ଟ୍ରେଣ୍ଡ୍‌ରେ ପ୍ୟୁ ଜାକେଟ

ଭୁବନେଶ୍ବର: ରାଜ୍ୟରେ କିଛିଦିନର ବର୍ଷା ପରେ ପୁଣି ଶୀତ ଆରମ୍ଭ ହୋଇଯାଇଛି। ଏଥିପାଇଁ ବଜାରରେ ଶୀତ ପୋଷାକର ପସରା ମେଲିବା ଆରମ୍ଭ ହୋଇଯାଇଛି। ବଡ଼ ବଡ଼ ମଲ, ସୋ’ରୁମ୍ ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ଭଳିକି ଭଳି ‌ଶୀତ ପୋଷାକ ବିକ୍ରି ହେଉଛି। ଶରୀରକୁ ଶୀତରୁ ରକ୍ଷା କରିବା ସହିତ ନିଜକୁ ଷ୍ଟାଇଲିସ୍ କରି ରଖିବା ପାଇଁ ଲୋକମାନେ ନୂଆ ନୂଆ ପୋଷାକ କିଣି ପିନ୍ଧୁଛନ୍ତି। ଗ୍ରାହକଙ୍କ ଚାହିଦା ଏବଂ ଆଗ୍ରହକୁ ଦେଖି କମ୍ପାନି ଗୁଡ଼ିକ ଭିନ୍ନ ରକମ ଏବଂ ମୂଲ୍ୟର ଶୀତବସ୍ତ୍ର ଉପଲବ୍ଧ କରାଇଛନ୍ତି। ଶୀତବସ୍ତ୍ର ଗୁଡ଼ିକ ମୁଖ୍ୟତଃ ‌ୱେଷ୍ଟର୍ଣ୍ଣ ଡିଜାଇନରେ ଆସିଥାଏ। ଶୀତଋତୁ ଏବେ ପୂର୍ବାପେକ୍ଷା କମ୍ ଦିନ ପାଇଁ ରହୁଥିବାରୁ କିଛି ସିଜନାଲ ବ୍ରାଣ୍ଡ୍‌ର କମ୍ପାନି ମଧ୍ୟ ଏଭଳି ପୋଷାକ ଆଣୁଛନ୍ତି। କମ୍ପାନି ଗୁଡ଼ିକ ଶୀତ ପୋଷାକକୁ ମୁଖ୍ୟତଃ ପ୍ରିୱିଣ୍ଟର ବା ପ୍ରାକ୍ ଶୀତ ଏବଂ ଶୀତରେ ବିଭକ୍ତ କରିଛନ୍ତି। ହାଲକା ଶୀତ ପାଇଁ ଗୋଟିଏ ପ୍ରକାରର ପୋଷାକ ଆଣିଥିବାବେଳେ ପ୍ରବଳ ଶୀତ ପାଇଁ ଆଉ ଏକ ପ୍ରକାର ପୋଷାକ ଉପଲବ୍ଧ କରାଇଛନ୍ତି।

ଜିପ୍‌ ଆଣ୍ଡ୍‌ ବଟମ୍
ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଓ ପସନ୍ଦ ଅନୁସାରେ ସବୁ ପ୍ରକାର ଶୀତ ପୋଷାକ କିଣୁଛନ୍ତି। କିନ୍ତୁ ଟ୍ରେଣ୍ଡ୍‌ରେ ଏବେ ପ୍ୟୁ ଜ୍ୟାକେଟ୍, ଜିପ୍ ଆଣ୍ଡ୍‌ ବଟମ୍‌ ଜ୍ୟାକେଟ ଏବେ ରହିଛି ବୋଲି ପ୍ରମୁଖ ସୋରୁମ୍ ଓ ମଲ୍‌ର ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିସହିତ ଜ୍ୟାକେଟ୍ ଏବଂ ପୁଲଓଭରର ବିକ୍ରି ମଧ୍ୟ ଅଧିକ ମାତ୍ରାରେ ଶୀତଦିନେ ହେଉଛି। ବାଇକ ପ୍ରେମୀମାନେ ଲେଦର (ଚମଡ଼ା) ଜ୍ୟାକେଟ୍‌ ଏବଂ ବୁମ୍ ଜ୍ୟାକେଟ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି।

ଅନଲାଇନ୍‌ ବି ମିଳୁଛି
ସହରରେ ରହୁଥିବା ଲୋକମାନେ ଅନଲାଇନରେ ମଧ୍ୟ ଶୀତ ପୋଷାକ କିଣୁଛନ୍ତି। ଆମାଜନ, ଫ୍ଲିପକାର୍ଟ ସମେତ ଅନ୍ୟାନ୍ୟ ସାଇଟ୍‌ରୁ ସେମାନେ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ ଏବଂ ଡିଜାଇନର ଶୀତବସ୍ତ୍ର ଯଥା ସ୍ବେ‌ଟର, ଜ୍ୟାକେଟ, ପୁଲଓଭର ଆଦି କିଣିବା ଆରମ୍ଭ କରିଦେଇଛନ୍ତି।

ଭଳିକି ଭଳି ଶୀତବସ୍ତ୍ର
ଛୋଟ ପିଲାଙ୍କ ଠାରୁ ଯୁବବର୍ଗ ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଶୀତ ପୋଷାକ ବଜାରରେ ମିଳୁଛି। ସ୍ବେଟର, ସ୍ବେଟ୍ ସାର୍ଟ, ଜ୍ୟାକେଟ, ହାଫ୍ ଜ୍ୟାକେଟ୍‌, ପୁଲଓଭର, ହୁଡିଜ୍‌ ପୁଲଓଭର, ଲଙ୍ଗ୍ କାର୍ଡିଗାନ, ବ୍ଲେଜର, ପ୍ୟାଟର୍ଣ୍ଣ ଜ୍ୟାକେଟ, ବଟମ୍-ପ୍ୟାଣ୍ଟ୍ ପ୍ୟାଟର୍ଣ୍ଣ, ପ୍ୟୁ ଜ୍ୟାକେଟ, କ୍ରପ୍ ସ୍ବେଟର, ଡେନିମ୍ ଜ୍ୟାକେଟ୍‌, ଶ୍ରଗ, ସ୍ଲିଭଲେସ୍ ଲେଗିଙ୍ଗ୍ସ ସହିତ ବ୍ଲାଉଜ ଟପ୍‌, ସ୍ଲିଭଲେସ୍ ଡେନିମ୍ ଜ୍ୟାକେଟ, ଡେନିମ ଜ୍ୟାକେଟ, ଲେଦର ଜ୍ୟାକେଟ, ଜିପ୍ ଆଣ୍ଡ୍ ବଟମ୍ ପ୍ୟାଟର୍ଣ୍ଣ ଜ୍ୟାକେଟ, ୱିଣ୍ଡ୍ ଚିଟର ଭଳି ଭଳିକି ଭଳି ଶୀତ ପୋଷାକ ବଜାରରେ ବିକ୍ରି ହେଉଛି।

ବ୍ରାଣ୍ଡ୍‌
ବ୍ଲାକବେରି, ୱାଇଲ୍ଡ କ୍ରାଫ୍ଟ, କନଫିଡେନ୍ସ, ଓସେନିକ, ଲୁଇଫିଲିପ, ଆଲେନ ସୋଲି, ଭାନହୁସେନ, ପିଟର ଇଂଲଣ୍ଡ, ହର୍ ଗ୍ରେସ୍, ଡିଲ୍‌, ନ୍ୟୁ କ୍ୟାସେଲ୍‌, ୟେଲୋ ମେଲୋ, ଆଣ୍ଡ୍, କ୍ୟାମ୍ପସ ସୂତ୍ର, ଭେରୋ ମୋଡା, ହେ, ଜିଙ୍କ ଲଣ୍ଡନ, ୟୁଏମଏମ, ମଣ୍ଟେ କାର୍ଲୋ, ଲିକୁପର, ପିଙ୍କ୍ ଆଣ୍ଡ୍‌ ବ୍ଲୁ, ୟୁସିବି, ଟାଇନି ଗର୍ଲ, ଡିଜେ ଆଣ୍ଡ ସି, ପେପେ ଜିନ୍ସ, ଲିଭାଇସ, ବେୟାର, ରାଙ୍ଗଲର, ଓନ୍‌ଲି ଆଦି ବ୍ରାଣ୍ଡ୍‌ର ଶୀତ ପୋଷାକ ରାଜ୍ୟର ପ୍ରମୁଖ ସୋ’ରୁମ୍‌ଗୁଡ଼ିକରେ ଚଳିତବର୍ଷ ମିଳୁଛି। ୭ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଶୀତ ପୋଷାକ ବିକ୍ରି କରାଯାଉଛି।

୩୦୦ ଟଙ୍କାରୁ ଆରମ୍ଭ
ସାଧାରଣତଃ ଅଣ ବ୍ରାଣ୍ଡେଡ୍ ଶୀତ ପୋଷାକ ୩୦୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ମଲ୍ ଏବଂ ସୋରୁମ୍ ଗୁଡ଼ିକରେ ବଡ଼ ବଡ଼ କମ୍ପାନି ଓ ବ୍ରାଣ୍ଡ୍‌ର ଶୀତ ପୋଷାକର ମୂଲ୍ୟ ଅପେକ୍ଷାକୃତ ଭାବେ ଅଧିକ ରହିଛି। କେତେକ ସୋରୁମ୍‌ରେ ଶୀତ ପୋଷାକ ମୂଲ୍ୟ ୭୯୯ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ତେବେ ବ୍ରାଣ୍ଡ୍ ଏବଂ ପୋଷାକର ପ୍ରକାର ଅନୁସାରେ ମୂଲ୍ୟ ଅଲଗା ଅଲଗା ରହିଛି।
ଅଫର୍‌
କେତେକ ସୋରୁମ୍‌ରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଏବଂ ବିକ୍ରି ବଢ଼ାଇବା ପାଇଁ ଅଫର୍ ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଗ୍ରାହକମାନେ ରିହାତିରେ ଶୀତ ପୋଷାକ କିଣିବା ସୁଯୋଗ ପାଉଛନ୍ତି।

ରାସ୍ତାକଡ଼ରେ ଶୀତବଜାର

ଶୀତ ଆସିଯାଇଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଶୀତ ବଜାର ଖୋଲିବା ଦେଖିବାକୁ ମିଳିଛି। ସହିଦ ନଗର ଏବଂ ୧ ନମ୍ବର ମାର୍କେଟ ନିକଟରେ ଏହି ବଜାର ଖୋଲିଯାଇଛି। କମ ଆୟବର୍ଗର ଲୋକମାନେ ଏସବୁ ସ୍ଥାନରେ ଅପେକ୍ଷାକୃତ କମ୍ ମୂଲ୍ୟରେ ଜ୍ୟାକେଟ, ସ୍ବେଟର, ସାଲ୍‌, ଚାଦର ଆଦି କିଣିବା ସୁଯୋଗ ପାଉଛନ୍ତି। ଏଥିସହିତ ମଙ୍କି କ୍ୟାପ, ଗ୍ଲୋଭସ, ମୋଜା ଆଦି ମଧ୍ୟ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର