ପିଏମ୍‌ସି ବ୍ୟାଙ୍କ ଜାଲିଆତି: ଦୁଇ ଅଭିଯୁକ୍ତ ଗିରଫ

ଏଚ୍‌ଡିଆଇଏଲ୍‌ର ଏମ୍‌ଡି, ସିଇଓଙ୍କୁ ବାନ୍ଧିଲା ଇଡବ୍ଲୁଓ, ୩୫୦୦ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ (ପିଏମ୍‌ସି ବ୍ୟାଙ୍କ) ହୋଇଥିବା ବଡ଼ ଧରଣର ଜାଲିଆତି ମାମଲାରେ ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳୁ) ହାଉସିଂ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର୍‌ ଲିମିଟେଡ୍‌ (ଏଚ୍‌ଡିଆଇଏଲ୍‌)ର ଏମ୍‌ଡି ରାକେଶ ୱାଧୱ‌ାନ ଓ ସିଇଓ ସାରଙ୍ଗ ୱାଧୱାନଙ୍କୁ ଗିରଫ କରିଛି। ଏଥି ସହିତ ଏହି କଂପାନିର ୩୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ। ଏହି ଦୁଇ ବ୍ୟକ୍ତି ଯେଭଳି ଦେଶ ଛାଡ଼ିବାରେ ସଫଳ ନହୁଅନ୍ତି ତାହାକୁ ନିଶ୍ଚିତ କରିବା ଲାଗି ସେମାନଙ୍କ ନାମରେ ବହୁ ପୂର୍ବରୁ ସର୍କୁଲାର ନୋଟିସ୍ ଜାରି କରାଯାଇଥିଲା।

ପିଏମ୍‌ସି ବ୍ୟାଙ୍କରେ ଯେଉଁ ସଙ୍କଟ ଦେଖାଦେଇଛି ସେଥିପାଇଁ ଏହି ରିଅଲ ଇଷ୍ଟେଟ୍‌ ସଂସ୍ଥାକୁ ଦାୟୀ କରାଯାଉଛି। ବ୍ୟାଙ୍କ ତରଫରୁ ଏହି କଂପାନିକୁ ୬୫୦୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ସେହି ମାମଲାକୁ ରିଜର୍ଭ ବ୍ୟାଙ୍କ ନଜରରୁ ବ୍ୟା‌ଙ୍କ ଲୁଚାଇ ରଖିଥିଲା। ଏହି ଋଣକୁ ଏନ୍‌ପିଏ ବର୍ଗରେ ସାମିଲ କରାଯାଉନଥିଲା। ପାଖାପାଖି ୨୧ ହଜାରଟି ନକଲି ଖାତା ଖୋଲି ଏଚ୍‌ଡିଆଇଏଲ୍‌ର ଋଣ ଉପରେ ପରଦା ପକାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ପିଏମ୍‌ସି ବ୍ୟାଙ୍କର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ ଏହି ମାମଲା ବିଷୟରେ ଗୋପନରେ ରିଜର୍ଭ ବ୍ୟାଙ୍କକୁ ଅବଗତ କରିଥିଲେ। ସେ ବ୍ୟାଙ୍କର ବାଲାନ୍ସ ସିଟ୍‌କୁ ମଧ୍ୟ ପଠାଇ ଦେଇଥି‌ଲେ। ଯେତେବେଳେ ରିଜର୍ଭ ବ୍ୟାଙ୍କ ତରଫରୁ ମାମଲାର ତଦନ୍ତ ଆରମ୍ଭ କରାଗଲା ସବୁ ସତ ସାମ୍ନାକୁ ଆସିଯାଇଥିଲା। ଏହା ପରେ ପିଏମ୍‌ସି ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହା ଉପରେ ୬ ମାସର କଟକଣା ଜାରି କରାଯାଇଛି। ଗ୍ରାହକମାନେ ୧୦୦୦ ଟଙ୍କା ଉଠାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଥିଲା ଯାହାକୁ ପରବର୍ତ୍ତି ସମୟରେ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଲାଗି ଟଙ୍କା ଉଠାଣ ସୀମାକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଥିଲା ଯେ ବ୍ୟାଙ୍କ ଶିଳ୍ପରେ କୌଣସି ସଙ୍କଟ ନାହିଁ। ସମସ୍ତଙ୍କ ଟଙ୍କା ସୁରକ୍ଷିତ। ଗ୍ରାହକଙ୍କୁ ଭୟ କରିବାର କୌଣସି କାରଣ ନାହିଁ।

ଖୋଳତାଡ଼ କରିବା ପରେ ପିଏମ୍‌ସି ବ୍ୟାଙ୍କର ସଙ୍କଟ ଲାଗି ଏଚ୍‌ଡିଆଇଏଲ୍‌ ଦାୟୀ ବୋଲି ଜଣାପଡ଼ିଥିଲା। ପିଏମ୍‌ସି ବ୍ୟାଙ୍କର ନିଲମ୍ବିତ ହୋଇଥିବା ଏମ୍‌ଡି ଜୟ ଥୋମାସ୍ ରିଜର୍ଭ ବ୍ୟାଙ୍କକୁ ଜଣାଇଛନ୍ତି ଯେ, ଏଚ୍‌ଡିଆଇଏଲ୍‌କୁ ଯେଉଁ ମୋଟା ଅଙ୍କର ଋଣ ଦିଆଯାଇଥିଲା ସେ ବିଷୟରେ ବୋର୍ଡ ସଦସ୍ୟଙ୍କୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଅବଗତ କରିନଥିଲେ।

ସମ୍ବନ୍ଧିତ ଖବର