ଶୀଘ୍ର ଆରମ୍ଭ ହେବ ‘ପିଏମ୍‌ ଇ-ବିଦ୍ୟା’ ପ୍ରତି ଶ୍ରେଣୀ ପାଇଁ ଟିଭି ଚ୍ୟା‌ନେଲ୍‌

ମାନସିକ ସ୍ବାସ୍ଥ୍ୟ ପାଇଁ ‘ମନୋଦର୍ପଣ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଡିଜିଟାଲ୍ ଓ ଅନ୍‌ଲାଇନ୍ ଶିକ୍ଷା ହାସଲ କରିବା ଲାଗି ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରିବେ। ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣା କରିଛନ୍ତି। ଏଥିରେ ଗୋଟିଏ ରାଷ୍ଟ୍ର, ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମ ରହିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ୍ ଶିକ୍ଷା ପାଇଁ ‘ଦିକ୍ଷା’, ଇ-ବିଷୟବସ୍ତୁ ଓ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ଥିବା ପାଠ୍ୟପୁସ୍ତକର ବ୍ୟବସ୍ଥା କରାଯିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠପଢ଼ାଇବା ଲାଗି ପ୍ରତି ଶ୍ରେଣୀ ପାଇଁ ଗୋଟିଏ ‌ଲେଖାଏଁ ଟିଭି ଚ୍ୟାନେଲ୍‌ ଖୋଲାଯିବ। ପାଠପଢ଼ାରେ ରେଡିଓ, କମ୍ୟୁନିଟି ରେଡିଓ ଓ ପୋଡ୍‌କାଷ୍ଟକୁ ବ୍ୟବହାର କରାଯିବ। ଦୃଷ୍ଟିହୀନ ଏବଂ ବଧିରମାନଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟ ଉପକରଣର ବ୍ୟବସ୍ଥା କରାଯିବ।

ଚଳିତ ମାସ ଶେଷ ସୁଦ୍ଧା ଅନ୍‌ଲାଇନ୍ କ୍ଲାସେସ୍‌ ଆରମ୍ଭ କରିବା ଲାଗି ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟକୁ ଅନୁମତି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମାନସିକ ସ୍ବାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ମନୋବୈଜ୍ଞାନିକ ଅଭିଯାନ ‘ମନୋଦର୍ପଣ’ ଆରମ୍ଭ କରାଯିବ। ସ୍କୁଲ, ଶିଶୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ନୂଆ ‘ନ୍ୟାସନାଲ୍‌ କରିକୁଲମ୍ ଆଣ୍ଡ୍ ପେଡାଗୋଗିକାଲ୍‌ ଫ୍ରେମ୍‌ୱାର୍କ’ ଅଣାଯିବ। ଏହାକୁ ବିଶ୍ବସ୍ତରର କରାଯିବ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତା ଆବଶ୍ୟକତା ସହ ଯୋଡ଼ାଯିବ। ୨୦୨୫ ସୁଦ୍ଧା ପ୍ରତିଟି ପିଲା ଯେଭଳି ପଞ୍ଚମ ଶ୍ରେଣୀ ସ୍ତର ଅତିକ୍ରମ କରିବେ ଏବଂ ସଫଳତାର ସହ ପରୀକ୍ଷାରେ କୃତକାର୍ଯ୍ୟ ହେବେ ତାହାକୁ ନିଶ୍ଚିତ କରିବା ଲାଗି ‘ନ୍ୟାସନାଲ୍ ଫାଉଣ୍ଡେସନାଲ୍‌ ଲିଟେରେସି ଆଣ୍ଡ ନ୍ୟୁମେରେସି ମିସନ’ ଆରମ୍ଭ କରାଯିବ। ଏହି ମିସନ୍‌କୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର