ପ୍ଲାଷ୍ଟିକ୍‌ ଶିଳ୍ପ ବନ୍ଦ, ଚାକିରି ହରାଇବେ ୩ ଲକ୍ଷ

୧୫ ହଜାର କୋଟି କ୍ଷତିହେବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ରାଜ୍ୟବ୍ୟାପୀ ପ୍ଲାଷ୍ଟିକ୍‌ ପଦାର୍ଥକୁ ନିଷିଦ୍ଧ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ଲାଷ୍ଟିକ୍‌ ଶିଳ୍ପ ପୂରାପୂରି ଛାନିଅାଁ ହୋଇଯାଇଛି। ଏଥିଯୋଗୁଁ ପାଖାପାଖି ୩ ଲକ୍ଷ ଲୋକଙ୍କ ଚାକିରି ଚାଲିବ। ଏଥିସହିତ ପ୍ଲାଷ୍ଟିକ ଶିଳ୍ପରେ ନିବେଶ ହୋଇଥିବା ୧୫ ହଜାର କୋଟି ଟଙ୍କା ବୁଡ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ମହାରାଷ୍ଟ୍ର ସରକାର ଶନିବାରଠାରୁ କାର୍ଯ୍ୟକାରୀ କରିଥିବା ନିଷ୍ପତ୍ତି ଯୋଗୁଁ ଏହି କ୍ଷତି ହେବ ବୋଲି ଭାରତୀୟ ପ୍ଲାଷ୍ଟିକ୍‌ ବ୍ୟାଗ ନିର୍ମାତା ସଂଘର ସାଧାରଣ ସମ୍ପାଦକ ନିମିତ୍‌ ପୁନାମିୟା ଆଜି କହିଛନ୍ତି। କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପ୍ଲାଷ୍ଟିକ୍‌ ନିର୍ମାତାଙ୍କ ନିକଟରେ ନାହିଁ। ତେଣୁ ମହାରାଷ୍ଟ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଭେଦଭାବପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ବନ୍ଦ କରାଯିବା ନିଷ୍ପତ୍ତି ଦ୍ୱାରା ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରଭାବିତ ହେବ। ଏଥିସହିତ ବ୍ୟାଙ୍କ ଗୁଡ଼ିକ ଅନାଦାୟ ଋଣ ରାଶି ମଧ୍ୟ ବୃଦ୍ଧି ଘଟିବ। ପ୍ଲାଷ୍ଟିକ୍‌ ସାମଗ୍ରୀର ବିକ୍ରି ଜୁନ୍‌ ୨୩ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାର ୩ ମାସ ସମୟ ଦେଇଥିଲେ। ଏହି ସମୟ ସୀମା ଶେଷ ହୋଇଯିବା ପରେ ସରକାର କଟକଣା ଲାଗୁ କରି ଦେଇଛନ୍ତି। ଥରେ ବ୍ୟବହୃତ ହେଉଥିବା ବ୍ୟାଗ, ଚାମଚ, ପ୍ଲେଟ, ବୋତଲ ଏବଂ ଥର୍ମୋକୁଲ୍‌ ସାମଗ୍ରୀର ଉତ୍ପାଦନ, ବିକ୍ରି, ବ୍ୟବହାର, ବଣ୍ଟନ ଏବଂ ମହଜୁଦ ଆଦି ଉପରେ ନିଷେଧାଦେଶ ଲଗାଇଛନ୍ତି। ପ୍ରଥମ ଥର ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ୫ ହଜାର, ଦ୍ୱିତୀୟ ଥର ଉଲ୍ଲଂଘନକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଛି। ତୃତୀୟ ଥର ଉଲ୍ଲଂଘନକାରୀମାନେ ୨୫ ହଜାର ଟଙ୍କାର ଜରିମାନା ଦେବା ସହିତ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାର ନିୟମ କରାଯାଇଛି।

ସମ୍ବନ୍ଧିତ ଖବର