ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୩୨ ହଜାର ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ

ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଆଜି ୩୨ ହଜାର ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ମୁମ୍ବାଇର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଏହି ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଏଥିରେ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଜୟ ଥୋମାସ, ପୂର୍ବତନ ଅଧ୍ୟକ୍ଷ ୱାରିୟାମ ସିଂହ, ପୂର୍ବତନ ନିର୍ଦ୍ଦେଶକ ସୁରଜିତ୍ ସିଂହ ଅରୋରାଙ୍କ ସମେତ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ(ଏଚଡିଆଇଏଲ)ର ପ୍ରତିଷ୍ଠାତା ରାକେଶ ୱାଧୱନ ଏବଂ ସରାଙ୍ଗ ୱାଧୱାନଙ୍କ ନାମ ରହିଛି। ଆଇପିସିର ବିଭିନ୍ନ ଧାରାରେ ଠକେଇ, ପ୍ରମାଣ ନଷ୍ଟ ଆଦି ଦଫା ଲଗାଯାଇଛି। ଏହି ଦୁର୍ନୀତି ଅଭିଯୋଗ ଗତ ସେପ୍ଟେମ୍ବର ମାସରେ ପଦାକୁ ଆସିବା ପରେ ଉପରୋକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ୫ ଜଣଙ୍କ ବ୍ୟତୀତ ୭ ଜଣ ବ୍ୟାଙ୍କ ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗଫର୍ଦ୍ଦ ପରେ ଦାଖଲ ହେବ ବୋଲି ଜଣାଯାଇଛି। ଆଜି ଦାଖଲ ହୋଇଥିବା ଅଭିଯୋଗଫର୍ଦ୍ଦରେ ୩୪୦ ଜଣ ସାକ୍ଷୀଙ୍କ ବୟାନ ରହିଛି।

ସମ୍ବନ୍ଧିତ ଖବର