ଆଉ ୧୭ ଜିଲ୍ଲାରେ ପାଇପ୍ ଗ୍ୟାସ୍
୭୦୦୦ କୋଟି ନିବେଶ ହେବ, ୨୦୨୦ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ, ଭୁବନେଶ୍ୱରରେ ରୋଡ୍ସୋ’ ଅନୁଷ୍ଠିତ
ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟର ଆଉ ୧୭ଟି ଜିଲ୍ଲାର ଲୋକେ ପାଇପ୍ ଯୋଗେ ଗ୍ୟାସ୍ ପାଇବେ। ବର୍ତମାନ କଟକ ଏବଂ ଖୋର୍ଧା ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଆଗାମୀ ଦିନରେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ପାଇଁ କାର୍ଯ୍ୟ ଆରମ୍ଭ ହେବ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନଜିଆରବି) ପକ୍ଷରୁ ଆଜି ନବମ ପର୍ଯ୍ୟାୟ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ (ସିଜିଡି)ର ନିଲାମ ପାଇଁ ଭୁବନେଶ୍ୱରଠାରେ ଆୟୋଜିତ ଏକ ରୋଡ୍ ସୋ’ରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଆୟୋଜିତ ଏହି ରୋଡ ସୋ’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ରାଜ୍ୟରେ ପୁଞ୍ଜିନିବେଶ ହେବ। ପାଇପ୍ ମାଧ୍ୟମରେ ଲୋକମାନେ ଗ୍ୟାସ ପାଇଲେ ଓଡ଼ିଶାର ପ୍ରଭୂତ ବିକାଶ ସମ୍ଭବ ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗୁଜରାଟ ପରେ ଓଡ଼ିଶାର ୬୦ ପ୍ରତିଶତ ଅଞ୍ଚଳରେ ଏବଂ ୮୫ ପ୍ରତିଶତ ଲୋକଙ୍କ ନିକଟରେ ପାଇପ୍ ଗ୍ୟାସ୍ ମିଳିବା ସମ୍ଭବ ହେବ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ। ପେଟ୍ରୋଲ ଏବଂ ଡିଜେଲ ପରିବର୍ତେ ସିଏନଜିରେ ଅଟୋ ଏବଂ କାର ଆଦି ଚାଲିବ। ଫଳରେ ଅଟୋବାଲାଙ୍କ ଆୟ ଏବଂ ମଧ୍ୟମ ଆୟବର୍ଗର ଲୋକମାନଙ୍କ ଗାଡ଼ି ଚାଳନା ବାବଦ ଖର୍ଚ୍ଚ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଥିଲେ। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଜମି ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଲେ ଏହି ପ୍ରକଳ୍ପ ଶୀଘ୍ର ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ। ଗତ ୭୦ ବର୍ଷ ମଧ୍ୟରେ ଦେଶରେ ମାତ୍ର ୧୧ ପ୍ରତିଶତ ଅଞ୍ଚଳରେ ପାଇପ୍ ଗ୍ୟାସ ପହଞ୍ଚି ପାରିଥିବାବେଳେ ମୋଦି ସରକାରଙ୍କ ଅମଳର ୪ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଞ୍ଚଳରେ ପାଇପ ଗ୍ୟାସ ନେଟଓ୍ଵାର୍କରେ ଯୋଡ଼ାଯାଇ ପାରିଛି ବୋଲି ସେ କହିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରତି ଜିଲ୍ଲା ପିଛା ଅତିକମ୍ରେ ହଜାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ପ୍ରତିଷ୍ଠାନ ଓ ସହରାଂଚଳର ଲୋକମାନେ ପାଇପଯୋଗେ ସ୍ୱଚ୍ଛ ଗ୍ୟାସ ପାଇପାରିବେ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟରେ ଏଲ୍ଏନ୍ଜି ଟର୍ମିନାଲ ସ୍ଥାପନ, ପାଇପଲାଇନ ବିଛାଇବା ଏବଂ ସହରାଞ୍ଚଳରେ ପାଇପଲାଇନ୍ ବିଛାଇବା ଲାଗି ପ୍ରାୟ ୧୭ ହଜାର କୋଟି ନିବେଶ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ପିଏନଜିଆରବିର ସଦସ୍ୟ ଆର. ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ସଦସ୍ୟ ସତପାଲ ଗର୍ଗ ଧନ୍ୟବାଦ ଦେଇଥିଲେ।
ରୋଡ୍ ସୋ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିଏନ୍ଜିଆର୍ବି ଅଧ୍ୟକ୍ଷ ଦୀନେଶ କୁମାର ସରାଫ କହିଥିଲେ, ନବମ ପର୍ଯ୍ୟାୟରେ ଦେଶରେ ୧୭୪ଟି ଜିଲ୍ଲାରେ ଏହି ସିଟି ଗ୍ୟାସ ବଣ୍ଟନ ପ୍ରକଳ୍ପ ଆରମ୍ଭ ହେବ। ଏଥିରେ ଓଡ଼ିଶାର ୧୭ଟି ଜିଲ୍ଲାକୁ ସାମିଲ କରାଯାଇଛି। ଏହି ପ୍ରକଳ୍ପରେ ଦେଶରେ ମୋଟ ୭୦ ହଜାର କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ଓଡ଼ିଶାରେ ପ୍ରାୟ ୧୦ ପ୍ରତିଶତ ଅର୍ଥ ବା ୭ ହଜାର କୋଟି ଟଙ୍କା ନିବେଶ ହେବା ଅନୁମାନ କରାଯାଉଛି ବୋଲି ସେ କହିଥିଲେ।
ଗୋପାଳପୁରରେ ଏଲ୍ଏନ୍ଜି ଟର୍ମିନାଲ ସ୍ଥାପନ ଯୋଜନା
ଶ୍ରୀକାକୁଲମ୍ରୁ ଅନୁଗୁଳକୁ ବିଛାଯିବ ଗ୍ୟାସ ପାଇପ୍
ଭୁବନେଶ୍ୱର: ଧାମରା ପରେ ଓଡ଼ିଶାରେ ଆଗାମୀ ଦିନରେ ଗୋପାଳପୁର ବନ୍ଦରରେ ଏକ ଏଲ୍ଏନ୍ଜି ଟର୍ମିନାଲ ନିର୍ମାଣ ହେବାର ଯୋଜନା ରହିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ତେବେ ଏହି ପ୍ରକଳ୍ପ କେବେ ନିର୍ମାଣ ହେବ ଏବଂ ଏଥିରେ କେତେ ଟଙ୍କା ନିବେଶ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି । ଏହା ଅତ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏ ସମ୍ପର୍କରେ କହିବା ଏବେଠାରୁ ଠିକ୍ ହେବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିଭଳି ଆଗାମୀ ଦିନରେ କାକିନାଡ଼ାରୁ ଶ୍ରୀକାକୁଲମ୍କୁ ଗ୍ୟାସ ପାଇପଲାଇନ୍ ବିଛାଯିବା ଯୋଜନା ରହିଛି। ଏହି ଗ୍ୟାସ ପାଇପଲାଇନ୍କୁ ଶ୍ରୀକାକୁଲମ୍ରୁ ଅନୁଗୁଳ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଯୋଜନା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।