ଶସ୍ତା ତେଲକୁ ଆମେରିକାରେ ରଖିବା ପାଇଁ ଯୋଜନା
ନୂଆଦିଲ୍ଲୀ: ଆମେରିକାରେ ଅଶୋଧିତ ତୈଳ ଦର ବହୁତ କମ୍ ରହିଛି। ସେହି ଶସ୍ତା ତେଲକୁ କିଣି ତାହାକୁ ଆମେରିକାର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖିବା ବିଷୟରେ ଭାରତ ଚିନ୍ତା କରୁଛି। ସିଏନ୍ବିସି ଟିଭି ୧୮ ସହିତ ଏକ ସାକ୍ଷାତକାରରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ତରଫରୁ ଆମେରିକାରେ ଶସ୍ତା ତେଲକୁ ଗଚ୍ଛିତ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସେହି ଢାଞ୍ଚାକୁ ଆପଣେଇବା ବିଷୟରେ ଭାରତ ବିଚାର କରୁଛି। ଚଳିତ ବର୍ଷ ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ଅଶୋଧିତ ତୈଳ ଦରରେ ୪୦ ପ୍ରତିଶତ ହ୍ରାସ ଘଟିଛି। କିନ୍ତୁ ଓପେକ୍ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ କମ୍ କରିବା ପରେ ଗତ କିଛି ସପ୍ତାହ ଭିତରେ ତାହାର ଦାମ୍ ବଢ଼ିବା ଆରମ୍ଭ ହୋଇଛି। ଶସ୍ତାରେ ଯେଉଁ ତେଲ ମିଳୁଥିଲା ତାହାକୁ କିଣି ଭାରତ ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖିଛି। ତେଲ ରଖିବା ଲାଗି ଆଉ ଦେଶ ଭିତରେ ସ୍ଥାନ କିମ୍ବା ବ୍ୟବସ୍ଥା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେଲ ରଖିବା ଲାଗି ଯେଉଁ ୫.୩୩ ନିୟୁତ ଟନ୍ର ତୈଳ ଭଣ୍ଡାର ବ୍ୟବସ୍ଥା ରହିଛି ତାହା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇସାରିଲାଣି। ତେଲ କଂପାନିଗୁଡ଼ିକର ପାଇପ୍ଲାଇନ୍, ବିଶୋଧନାଗାରରେ ଥିବା ବ୍ୟବସ୍ଥା ଓ ଡିପୋଗୁଡ଼ିକରେ ମଧ୍ୟ ତେଲ ରଖିବା ଲାଗି ଆଉ ସ୍ଥାନ ନାହିଁ। ଦେଶର ସବୁ ସ୍ଥାନରେ ତେଲ ଭର୍ତି କରିବା ପରେ ଜାହାଜଗୁଡ଼ିକରେ ତେଲ ଭର୍ତ୍ତି କରି ରଖାଯାଇଛି। ଏଭଳି ଅନେକ ଜାହାଜ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ନିକଟବର୍ତ୍ତୀ ସମୁଦ୍ରରେ ରହିଛି। ତେଲ ଗଚ୍ଛିତ ରଖିବାର ସବୁ ବିକଳ୍ପ ଶେଷ ହୋଇଯିବା ପରେ ଏବେ ବିଦେଶରେ କିଭଳି ତେଲ ରଖାଯାଇପାରିବ ତାହା ଉପରେ ବିଚାର ଚାଲିଛି। ଭାରତ ଏହାର ୮୦ ପ୍ରତିଶତ ତୈଳ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରିଥାଏ। ବର୍ତ୍ତମାନ ସୁଦ୍ଧା ଦେଶ ଭିତରେ ଓ ଜାହାଜରେ ଯେତିକି ତେଲ ଗଚ୍ଛିତ ରଖାଯାଇଛି ତାହା ଚଳିତ ବର୍ଷର ୨୦ ପ୍ରତିଶତ ଆବଶ୍ୟକତା ପୂରଣ କରିପାରିବ।