ପିଏମ୍‌ସି ବ୍ୟାଙ୍କ ଜାଲିଆତି, ଶକ୍ତିକାନ୍ତଙ୍କ ସହ କଥାହେଲେ ନିର୍ମଳା

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ (ପିଏମସି) ବ୍ୟାଙ୍କର ଜମାକାରୀମାନଙ୍କ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ଗ୍ରାହକମାନଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଶକ୍ତିକାନ୍ତ ନିର୍ମଳାଙ୍କୁ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନିର୍ମଳା କହିଛନ୍ତି। ଏହି ବ୍ୟାଙ୍କର ଜାଲିଆତି ପଦାକୁ ଆସିବା ପରେ ଗତ ମାସରେ ରିଜର୍ଭ ବ୍ୟାଙ୍କ ଏହା ବିରୋଧରେ କଟକଣା ଜାରି କରିଛି। ପ୍ରଥମେ ଜମାକାରୀଙ୍କୁ ମାତ୍ର ୧ ହଜାର ‌ଟଙ୍କା ଲେଖାଏଁ ଉଠାଇବା ଅନୁମତି ଦେଇଥିବାବେଳେ ପରେ ଏହି ସୀମାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସଂକଟ ପରେ ଚେତିଲା ରିଜର୍ଭ ବ୍ୟାଙ୍କ, ସମବାୟ ବ୍ୟାଙ୍କ୍‌ର ରିପୋର୍ଟଂ ବ୍ୟବସ୍ଥା ବଦଳିଲା
ମୁମ୍ବାଇ: ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ (ପିଏମସି) ବ୍ୟାଙ୍କର ଜାଲିଆତି ପଦାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କର ଚେତା ପଶିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମବାୟ ବ୍ୟାଙ୍କ ଗୁଡ଼ିକର ରିପୋର୍ଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସମବାୟ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଦୈନନ୍ଦିନ ବ୍ୟବସାୟର ରିପୋର୍ଟିଂ ଇ-ମେଲ୍ ମାଧ୍ୟମରେ କରୁଥିଲେ। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି। ୱେବଭିତ୍ତିକ କେନ୍ଦ୍ରୀୟ ରିପୋର୍ଟିଂ ବ୍ୟବସ୍ଥା ପ୍ରଚଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାହେଲେ ସମବାୟ ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ଇନଫର୍ମେସନ ସିଷ୍ଟମ୍ ଫର୍ ବ୍ୟାଙ୍କିଙ୍ଗ୍ ଇନଫ୍ରାଷ୍ଟ୍ରକଚର (ସିଆଇଏସବିଆଇ)କୁ ଉପଯୋଗ କରିବେ। ଏହା ହେଉଛି ଏକ ଅନଲାଇନ୍ ପୋର୍ଟାଲ। ଏଥିରେ ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ଶାଖା ଗୁଡ଼ିକୁ ବେସିକ୍ ଷ୍ଟାଟିଷ୍ଟିକାଲ ରିଟର୍ଣ୍ଣ (ବିଏସଆର) କୋଡ୍ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର