ନୂଆଦିଲ୍ଲୀ: ଚାଟ୍‌ଜିପିଟିର ବିକଳ୍ପ ଭାବେ ଗୁଗୁଲ ପ୍ରସ୍ତୁତ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଜେମିନିର ପ୍ରଦର୍ଶନ ନୈରାଶ୍ୟଜନକ ରହିବା ଓ ତାହାର ଉତ୍ତରକୁ ନେଇ ବିବାଦ ଦେଖାଦେଇଥିବାରୁ ଇସ୍ତଫା ଦେବା ଲାଗି କମ୍ପାନିର ସିଇଓ ସୁନ୍ଦର ପିଚାଇଙ୍କ ଉପରେ ପ୍ରବଳ ଚାପ ରହିଛି। ଜେମିନିରେ ଛବି ସୃଷ୍ଟି କରିବା ଲାଗି ରହିଥିବା କିଛି ସୁବିଧାର ପ୍ରଦର୍ଶନ ଏତେ ଖରାପ ଥିଲା ଯେ ସେଗୁଡ଼ିକୁ ବନ୍ଦ କରିବାକୁ କମ୍ପାନି ବାଧ୍ୟ ହୋଇଛି। ଏହା ଆଦୌଁ ଗ୍ରହଣୀୟ ନୁହେଁ ବୋଲି କର୍ମଚାରୀମାନଙ୍କୁ ପିଚାଇ କହିଛନ୍ତି। ଏହି ଘଟଣା ପରେ କମ୍ପାନିର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଆନାଲିଷ୍ଟ ବେନ୍ ଥମ୍ପସନ୍‌ ଓ ମାର୍କ ସ୍ମୁଲିକଙ୍କ ମତରେ ଗୁଗୁଲରେ ପରିବର୍ତ୍ତନ ଆବଶ୍ୟକ। ଦରକାର ପଡ଼ିଲେ ସିଇଓ ସୁନ୍ଦର ପିଚାଇଙ୍କୁ ବଦଳାଇବାକୁ ହେବ। ଥମ୍ପସନ କହିଛନ୍ତି ଯେ ଅତୀତର କେତେକ ସମସ୍ୟାକୁ ସମାଧାନ କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ସ୍ମୁଲିକ ଗୁଗୁଲର ବର୍ତ୍ତମାନର ନେତୃତ୍ବ ମଣ୍ଡଳୀ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ଦଳ ଗୁଗୁଲ୍‌କୁ ଭବିଷ୍ୟତରେ ମାର୍ଗଦର୍ଶନ କରିବା ନେଇ ସନ୍ଦେହ ରହିଛି।