ମାନ୍ଦାବସ୍ଥାର ପ୍ରମାଣ, ଅର୍ଥନୀତି ସ୍ଥିତି ବିଗୁଡ଼ୁଛି

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନିର୍ମଳା, କେବେ ପ୍ୟାକେଜ ଘୋଷଣା ‌ହେବ କହିହେବନି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରକୁ ନେଇ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତି ବିଷୟରେ ମୁଣ୍ଡ ଖେଳାଇବା ଆରମ୍ଭ କରିଛନ୍ତି। ଗାଡ଼ି ଓ ରିଅଲ ଇଷ୍ଟେଟ୍‌ ବଜାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନ୍ଦାବସ୍ଥା ଲାଗି ରହିବା ପରେ ସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ଏହି ମର୍ମରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍‌କୁ ଭେଟି ଅର୍ଥନୀତିର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ କ୍ଷେତ୍ରର ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଖୁବ୍‌ଶୀଘ୍ର ଏହି ସବୁ କ୍ଷେତ୍ର ଲାଗି ସରକାର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ସୋମବାର ସୁଦ୍ଧା ସରକାର ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ଅର୍ଥନୀତିର ସ୍ଥିତି ସାଂଘାତିକ ତାହା ପ୍ରଧାନମନ୍ତ୍ରୀଙ୍କୁ ନିର୍ମଳା ଓ ତାଙ୍କ ଟିମ୍ ଅବଗତ କରିଛନ୍ତି। ଗାଡ଼ି ବଜାର, ଶିଳ୍ପ, ଏସଏମଇ, ଆର୍ଥିକ କ୍ଷେତ୍ର, ବ୍ୟାଙ୍କ ଓ ରିଅଲ ଇଷ୍ଟେଟ୍‌ ବଜାରରେ ସଙ୍କଟ, ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଆଡ଼େ ତେଲ, ସାବୁନ୍ ଓ ବିସ୍କୁଟ ଭଳି ସାମଗ୍ରୀର ବିକ୍ରି କମିବା, ସଞ୍ଚୟ ସୁଧ ହାର ହ୍ରାସ ଆଦି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥନୀତିର ଥିବା ଏହି ସବୁ ସମସ୍ୟାକୁ ପ୍ରଧାନମନ୍ତ୍ରୀ ମନ ଦେଇ ଶୁଣିଥିଲେ। ସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ଲାଗି କ’ଣ କରିବାକୁ ହେବ ବୋଲି ସେ ଅର୍ଥମନ୍ତ୍ରୀ ଓ ତାଙ୍କ ଟିମ୍‌କୁ ପ୍ରଶ୍ନ କରିଥିଲେ। ପ୍ୟାକେଜ୍ ଘୋଷଣା ଲାଗି ସରକାରଙ୍କ ପାଖରେ ଆବଶ୍ୟକ ପରିମାଣର ସମ୍ବଳ ନାହିଁ। ଅନ୍ୟ ପଟେ ଅଧିକ ବ୍ୟୟ ବିତ୍ତୀୟ ନିଅଣ୍ଟ ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ବଡ଼ ଧରଣର ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା ହେବାର କମ୍ ସମ୍ଭାବନା ରହିଛି। ତେବେ ଅର୍ଥନୀତିକୁ ଗତି ପ୍ରଦାନ କରିବା ଲାଗି ଯାହା ସମ୍ଭବ ସେହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।

ଆଜି ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ନିର୍ମଳା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରଣାଳୟ ଭିତରେ ଆଲୋଚନା ଜାରି ରହିଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି‌ ଭେଟିଥିଲୁ। ଆଗାମୀ ଦିନରେ ପୁଣି ଭେଟିବୁ। ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବା ବିଷୟରେ ଏବେ ଠାରୁ କିଛି କହିହେବ ନାହିଁ। ସମୟ ଆସିଲେ ସେ ବିଷୟରେ ଆପେ ଜଣାପଡ଼ିବ ବୋଲି ନିର୍ମଳା କହିଛନ୍ତି।

ପୁରୁଷ ଇନରଓୟାର ବିକ୍ରି ହ୍ରାସ
ମୁମ୍ବାଇ: ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବାର ପ୍ରମାଣ ମିଳିଛି। ପୁରୁଷମାନେ ପରିଧାନ କରୁଥିବା ଇନରଓୟାର ବିକ୍ରି କମିଛି। ଆମେରିକାର ଫେଡେରାଲ୍ ବ୍ୟୁରୋର ପୂର୍ବତନ ମୁଖ୍ୟ ଆଲାନ ଗ୍ରିନ୍‌ସ୍ପାନ୍‌ଙ୍କ ‘ମେନ୍‌ସ ଇନରଓୟାର ଇଣ୍ଡେକ୍ସ’ ଅନୁସାରେ ଏହା ହେଉଛି ମାନ୍ଦାବସ୍ଥାର ଏକ ସଙ୍କେତ। ୧୯୭୦ରେ ସେ ଏହି ସୂଚୀ ଉପସ୍ଥାପନ କରିଥିଲେ। ତାଙ୍କ ମତରେ ପୁରୁଷଙ୍କ ଇନରଓୟାର ବିକ୍ରି କମିବା ହେଉଛି ଅର୍ଥନୀତିର ଦୁର୍ବଳ ଅବସ୍ଥା।

କେଶ ତେଲ, ବାଇକ ବିକ୍ରି ବି କମିଲା
ନୂଆଦିଲ୍ଲୀ: ଭାରତୀୟମାନେ ଖର୍ଚ କମାଇ ଦେଇଛନ୍ତି। କେଶ ତେଲ ଠାରୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ କୌଣସି ଜିନିଷ ପାଇଁ ସେମା‌ନେ ପକେଟ୍‌ରୁ ଟଙ୍କା ବାହାର କରିବାକୁ ଚାହୁନାହାନ୍ତି। ଏହି ସବୁ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡ଼ିକର ଦୁର୍ବଳ ଅବସ୍ଥାରୁ ଏହା ଜଣାପଡ଼ିଛି। ବାଇକ୍ ନିର୍ମାଣ କରୁଥିବା ଦେଶର ସବୁଠୁ ବଡ଼ କଂପାନି ହିରୋ ମୋ‌ଟୋକର୍ପ ଏହର କାରଖାନାକୁ ତିନି ଦିନ ପାଇଁ ବନ୍ଦ କରିଛି। ଏହାର କାରଣ ହେଉଛି ବଜାର ସ୍ଥିତି ଭଲ ନାହିଁ ଓ କଂପାନି ଯେଉଁ ଯାନ ନିର୍ମାଣ କରିଥିଲା ତାହା ବିକ୍ରି ନହୋଇ ପଡ଼ିରହିଛି। ସେହି ସମୟରେ ଗାଡ଼ି ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଯୋଗାଉଥିବା ସୁନ୍ଦରମ୍-କ୍ଲେଟନ୍‌ ମଧ୍ୟ ଏହାର କାରଖାନାକୁ ବନ୍ଦ କରିଛି।

ସମ୍ବନ୍ଧିତ ଖବର