ବିଦେଶୀ ନିବେଶକଙ୍କୁ ମୋଦୀଙ୍କ ଆମନ୍ତ୍ରଣ : ଆମେରିକାରେ ବିଛାଇଲେ ଲାଲ୍‌ ଗାଲିଚା

‘ଅସୁବିଧା ହେଲେ ମୋତେ ଜଣାଇବ, ମୁଁ ବୁଝିବି’

ନ୍ୟୁୟର୍କ : ଭାରତରେ ଆସି ନିବେଶ କରିବାକୁ ଆମେରିକାର ନୁୟର୍କ ସହରର ଏକ ବଡ଼ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ବର ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ବ୍ଲୁମବର୍ଗ ଗ୍ଲୋବାଲ୍ ବିଜନେସ୍ ଫୋରମ୍‌ରେ ଉଦ୍‌ବୋଧନ ଦେଇ ନିବେଶକଙ୍କୁ ଭାରତ ଆସି ନିବେଶ କରିବାକୁ କହିଛନ୍ତି। କିଛି ଯଦି ଅସୁବିଧା ହେବ ତେବେ ମୋତେ ସିଧା ଜଣାଇବ। ମୁଁ ବ୍ୟକ୍ତିଗତ ଭାବେ ଆପଣମାନଙ୍କ କଥା ବୁଝିବି ସେ ନିବେଶକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତରେ କଂପାନି ଟିକସ ହ୍ରାସ ହେବା ପରେ ନିବେଶକଙ୍କ ପାଇଁ ସରକାର ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛନ୍ତି। ଯଦି ଆପଣମାନେ ଏକ ବୃହତ ବଜାରରେ ନିବେଶ କରିବାକୁ ଚାହୁଛନ୍ତି ତେବେ ଭାରତ ଆସନ୍ତୁ। ଯଦି ଏକ ବଡ଼ ବଜାରର ଷ୍ଟାର୍ଟ-ଅପ୍‌ ସଂସ୍ଥାରେ ନିବେଶ କରିବାକୁ ଚାହୁଛନ୍ତି, ତେବେ ଭାରତ ଆସନ୍ତୁ। ଯଦି ବିଶ୍ବର ସର୍ବବୃହତ ଭିତ୍ତିଭୂମିରେ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି, ତେବେ ଭାରତ ଆସନ୍ତୁ ବୋଲି ସେ ବିଶ୍ବ ସ୍ତରରେ କାରବାର କରୁଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ଉଦ୍ଦେଶ୍ୟରେ କହିଛନ୍ତି।

‌ଭାରତରେ ୪ଡି ରହିଛି। ତାହା ହେଉଛି ଗଣତନ୍ତ୍ର (ଡେମୋକ୍ରାସି), ଜନସଂଖ୍ୟାର (ଡେମୋଗ୍ରାଫି) ଲାଭ, ଚାହିଦା (ଡିମାଣ୍ଡ୍‌) ଓ ନିଷ୍ପତ୍ତି ନେବାର ଆଗ୍ରହ (ଡିସିସିଭ୍‌ନେସ୍‌) ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯାହା ସାରା ଦୁନିଆ ଚାହୁଛି ତାହା ଆମେ ଦେଇପାରିବା। ଆପଣମାନଙ୍କ ପଦ୍ଧତି ଏବଂ ଆମର ମାନବ ସମ୍ବଳ ମିଳିତ ଭାବେ ଦୁନିଆକୁ ନୂଆ ପଥ ପ୍ରଦର୍ଶନ କରିପାରିବ। ଯଦି କେଉଁଠାରେ ଅସୁବିଧା ହେବ, ମୁଁ ବ୍ୟକ୍ତିଗତ ଭାବେ ସେଠାରେ ସେତୁ ଭଳି କାମ କରିବି ବୋଲି ନିବେଶକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଭାରତରେ ହେଉଥିବା ସହରୀକରଣର ବିକାଶ ବିଷୟରେ ସେ କହିଛନ୍ତି ଯେ, ଭାରତରେ ଦ୍ରୁତ ଗତିରେ ସହରଗୁଡ଼ିକର ଆଧୁନିକୀକରଣ ହେଉଛି ଏବଂ ସେଠାରେ ସଦ୍ୟତମ ପ୍ରଯୁକ୍ତି ଏବଂ ନାଗରିକ ମିତବ୍ୟୟୀ ଭିତ୍ତିଭୂମି ଯୋଗ କରାଯାଉଛି। ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଉନ୍ମୁକ୍ତ କରିଛି। ବ୍ୟବସାୟ ବାତାବରଣକୁ ସହଜ କରିବା ଲାଗି ଆମ ସରକାର ୫୦ରୁ ଅଧିକ ନିୟମକୁ ଉଚ୍ଛେଦ କରିଛି। ଏବେ ଯେଉଁ ସରକାର ରହିଛି ତାହା ବ୍ୟବସାୟ ଦୁନିଆ ଓ ସମ୍ପତ୍ତି ସୃଷ୍ଟିକୁ ବହୁତ ମୂଲ୍ୟ ଦେଉଛି। ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏହି ସବୁ ଦୃଷ୍ଟିରୁ ଆପଣମାନଙ୍କ ପାଇଁ ଭାରତରେ ବିପୁଳ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂପାନି ଟିକସକୁ ୩୦ରୁ ୨୨%କୁ ହ୍ରାସ କରିଛନ୍ତି। ଫଳରେ କଂପାନି ଟିକସ ଦୃଷ୍ଟିରୁ ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର