ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ୨୦୧୪ରେ ଉପା ସରକାରଙ୍କ ପତନର ଏକ ପ୍ରମୁଖ କାରଣ ରହିଥିଲା। ୨୦୧୨ ମେ’ରେ ମନମୋହନ ସରକାର ପେଟ୍ରୋଲ ମୂଲ୍ୟରେ ପ୍ରଥମ ଥର ପାଇଁ ସର୍ବାଧିକ ପରିମାଣର ମୂଲ୍ୟ ବୃଦ୍ଧି କରିଥିଲେ। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ଟଙ୍କା ୫୪ ପଇସା ବଢ଼ାଯାଇଥିଲା। ଏଥିଯୋଗୁଁ ସେହି ସମୟରେ ପେଟ୍ରୋଲର ଲିଟର ପିଛା ଦର ୭୩ ଟଙ୍କା ୧୮ ପଇସାରେ ପହଞ୍ଚିଥିଲା। ଏହାର ସପ୍ତାହକ ପରେ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି ଓ ବାମଦଳ ଭାରତ ବନ୍ଦ କରିଥିଲେ। ତାହାର ୯ ମାସ ପରେ ୨୦୧୩ ମାର୍ଚରେ ଉପା ସରକାର ପୁଣି ଥରେ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କରିଲେ ସେତେବେଳେ ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦମାନେ ସଂସଦକୁ ଅଚଳ କରିଦେଇଥିଲେ। କିନ୍ତୁ ମୋଦିଙ୍କ ଶାସନ କାଳରେ ପେଟ୍ରୋଲ ଦର ୭୩ ଟଙ୍କା ୭୩ ପଇସାରେ ପହଞ୍ଚି ଯାଇଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଦାୟୀ ବୋଲି ସେତେବେଳର ସରକାର କହିଥିଲେ। ବିଜେପି ଏଥିସହ ଏକମତ ହୋଇ ନଥିଲା। ଉପା ସରକାର ୯ ବର୍ଷ ଧରି ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଗ୍ରହଣ କରୁଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି ବୋଲି ବିଜେପି ସେତେବେଳେ କହିଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଏବଂ ବିଜେପିର ନେତୃବୃନ୍ଦ ଅର୍ଥନୀତି ସୁଦୃଢ଼ ରହିଛି ବୋଲି କହୁଛନ୍ତି। ଏହାସତ୍ତ୍ୱେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିର୍ଧାରଣ ବ୍ୟବସ୍ଥାକୁ ବଜାର ବ୍ୟବସ୍ଥା ଉପରେ ଛାଡ଼ି ଦିଆଯାଇଛି ଏବଂ ଏହାର ମୂଲ୍ୟ ବଢ଼ିଚାଲିଛି।
୨୦୧୪ ସାଧାରଣ ନିର୍ବାଚନ ବେଳେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବିରୋଧରେ ବିଜେପି ଏଭଳି ପ୍ରଚାର ଚଳାଇଲା ଯେ ଉପା ସରକାର ସେହିବର୍ଷ ଏପ୍ରିଲରେ ପ୍ରସ୍ତାବିତ ଡିଜେଲ ଦର ବୃଦ୍ଧିକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ ବିଜୟୀ ହୋଇ ମୋଦି ଦେଶରେ ସରକାର ଗଠନ କରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଇଲା। ଏହା କେନ୍ଦ୍ର ସରକାରଙ୍କୁ ସୁହାଇଲା। ଅଶୋଧିତ ତେଲ ଦର ବୃଦ୍ଧି ଘଟୁଥିବାରୁ ସରକାରଙ୍କୁ ଏ ନେଇ କୌଣସି ଚିନ୍ତା ନଥିଲା।
୨୦୧୪ ମେ’ରେ ଭାରତ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୩ ଡଲାରରେ କିଣୁଥିଲା। କିନ୍ତୁ ୨୦୧୫ ଜାନୁଆରି ବେଳକୁ ଏହା ୫୦ ଡଲାରକୁ ଖସି ଆସିଥିଲା। ଏହି ମୂଲ୍ୟ ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭଲ ଭାଗ୍ୟ ସହ ତୁଳନା କରିଥିଲେ। ୨୦୧୫ ଫେବ୍ରୁଆରିରେ ନୂଆଦିଲ୍ଲୀଠାରେ ଏକ ନିର୍ବାଚନ ରାଲିରେ ତେଲ ଦର କମ୍ ରହିବା ପରିପ୍ରେକ୍ଷୀରେ ମୋଦି ଏହା କହିଥିଲେ ଯେ ଆସନ୍ତୁ ଧରିନେବା ମୁଁ ଭାଗ୍ୟବାନ। କିନ୍ତୁ ଏହା ସତ ଯେ ଆପଣମାନଙ୍କର ଟଙ୍କା ମଧ୍ୟ ସଞ୍ଚୟ ହେଉଛି। ଯଦି ମୋଦିଙ୍କ ଭାଗ୍ୟ ଲୋକଙ୍କୁ ଲାଭ ପହଞ୍ଚାଉଛି ତା’ହେଲେ ଏହାଠାରୁ ଭାଗ୍ୟବାନ ଆଉ କ’ଣ ହୋଇପାରେ? ଅଭାଗା ଲୋକଙ୍କୁ ଶାସନକୁ ଆଣିବାର କ’ଣ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ତେବେ ତାଙ୍କର ଭଲ ଭାଗ୍ୟ ୨୦୧୭ ମଧ୍ୟଭାଗ ପର୍ଯ୍ୟନ୍ତ ରହିଥିଲା। ଏପରିକି ୨୦୧୬ ଜାନୁଆରିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୯ ଡଲାରକୁ ମଧ୍ୟ ଖସି ଯାଇଥିଲା।
ମୋଦି ସରକାର କ୍ଷମତାକୁ ଆସିବା ପରେ ୨୦୧୪ ମେ’ରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ୧୨ ଥର ବୃଦ୍ଧି କରିଛନ୍ତି। ୧୨ ଥର ବୃଦ୍ଧି କରିବା ପରେ ଗତବର୍ଷ ଅକ୍ଟୋବରରେ ସରକାର ଥରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲର ଉତ୍ପାଦନ ଶୁଳ୍କରେ ୫୪ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ଭାଟ୍ରେ ୪୬ ପ୍ରତିଶତ ଏବଂ ଡିଲର କମିସନ୍ରେ ୭୩ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ୨୦୧୪ ମେ’ରୁ ୨୦୧୭ ମଧ୍ୟରେ ଡିଜେଲର ଉତ୍ପାଦନ ଶୁଳ୍କରେ ୧୫୪ ପ୍ରତିଶତ ବୃଦ୍ଧି କରାଯାଇଛି। ଭାଟ୍ରେ ୪୮ ପ୍ରତିଶତ ଏବଂ ଡିଲର କମିସନ୍ରେ ୭୩ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲର ଉତ୍ପାଦନ ଶୁଳ୍କ ଲିଟର ପିଛା ମୋଟ ୧୧ ଟଙ୍କା ୭୭ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲର ଉତ୍ପାଦନ ଶୁଳ୍କ ୧୩ ଟଙ୍କା ୪୭ ପଇସା ବୃଦ୍ଧି ଘଟିଛି। ଉପରୋକ୍ତ ୧୫ ମାସ ମଧ୍ୟରେ ତେଲରୁ ସରକାରଙ୍କ ରାଜସ୍ୱ ପରିମାଣ ଦୁଇଗୁଣ ବୃଦ୍ଧି ଘଟିଛି । ୨୦୧୪-୧୫ରେ ଏହି ରାଜସ୍ୱ ୯୯,୦୦୦ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ୨,୪୨,୦୦୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା।