ପିଏମ୍ ପେନସନ ଯୋଜନା : ପେନ୍‌ସନ୍ ପାଇଁ ଚାଷୀ ଦେବେ ମାସକୁ ୧୦୦

ନୂଆଦିଲ୍ଲୀ: ମୋଦୀ ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ କୃଷକମାନଙ୍କ ପାଇଁ ପେନସ‌ନ ଯୋଜନା ଘୋଷଣା କରିଛନ୍ତି। ଶପଥ ନେବା ପରେ ସରକାର କୃଷକଙ୍କୁ ପେନସନ୍ ପ୍ରଦାନ ଲାଗି ଘୋଷଣା କରିଥିଲେ। କୃଷକମାନଙ୍କୁ ୬୦ ବର୍ଷ ହେବା ପରେ ସେମାନଙ୍କୁ ମାସିକ ୩୦୦୦ ଟଙ୍କାର ପେନସନ୍ ମିଳିବ। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଏବେ ପଦାକୁ ଆସିଛି। ପ୍ରଧାନମନ୍ତ୍ରୀ କିସାନ ପେନସନ ଯୋଜନାର ହିତାଧିକାରୀ ହେବା ଲାଗି ଯେଉଁ କୃଷକମାନେ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ମାସିକ ୧୦୦ ଟଙ୍କାର ଯୋଗଦାନ ଦେବାକୁ ହେବ। କେନ୍ଦ୍ର ସରକାର ମଧ୍ୟ ସମାନ ପରିମାଣର ଅର୍ଥ ଅର୍ଥାତ୍ ମାସକୁ ୧୦୦ ଟଙ୍କା ପ୍ରଦାନ କରିବେ। ଏହାକୁ ନେଇ କୃଷକମାନଙ୍କ ପେନସନ ପାଣ୍ଠି ତିଆରି ହେବ। ‌ଉକ୍ତ ପେନସନ ପାଣ୍ଠିକୁ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପରିଚାଳନା କରିବ। କୃଷକଙ୍କୁ ପେନସନ ପ୍ରଦାନ ସଂକ୍ରାନ୍ତ ଯୋଜନା ଉପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର କୃଷିମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଯଥାଶୀଘ୍ର ଏହି ଯୋଜନାକୁ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଗୁଡ଼ିକୁ ଅନୁରୋଧ କରିଛନ୍ତି। ୧୮ରୁ ୪୦ ବର୍ଷ ବୟସ ବର୍ଗରେ ଥିବା କୃଷକଙ୍କୁ ଏହି ଯୋଜନାରେ‌ ସାମିଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉକ୍ତ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କୁହାଯାଇଛି। ପିଏମ-କିସାନ ଯୋଜନା ଅଧୀନରେ ୧୮ରୁ ୪୦ ବର୍ଷ ବୟସର କୃଷକଙ୍କୁ ସାମିଲ କରାଯାଉଥିବାବେଳେ ମଧ୍ୟମାନ ବୟସ ୨୯ ବର୍ଷର ଜଣେ କୃଷକଙ୍କୁ ଏଥିପାଇଁ ମାସିକ ୧୦୦ ଟଙ୍କା ଯୋଗଦାନ ଦେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଉକ୍ତ ଯୋଜନାରେ ଯୋଗ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ୬୦ ବର୍ଷରେ ପଦାର୍ପଣ କଲେ ସେମାନଙ୍କୁ ମାସିକ ୩୦୦୦ ଟଙ୍କାର ପେନସନ୍ ପ୍ରଦାନ କରାଯିବ। ପିଏମ୍ କିସାନ୍ ଯୋଜନାରେ କୃଷକମାନେ ଯେଉଁ ଅର୍ଥ ପାଇବେ ସେଥିରୁ ମଧ୍ୟ ସିଧାସଳଖ ପେନସନ ବାବଦ ପ୍ରିମିୟମ ରାଶି ଦେବା ନେଇ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର