ଫାର୍ମା କଂପାନିର ୫୦୦୦ କୋଟି ଋଣ ଠକେଇ

ନୂଆଦିଲ୍ଲୀ: ଆନ୍ଧ୍ର ବ୍ୟାଙ୍କଠାରୁ ୫୦୦୦ କୋଟି ଟଙ୍କାର ଋଣ ଠକେଇ କରିଛି ଗୁଜୁରାଟର ଏକ ଔଷଧ କଂପାନି ‘ଷ୍ଟର୍ଲିଂ ବାୟୋଟେକ୍‌’। ଏହି ଠକେଇ ଗତବର୍ଷ ନଭେମ୍ବରରୁ ଜଣାପଡ଼ିଲାଣି ଏବଂ ସିବିଆଇ ପକ୍ଷରୁ କଂପାନି ବିରୋଧରେ ମାମଲା ମଧ୍ୟ ଦାୟର କରାଯାଇଛି। ଏକ ମନି ଲଣ୍ଡରିଂ ମାମଲା ଦାୟର କରି ଏହାର ତଦନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ କରାଯାଉଛି। ସିବିଆଇ ପକ୍ଷରୁ ମାମଲା ଦାୟର କରାଯିବା ପରେ କଂପାନିର କିଛି ନିର୍ଦେଶକ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଗତବର୍ଷ ନଭେମ୍ବରରେ ଏକ ଅଦାଲତ ପକ୍ଷରୁ କଂପାନିର ଦୁଇ ଜଣ ନିର୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଜଣେ ନିର୍ଦେଶକ ଦକ୍ଷିଣ ୟୁରୋପରେ ଥିବା ଜଣାପଡ଼ିଛି। ତାଙ୍କ ପାସପୋର୍ଟ ରଦ୍ଦ କରିବାକୁ ଇଡି ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କୁହାଯାଇଛି। ସେହିପରି ରିଡ୍‌ ଆଣ୍ଡ୍‌ ଟେଲର୍‌ ବ୍ରାଣ୍ଡ୍‌ ନାମରେ ପୋଷାକ ବିକ୍ରି କରୁଥିବା ଏସ୍‌ କୁମାର୍ସ କଂପାନି ମଧ୍ୟ ୫୦୦୦ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି। ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ କଂପାନିକୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଛନ୍ତି। ଏକଦା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଏହି ବ୍ରାଣ୍ଡ୍‌ର ପ୍ରଚାର କରୁଥିଲେ। ପୋଷାକ କାରବାର କ୍ଷେତ୍ରରେ ଏହି କଂପାନି ବହୁତ ସୁନାମ ରହିଛି। ଏବେ କିନ୍ତୁ ତାହା ଦେବାଳିଆ ଘୋଷିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର