାସରେ ପାଞ୍ଚଟି ଜିଲ୍ଲାକୁ ବାଦ ଅନ୍ୟ ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ପ୍ରଭାବିତ ହୋଇନାହିଁ। ବିଶେଷ କରି ଖଣି କାର୍ଯ୍ୟ ଜାରି ରହିଥିବାରୁ ଡିଜେଲ୍ ବିକ୍ରି ବୃଦ୍ଧି ପାଇଛି। ରାଜ୍ୟରେ ବିକ୍ରି ହେଉଥିବା ପ୍ରାୟ ୩୦-୩୫% ଡିଜେଲ୍‌ ଖଣି କ୍ଷେତ୍ରରେ ବ୍ୟବହାର ହୋଇଥାଏ। ଖଣିରେ କାର୍ଯ୍ୟ କରୁଥିବା ମେସିନ୍‌ଠାରୁ ଆରମ୍ଭ କରି ଲୋଡିଂ ଓ ଅନ୍‌ଲୋଡିଂରେ ବ୍ୟବହାର ହେଉଥିବା ମେସିନ୍ ଏବଂ ପାରାଦୀପ ଓ ଧାମରା ବନ୍ଦର ପର୍ଯ୍ୟନ୍ତ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଡିଜେଲ୍ ବ୍ୟବହାର ହୋଇଥାଏ। ଖଣିଗୁଡ଼ିକ ଖୋଲା ରହିଥିବାରୁ ଡିଜେଲ୍ ବିକ୍ରି ପ୍ରାୟ ସ୍ବାଭାବିକ ରହିଛି। ପର୍ଯ୍ୟଟନ ଶିଳ୍ପ, ସ୍କୁଲ ଓ କଲେଜରେ ରାଜ୍ୟର ୧୦-୧୫% ଡିଜେଲ୍ ବ୍ୟବହାର ହୋଇଥାଏ। ସେଗୁଡ଼ିକ ବନ୍ଦ ରହିଥିବାରୁ ଡିଜେଲ୍ ବିକ୍ରି ସ୍ବାଭାବିକ ସ୍ତରକୁ ଫେରିପାରୁନାହିଁ କିମ୍ବା ଗତବର୍ଷ ତୁଳନାରେ ଅଧିକ ହୋଇପାରୁନାହିଁ ବୋଲି ଶ୍ରୀ ଲାଠ୍‌ କହିଛନ୍ତି। ସର୍ବଭାରତୀୟ ସ୍ତରରେ ଗତ ଜୁଲାଇରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ବିକ୍ରି ହ୍ରାସ ପାଇଛି। ଡିଜେଲ୍ ବିକ୍ରି ୧୩% କମିଛି। ବିମାନ ଇନ୍ଧନ ବିକ୍ରିରେ ବୃଦ୍ଧି ହୋଇଥିବା‌ ବେଳେ ଏଲ୍‌ପିଜି ବ୍ୟବହାର ୫% ହ୍ରାସ ପାଇଛି। ଅଧିକ ମାତ୍ରାରେ କଳ କାରଖାନା ଥିବା ରାଜ୍ୟଗୁଡ଼ିକର ଅଧିକାଂଶ ସ୍ଥାନରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଜାରି ରହିବା ଏବଂ ‌କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଡିଜେଲ ବିକ୍ରି ହ୍ରାସ ପାଇଛି। ଡିଜେଲ୍ ବିକ୍ରିରେ ହ୍ରାସ ହୋଇଥିବାରୁ ଅର୍ଥନୀତିରେ ସୁଧାର ଆହୁରି ବିଳମ୍ବିତ ହେବ ବୋଲି କୁହାଯାଉଛି।

୨୫ ଟଙ୍କା ପେଟ୍ରୋଲରେ ୫୧ ଟଙ୍କାର ଟିକସ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଦିଓ ଗତ କିଛିଦିନ ହେଲା ସ୍ଥିର ରହିଛି ତଥାପି ଏହା ବହୁ ଅଧିକ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୨୫ରୁ ୩୦ ପ୍ରତିଶତ କମିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି। ଫଳରେ ଅଶୋଧିତ ତେଲ ଏବଂ ପେଟ୍ରୋଲ, ଡିଜେଲ ଦର ମଧ୍ୟରେ ପୂର୍ବରୁ ଥିବା ପାର୍ଥକ୍ୟ ବଢ଼ିବାରେ ଲାଗିଛି। ପେଟ୍ରୋଲର ମୂଳ ମୂଲ୍ୟ ଉପରେ ସରକାର ୨୦୪ ପ୍ରତିଶତ ଟିକସ ଆଦାୟ କରୁଥିବାବେଳେ ଡିଜେଲର ମୂଳ ମୂଲ୍ୟ ଉପରେ ୧୫୦ ପ୍ରତିଶତ ଟିକସ ଆଦାୟ କରୁଛନ୍ତି ବୋଲି କେୟାର ରେଟିଙ୍ଗ୍ସ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ତେବେ ପେଟ୍ରୋଲର ଖୁଚୁରା ବିକ୍ରି ମୂଲ୍ୟରେ ଟିକସର ଭାଗ ୬୪ ପ୍ରତିଶତ ଥିବାବେଳେ ଡିଜେଲରେ ରହିଛି ୫୮ ପ୍ରତିଶତ।

 

ଦିଲ୍ଲୀରେ ପେଟ୍ରୋଲର ମୂଳ ମୂଲ୍ୟ ୨୫ ଟଙ୍କା ୨୦ ପଇସା ଥିବାବେଳେ ଏହା ଉପରେ ୩୩ ଟଙ୍କାର ଉତ୍ପାଦ ଶୁଳ୍କ ଆଦାୟ କରାଯାଉଛି। ଭାଟ୍ ବାବଦରେ ୨୫ ଟଙ୍କା ୨୦ ପଇସା ଏବଂ ଡିଲର କମିସନ ବାବଦରେ ୩ ଟଙ୍କା ୭୦ ପଇସା ଆଦାୟ କରାଯାଉଛି। ଏଥିଯୋଗୁ ଦିଲ୍ଲୀରେ ପେଟ୍ରୋଲର ଖୁଚୁରା ଦର ଲିଟର ପିଛା ୮୦ ଟଙ୍କା ୪୦ ପଇସା ରହିଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୨୮ ଟଙ୍କା ୪୦ ପଇସା ରହିଥିବାବେଳେ ଏହା ଉପରେ ଉତ୍ପାଦ ଶୁଳ୍କ ବାବଦରେ ୩୧ ଟଙ୍କା ୮୦ ପଇସା ଆଦାୟ କରାଯାଉଛି। ଡିଲର କମିସନ ବାବଦରେ ୨ ଟଙ୍କା ୬୦ ପଇସା ଏବଂ ଭାଟ୍ ବାବଦରେ ୧୦ ଟଙ୍କା ୮୦ ପଇସା ଯୋଗକଲେ ଡିଜେଲର ଲିଟର ପିଛା ଦର ୭୩ ଟଙ୍କା ୬୦ ପଇସା ରହିଛି। ଏହି ଦର ବି‌ଶ୍ଳେଷଣକୁ ଦେଖିଲେ ସରକାର ୨୫ ଟଙ୍କା ୨୦ ପଇସାର ପେଟ୍ରୋଲ ଉପରେ ୫୧ ଟଙ୍କା ୬୦ ପଇସାର ଟିକସ ଆଦାୟ କରୁଛନ୍ତି। ସେହିଭଳି ୨୮ ଟଙ୍କା ୪୦ ପଇସାର ଡିଜେଲ ଉପରେ ୪୨ ଟଙ୍କା ୬୦ ପଇସାର ଟିକସ ଏବେ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର