ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ାସ୍ଥିତ ପୁରୁଣା ପରିତ୍ୟକ୍ତ ଟୋଲ୍ଗେଟ୍ରେ ଏକ ପିକ୍ନିକ ବସ୍ ପିଟି ହେବାରୁ ପ୍ରାୟ ୨୦ ଜଣ ଆହତ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ରଶ୍ମିରାଣୀ ରାଉତ, ପୂଜା ବାରିକ, ମନସ୍ବିନୀ ଦେଇ ଓ ପ୍ରତିମା ପ୍ରିୟଦର୍ଶିନୀ। ଅନ୍ୟମାନଙ୍କୁ ଭୁବନେଶ୍ବର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରାଇ ଦିଆଯାଇଛି। ନୟାଗଡ଼ସ୍ଥିତ ପ୍ରଧାନମନ୍ତ୍ରୀ କୌଶଲ ବିକାଶ କେନ୍ଦ୍ରର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ନାରାୟଣୀ ବସ୍ (ଓଆର୍୦୨ବିସି-୩୫୨୩) ଯୋଗେ ପିକ୍ନିକ୍ କରିବା ପାଇଁ ପାରାଦୀପ ଯାଉଥିଲେ। କୌଣସି କାରଣରୁ ହଠାତ୍ ବସ୍ ଚାଳକ ଭାରାସାମ୍ୟ ହରାଇବାରୁ ବସ୍ଟି ଗଙ୍ଗପଡ଼ା ଟୋଲ୍ଗେଟ୍ରେ ପିଟି ହୋଇଯାଇଥିଲା। ଫଳରେ ବସ୍ର ସମ୍ମୁଖ ଭାଗରେ ବସିଥିବା ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଓ ପିସିଆର୍ ଯୋଗେ ଆହତମାନଙ୍କୁ ଭୁବନେଶ୍ବର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମାତ୍ର ଉପରୋକ୍ତ ଚାରିଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗଙ୍ଗପଡ଼ାରେ ଏହି ପରିତ୍ୟକ୍ତ ଟୋଲ ଗେଟ୍ ପାଇଁ ବହୁ ଦୁର୍ଘଟଣା ଘଟୁଥିବାରୁ ଏହାକୁ ହଟାଇବାକୁ ଦାବି ହୋଇ ଆସୁଛି। ମାତ୍ର ଜାତୀୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।
ପରିତ୍ୟକ୍ତ ଟୋଲ୍ଗେଟ୍ ହେଲା କାଳ, ପିଟି ହେଲା ପିକ୍ନିକ୍ ବସ, ୪ ଗୁରୁତର
/sambad/media/post_attachments/wp-content/uploads/2018/12/Accident_Sambad-Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)