ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଯୁଗ ବଦଳିବାରେ ଲାଗିଛି । ଏବେ ଛୋଟ ଛୋଟ କାରବାର ପାଇଁ ଲୋକମାନେ ସିଧାସଳଖ ଟଙ୍କାର ବ୍ୟବହାର କରିବା ପରିବର୍ତ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ତେଣୁ ମୋବାଇଲକୁ ବି ମନିପର୍ସ ଭାବେ ବ୍ୟବହାର କରାଯାଉଛି । ଏହାସହ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ ରିଚାର୍ଜ, ବୀମାଦେୟ ଭଳି ଅନେକ କାରବାର ପାଇଁ ଲୋକମାନେ ସିଧା ସଳଖ ଅନଲାଇନ ପେମେଣ୍ଟ କରୁଛନ୍ତି । ହେଲେ ଅନଲାଇନ ପେମେଣ୍ଟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ‘ଫୋନ ପେ’ ଏବେ ତାର ଗ୍ରାହକମାନଙ୍କୁ ଝଟକା ଦେଇଛି ।

ଫୋନ ପେ ରେ ଯଦି ଆପଣ ୫୦ ଟଙ୍କାରୁ ଅଧିକ ପ୍ୟାକ୍ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧ ଟଙ୍କାରୁ ୨ ଟଙ୍କା ମଧ୍ୟରେ ପ୍ରୋସେସିଙ୍ଗ ଦେୟ ଦେବାକୁ ହେବ । ଏଭଳି ସ୍ଥଳରେ ସମାନ ରିଚାର୍ଜ ପାଇଁ ଅନ୍ୟ ଅନଲାଇନ ପେମେଣ୍ଟ ଆପ ଗୁଗୁଲ ପେ, ପେଟିଏମ ଓ ଆମାଜନ ଭଳି କମ୍ପାନିମାନେ ମୁକ୍ତ ସେବା ଜାରି ରଖିଛନ୍ତି ।

କମ୍ପାନି ତରଫରୁ କୁହାଯାଇଛି କି, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହେଲେ ୫୦ ଟଙ୍କାରୁ ୧୦୦ ଟଙ୍କାର ରିଚାର୍ଜ ଉପରେ ୧ ଟଙ୍କା ଓ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ୨ ଟଙ୍କା ସେବା କର ଦେବାକୁ ପଡିବ । ଅନ୍ୟପଟେ କେବଳ ଫୋନ ପେ ଅନଲାଇନ ପେମେଣ୍ଟ ରିଚାର୍ଜ ଉପରେ ସେବା କର ନେଉନାହିଁ, ଆପଣ ଯଦି କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ବି କମ୍ପାନି ସେବା କର ନେଉଛି । ହେଲେ ଅନ୍ୟ କାରବାର ଉପରେ ଏପର୍ଯ୍ୟନ୍ତ ଫୋନ ପେ ସେବା କର ନେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ ।

ତେବେ ଅନ୍ୟ ପେମେଣ୍ଟ ଆପ୍ ଠାରୁ ଫୋନ ପେରେ ତୃତୀୟ ପକ୍ଷ କାରବାର ଦେଶରେ ସବୁଠାରୁ ଅଧିକ ରହିଛି । କେବଳ ଗତ ସେପ୍ଟେମ୍ବର ମାସରେ ଫୋନ ପେ ମାଧ୍ୟମରେ ଲୋକମାନେ ୧୬୫ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି । ଏହା ମୋଟ ଅନଲାଇନ ପେମେଣ୍ଟ ହୋଇଥିବା ଦେଶର ମୋଟ କାରବାରର ୪୦ ପ୍ରତିଶତ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର