ଭୁବନେଶ୍ବର: ରାଜ୍ୟରେ ଯୁବବର୍ଗଙ୍କ ମଧ୍ୟରେ ବେକାରୀ ହାର ଅଧିକ ରହିଛି। କେନ୍ଦ୍ର ସରକାର ଜାରି କରିଥିବା ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ (ପିଏଲ୍ଏଫ୍ଏସ୍) ରିପୋର୍ଟ ଅନୁସାରେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ୧୫ରୁ ୨୯ ବର୍ଷ ବୟସର ପିଲାମାନଙ୍କ ଭିତରେ ବେକାରୀ ହାର ବଢ଼ିଛି। ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହି ବେକାରୀ ହାର ୨୩.୩ ପ୍ରତିଶତ ଥିଲା। ଏହାର ପରବର୍ତ୍ତୀ ତିନି ମାସ ଅର୍ଥାତ ଏପ୍ରିଲ୍-ଜୁନ୍ରେ ତାହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ସମସ୍ତ ବୟସ ବର୍ଗରେ ଏହି ହାର ୭.୬ ପ୍ରତିଶତରୁ ବୃଦ୍ଧି ପାଇ ୯.୧ ପ୍ରତିଶତ ହୋଇଛି।
ପିଏଲ୍ଏଫ୍ଏସ୍ ରିପୋର୍ଟକୁ ଅନୁଶୀଳନ କରିବା ପରେ ସାମ୍ନାକୁ ଆସିଥିବା ଚିତ୍ର ଅନୁସାରେ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ୧୫-୨୯ ବର୍ଷ ବୟସ ବର୍ଗରେ ପୁରୁଷଙ୍କ ବେକାରୀ ହାର ୨୦.୬ ପ୍ରତିଶତରୁ ବୃଦ୍ଧି ପାଇ ୨୫.୪ ପ୍ରତିଶତ ହୋଇଛି। ସେହିପରି, ମହିଳାଙ୍କ କ୍ଷେତ୍ରରେ ଏହି ହାର ସମାନ ବୟସ ବର୍ଗରେ ୩୦ ପ୍ରତିଶତରୁ ବୃଦ୍ଧି ପାଇ ୩୩.୮ ପ୍ରତିଶତ ହୋଇଛି। ଯୁବବର୍ଗରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ବେକାର ହୋଇରହିଛନ୍ତି। ସମସ୍ତ ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୭ ପ୍ରତିଶତରୁ ବୃଦ୍ଧି ପାଇ ୮.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ ବେକାରୀ ହାର ୯.୩ ପ୍ରତିଶତରୁ ବୃଦ୍ଧି ପାଇ ୧୧.୬ ପ୍ରତିଶତ ହୋଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସାମଗ୍ରିକ ଭାବେ ଦେଖିଲେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ଅଧିକ ଜଟିଳ ରହିଛି।
ଯୁବବର୍ଗଙ୍କ ମଧ୍ୟରେ ବେକାରୀ ଅଧିକ ରହୁଥିବାର କାରଣ ସମ୍ପର୍କରେ ଓଡ଼ିଶା ଅର୍ଥନୈତିକ ସଂଘର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ କହିଛନ୍ତି ଯେ ରାଜ୍ୟରେ ଅଧିକରୁ ଅଧିକ ପିଲା ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି। ବହୁ ପିଲା ପାଠପଢ଼ୁଥିବା କାରଣରୁ ନିଯୁକ୍ତି କ୍ଷେତ୍ରକୁ ଆସିବା ବିଳମ୍ବ ହେଉଛି। ସେହିପରି ଛାତ୍ରଛାତ୍ରୀଙ୍କ ଏକ ବଡ଼ ଭାଗ ବୈଷୟିକ ଶିକ୍ଷାରେ ପ୍ରବେଶ କରିଛନ୍ତି। କିନ୍ତୁ ସମସ୍ୟା ହେଉଛି ଯେ ନିଯୁକ୍ତି ପାଇଁ ଯେଉଁ ଦକ୍ଷତା ଆବଶ୍ୟକ ତାହା ଅଧିକାଂଶ ପିଲାଙ୍କଠାରେ ନାହିଁ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ବଢ଼ିବା ପରେ ଏମିତିରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇଛି। ସେହି ସମୟରେ ନୂଆ ଦକ୍ଷତା ନଥିବା ପିଲାମାନଙ୍କୁ ସହଜରେ ଚାକିରି ମିଳୁନାହିଁ। ମୋଟ ଉପରେ ନିଯୁକ୍ତି ବଜାର ଏକ ପ୍ରକାର ମାନ୍ଦା ରହିଛି। ବିଶେଷ କରି ଘରୋଇ କ୍ଷେତ୍ରରେ ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେଉନାହିଁ। ସରକାରୀ କ୍ଷେତ୍ରରେ ଫାଙ୍କା ଥିବା ପଦଗୁଡ଼ିକ ପୂରଣ କରାଯାଉନାହିଁ। ରାଜ୍ୟର ଅର୍ଥନୀତି ପ୍ରତି ଖଣି ଓ ଧାତବ କ୍ଷେତ୍ର ଯେଉଁଭଳି ଯୋଗଦାନ ଦେଉଛନ୍ତି, ନିଯୁକ୍ତି ପ୍ରତି ସେମାନଙ୍କ ଅବଦାନ େସହି ସ୍ତରରେ ନାହିଁ। ଏହି ସବୁ କାରଣ ପାଇଁ ରାଜ୍ୟରେ ଯୁବବର୍ଗଙ୍କ ମଧ୍ୟରେ ବେକାରୀ ଅଧିକ ରହୁଥିବା ସେ କହିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ପିଲାମାନଙ୍କୁ ସ୍ବାବଲମ୍ବୀ କରିବା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ତେବେ ଶ୍ରମଶକ୍ତି ଅଂଶଗ୍ରହଣ ହାର ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ରାଜ୍ୟରେ ଅଧିକ ସଂଖ୍ୟାରେ ଲୋକ କାମଧନ୍ଦାରେ ଯୋଡ଼ିହୋଇଛନ୍ତି। ୧୫-୨୯ ବର୍ଷ ବୟସ ବର୍ଗରେ ଶ୍ରମଶକ୍ତି ଯୋଗଦାନ ହାର ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୩୯.୪ ପ୍ରତିଶତ ଥିଲା। ଏପ୍ରିଲ୍-ଜୁନ୍ ମଧ୍ୟରେ ତାହା ୪୧.୯ ପ୍ରତିଶତକୁ ବୃଦ୍ଧି ପାଇଛି। ପୁରୁଷଙ୍କ ମଧ୍ୟରେ ଏହି ହାର ୫୨ ପ୍ରତିଶତରୁ ବୃଦ୍ଧି ପାଇ ୫୪.୩ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା ୨୭.୪ ପ୍ରତିଶତ ହୋଇଛି ଯାହା ପୂର୍ବ ତିନି ମାସରେ ୨୪.୫ ପ୍ରତିଶତ ଥିଲା। ସମସ୍ତ ବୟସ ବର୍ଗରେ ଶ୍ରମଶକ୍ତି ଯୋଗଦାନ ହାର ୪୦.୧ ପ୍ରତିଶତରୁ ବୃଦ୍ଧି ପାଇ ୪୦.୭ ପ୍ରତିଶତ ହୋଇଛି। ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୭.୨ ପ୍ରତିଶତରୁ ବୃଦ୍ଧି ପାଇ ୫୭.୭ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା ୨୧.୮ ପ୍ରତିଶତରୁ ବୃଦ୍ଧି ପାଇ ୨୨.୨ ପ୍ରତିଶତ ହୋଇଛି।