ପିଏମ୍‌ ଗତି ଶକ୍ତି ଘୋଷଣା: ୧୦୦ ଲକ୍ଷ କୋଟିର ଯୋଜନା, ଓଡ଼ିଶା ଗ୍ରହଣ କରିବ

ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ପିଏମ୍‌ ଗତି ଶକ୍ତି ଯୋଜନାକୁ ଓଡ଼ିଶା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ‌ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପିଏମ୍‌ ଗତି ଶକ୍ତି-ନ୍ୟାସନାଲ୍‌ ମାଷ୍ଟର୍‌ ପ୍ଲାନ୍‌ ସହ ସମନ୍ବିତ ହୋଇ ସେଥିରେ ଥିବା ବିଭିନ୍ନ ପ୍ରକାର ସୁବିଧା ହାସଲ କରିବାକୁ ମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ସଡ଼କ, ବନ୍ଦର, ବିମାନ ଚଳାଚଳ, ଶକ୍ତି ଓ ଟେଲିକମ୍ ଭଳି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସମନ୍ବୟ ଦ୍ବାରା ମାନୁଫାକ୍‌ଚରିଂ ଓ ରପ୍ତାନି ଭଳି କ୍ଷେତ୍ରର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇବ। ଓଡ଼ିଶାକୁ ଏକ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାରେ ତାହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ବୈଠକରେ ଇପିକଲ୍ ଏମ୍‌ଡି ଭୁପିନ୍ଦର ସିଂହ ପୁନିଆ, ପିପିଟିର ଅଧ୍ୟକ୍ଷ ପି ଏଲ୍‌ ହରାନଦ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ପିଏମ୍‌ ଗତି ଶକ୍ତି-ନ୍ୟାସନାଲ୍ ମାଷ୍ଟର ପ୍ଲାନ୍ ହେଉଛି ଏକ ୧୦୦ ‌ଲକ୍ଷ କୋଟି ଟଙ୍କାର ଯୋଜନା। ଏଥିରେ ୨୦୨୪-୨୫ ସୁଦ୍ଧା ଅନେକ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ହେବ। ଜାତୀୟ ରାଜପଥକୁ ୨ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବଢ଼ାଇବା, ୨୦୦ରୁ ଅଧିକ ବିମାନ ବନ୍ଦର, ହେଲିପୋର୍ଟ ଓ ୱାଟର୍‌ ଏରୋଡ୍ରୋମ୍ ସ୍ଥାପନ କରିବା ଏବଂ ଗ୍ୟାସ୍‌ ପାଇପ୍‌ଲାଇନ୍‌କୁ ୩୫,୦୦୦ କିମି ପର୍ଯ୍ୟନ୍ତ ବଢ଼ାଇବା‌ ଲାଗି ଏହି ଯୋଜନାରେ ଉଦ୍ୟମ କରାଯିବ। ଏକ ଡିଜିଟାଲ୍ ବ୍ୟବସ୍ଥା ବିକଶିତ କରାଯିବ ଯାହା ଅଧୀନରେ ରେଳ ଓ ରାଜପଥ ଭଳି ୧୬ଟି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ରହିବ। ଏହି ପ୍ଲାଟଫର୍ମରେ ଉପଗ୍ରହ ଚିତ୍ର, ଭିତ୍ତିଭୂମି, ୟୁଟିଲିଟି, ପ୍ରଶାସନିକ ସୀମା, ଜମି ତଥା ଲଜିଷ୍ଟିକ୍ ଆଦି ସୁବିଧା ପ୍ରଦାନ କରାଯିବ। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଲଜିଷ୍ଟିକ୍ସ ବିଭାଗ ଏହି ଯୋଜନାର ନେତୃତ୍ବ ନେବ। କ୍ୟାବିନେଟ୍ ସଚିବଙ୍କ ନେତୃତ୍ବରେ ସଚିବମାନଙ୍କୁ ନେଇ ଗଠନ କରାଯାଇଥିବା କମିଟି ଯୋଜନା ଅଗ୍ରଗତିର ସମୀକ୍ଷା କରିବ।

ସମ୍ବନ୍ଧିତ ଖବର