ଗେଲ୍‌କୁ ଭାଙ୍ଗି ଦିଆଯିବ, ପାଇପ୍‌ଲାଇନ୍ ବ୍ୟବସାୟକୁ ଅଲଗା କରାଯିବ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଗ୍ୟାସ୍‌ କଂପାନି ଗେଲ୍‌ ଇଣ୍ଡିଆ ଲିମିଟେଡ୍‌କୁ ଭାଙ୍ଗି ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ପାଇପ୍‌ଲାଇନ୍ ବ୍ୟବସାୟକୁ ଗେଲ୍‌ ଠାରୁ ସମ୍ପୂର୍ଣ୍ଣ ଅଲଗା କରି ଏକ ନୂତନ ସଂସ୍ଥା ପ୍ରତିଷ୍ଠା କରାଯିବ। ସେହି ସଂସ୍ଥାର ମାଲିକାନା ଅଂଶଧନକୁ ଅନ୍ୟ ସଂସ୍ଥାକୁ ବିକ୍ରି କରାଯିବ। ସେହି ସଂସ୍ଥା ପାଇପ୍‌ଲାଇନ୍ କାରବାର ପରିଚାଳନା କରିବ। ଯେହେତୁ ମାର୍କେଟିଂ ଓ ପାଇପ୍‌ଲାଇନ୍ କାରବାର ପାଇଁ ଗେଲ୍ ଅଲଗା ଅଲଗା ହିସାବ ଖାତା ରଖିଛି, ତେଣୁ କଂପାନିକୁ ଭାଙ୍ଗିବାରେ ବିଶେଷ ଅସୁବିଧା ହେବନାହିଁ। ଗେଲ୍‌ ହେଉଛି ଦେଶର ସବୁଠୁ ବଡ଼ ଗ୍ୟାସ୍‌ ମାର୍କେଟିଂ କଂପାନି। ଏହି ସଂସ୍ଥା ଗୋଟିଏ ପଟେ ଗ୍ୟାସ୍‌ ମାର୍କେଟିଂ କରୁଥିବା ବେଳେ ଅନ୍ୟ ପଟେ ପାଇପ୍‌ଲାଇନ୍ ପରିଚାଳନା କରୁଛି। ଏହି ଦୁଇ କାମ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର। ଦେଶରେ ବିକ୍ରି ହେଉଥିବା ୬୦% ପ୍ରାକୃତିକ ଗ୍ୟାସ ଗେଲ୍‌ ବିକ୍ରି କରୁଛି। ‌ତେବେ ପାଇପ୍‌ଲାଇନ୍‌ ବିଛାଇବାରେ କଂପାନିର ପ୍ରଦର୍ଶନକୁ ନେଇ ସରକାର ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଗେଲ୍‌ ଠାରୁ ପାଇପ୍‌ଲାଇନ୍ କାରବାରକୁ ଅଲଗା କରିବା ପଛର ଏହା ଗୋଟିଏ କାରଣ ହୋଇଥିବା ବେଳେ ଅନ୍ୟ କାରଣଟି ହେଉଛି ଗ୍ୟାସ୍‌ ଯୋଗାଣ କରୁଥିବା ସଂସ୍ଥାଗୁଡ଼ିକର ଗେଲ୍‌ ବିରୋଧରେ ବାରମ୍ବାର ଅଭିଯୋଗ।

୨୦୧୭ରେ ଗେଲ୍‌ର ମା‌ର୍କେଟିଂ କାରବାରକୁ ଅନ୍ୟ ଏକ ରାଷ୍ଟ୍ରାୟତ୍ତ କଂପାନିକୁ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିଲା। ଏବେ ଏହାର ପାଇପ୍‌ଲାଇନ୍ କାରବାରକୁ ଅଲଗା କରିବା ଉପରେ କାମ ଆରମ୍ଭ ହୋଇଛି। ଓଏନ୍‌ଜିସି ଠାରୁ ଏହାର ଗ୍ୟାସ୍‌ ବ୍ୟବସାୟକୁ ଅଲଗା କରି ୧୯୮୪ ମସିହାରେ ଗେଲ୍‌ ପ୍ରତିଷ୍ଠା କରାଯାଇଥିଲା। ଏହା ପାଖରେ ଦେଶର ୧୧,୫୦୦ କିମି ପାଇପ୍‌ଲାଇନ୍ ଥିବା ବେଳେ ଦେଶରେ ବିକ୍ରି ହେଉଥିବା ୬୦% ପ୍ରାକୃତିକ ଗ୍ୟାସ୍‌ ଏହି କଂପାନି ବିକ୍ରି କରୁଛି। ଗେଲ୍‌କୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବା ପାଇଁ ଦଶନ୍ଧୀ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ତାହା ସଫଳ ହୋଇନଥିଲା।

ସମ୍ବନ୍ଧିତ ଖବର