ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରଖାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ୨.୯୫ କୋଟି ଆବାସ ନିର୍ମାଣ କରିବାକୁ ଯୋଜନା ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୧ ନଭେମ୍ବର ୨୯ ସୁଦ୍ଧା ୧.୬୫ କୋଟି ଗୃହ ନିର୍ମାଣ କରାଯାଇଛି। ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ୨.୦୨ କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆକଳନ କରାଯାଇଛି। ଅବଶିଷ୍ଟ ୧୫୫.୭୫ ଲକ୍ଷ ଗୃହ ନିର୍ମାଣ ଲାଗି କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିବେ। ଏବାବଦରେ ୨,୧୭,୨୫୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।
କେନ୍ଦ୍ର ସରକାର ୧,୨୫,୧୦୬ କୋଟି ଟଙ୍କା ଓ ରାଜ୍ୟ ସରକାର ୭୩,୪୭୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ବ୍ୟତୀତ ନାବାର୍ଡକୁ ସୁଧ ପଇଠ କରିବା ଲାଗି ଅତିରିକ୍ତ ୧୮,୬୭୬ କୋଟି ଟଙ୍କା ଦରକାର ପଡ଼ିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ୨୦୨୪ ପର୍ଯ୍ୟନ୍ତ ଜାରି ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ଦ୍ବାରା ଓଡ଼ିଶା ସମେତ ଦେଶର ସବୁ ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ଆଜିର ବୈଠକରେ କେନ୍-ବେତ୍ବା ନଦୀକୁ ସଂଯୋଗ କରିବାର ଯୋଜନାକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ବୁନ୍ଦେଲଖଣ୍ଡ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/20-11.jpg)