୭୭୨ କୋଟିର ମାଛଚାଷ ଋଣ ଠକେଇ ୫ ବର୍ଷ ତଳର ଏକ ପୁରୁଣା ମାମଲା : ଆଇଡିବିଆଇ ବ୍ୟାଙ୍କ

ଭୁବନେଶ୍ୱର: କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶିତ ‘ଆଇଡିବିଆଇ ବ୍ୟାଙ୍କରେ ୭୭୨ କୋଟି ଟଙ୍କାର ମତ୍ସ୍ୟଚାଷ ଋଣ ଠକେଇ ସଂପର୍କରେ ମୁହଁ ଖୋଲିଛି ଆଇଡିବିଆଇ ବ୍ୟାଙ୍କ । ଏହା ଏକ ପୁରୁଣା ମାମଲା ଓ ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣୁ ଏହି ଠକେଇର ପ୍ରଭାବ ଚଳିତ ବର୍ଷର ଆର୍ଥିକ ଫଳାଫଳ ଉପରେ ପଡିବ ନାହିଁ ବୋଲି ବ୍ୟାଙ୍କ କହିଛି ।

“ମତ୍ସ୍ୟଚାଷ ଋଣ ଠକେଇ ଏକ ନୂଆ ମାମଲା ନୁହେଁ। ୨୦୧୩ ରେ ଏହା ଚିହ୍ନଟ ହୋଇଥିଲା ଓ ଘୋଷଣା କରାଯାଇଥିଲା । ସେହିବର୍ଷ ଠକେଇ ନିରୀକ୍ଷଣ ରିପୋର୍ଟ ଜରିଆରେ ଏ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଥିଲା । ବ୍ୟାଙ୍କ ପୁଣି ଥରେ ଦୋହରାଉଛି ଯେ ଚିହ୍ନଟ ହୋଇଥିବା ମତ୍ସ୍ୟଚାଷ ଋଣ ଠକେଇ ପାଇଁ ପୂର୍ବରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଏହାର ଆଉ କୌଣସି ପ୍ରଭାବ ବ୍ୟାଙ୍କର ଲାଭ/ବାଲାନ୍‌ସ ସିଟ୍‌ ଉପରେ ପଡ଼ିବ ନାହିଁ।

ଅନାଦେୟ ଋଣ ଅର୍ଥ ଆଦାୟ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରହିଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଥିବା ଆଇଡିବିଆଇର ୫ଟି ଶାଖାରୁ ଜାଲ କାଗଜପତ୍ର ଦେଇ ପ୍ରାୟ ୭୭୨ କୋଟି ଟଙ୍କାର ଋଣ ଉଠାଯାଇଥିଲା । ଏସବୁ ଋଣ ୨୦୦୯ରୁ ୨୦୧୩ ମଧ୍ୟରେ ଦିଆଯାଇଥିଲା । ଏହି ଋଣ ମାଛଚାଷ ଉଦ୍ଦେଶ୍ୟରେ ନିଆଯାଇଥିଲା , କିନ୍ତୁ ଯାଞ୍ଚରୁ ଜଣାପଡିଥିଲା ଯେ ଯେଉଁ ପୋଖରୀରେ ମାଛଚାଷ କରିବା ପାଇଁ ଋଣ ନିଆଯାଇଛି ସେହି ସ୍ଥାନରେ ପୋଖରୀ ହିଁ ନାହିଁ । ଅର୍ଥାତ କାଗଜପତ୍ରରେ ପୋଖରୀ ଦେଖାଇ ଋଣ ନିଆଯାଇଛି । ରଖାଯାଇଥିବା ବନ୍ଧକର ମୂଲ୍ୟ ମଧ୍ୟ ଜାଣିଶୁଣି ଅଧିକ କରି ଦେଖାଯାଇଥିଲା । ଏହି ଠକେଇରେ ବ୍ୟାଙ୍କର ଦୁଇଜଣ କର୍ମଚାରୀ ସଂପୃକ୍ତ ଥିଲେ ।

ସମ୍ବନ୍ଧିତ ଖବର