ପିଏମ୍‌ସି ବ୍ୟାଙ୍କ ଜାଲିଆତି, ଏଚ୍‌ଡି‌ଆଇଏଲ୍‌ ମାଲିକଙ୍କ ୧୨ ଦାମୀ କାର୍‌ ଜବତ

ମୁମ୍ବାଇ: ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର ବ୍ୟାଙ୍କ (ପିଏମ୍‌ସି ବ୍ୟାଙ୍କ) ଜାଲିଆତି ମାମଲାରେ ଗିରଫ ହୋଇଥିବା ରିଅଲ ଇଷ୍ଟେଟ୍‌ ସଂସ୍ଥା ହାଉସିଂ ଡେଭେଲପମେଣ୍ଟ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍‌ଚର୍‌ ଲିମିଟେଡ୍ (ଏଚ୍‌ଡି‌ଆଇଏଲ୍‌) ମାଲିକଙ୍କ ଦାମୀ କାର୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ଜବତ କରାଯାଇଛି। ଛଅଟି ସ୍ଥାନରେ ଚଢ଼ଉ କରି ଇଡି ପକ୍ଷରୁ ୬ କୋଟଇ ଟଙ୍କା ମୂଲ୍ୟର ଦୁଇଟି ରୋଲସ୍‌ ରଏସ୍‌ ଏବଂ ଦୁଇ କୋଟି ଟଙ୍କିଆ ବେଣ୍ଟଲି କଣ୍ଟିନେଣ୍ଟାଲ୍ ଜିଟି ଗାଡ଼ି ଜବତ କରାଯାଇଛି। ଏଚ୍‌ଡିଆଇଏଲ୍‌ର ମାଲିକ ରାକେଶ ୱାଧୱାନ ଓ ତାଙ୍କ ପୁଅ ସାରଙ୍ଗ ୱାଧୱାନ ଏହି ଦାମୀ ଗାଡ଼ିଗୁଡ଼ିକୁ ବ୍ୟବହାର କରୁଥିଲେ। ଏହା ବ୍ୟତୀତ ଇଡି ତରଫରୁ ଦୁଇଟି ରେଞ୍ଜ୍‌ ରୋଭର୍‌, ଗୋଟିଏ ମର୍ସିଡିସ୍‌ ବେଞ୍ଜ୍‌ ଏବଂ ଗୋଟିଏ ବିଏମ୍‌ଡବ୍ଲୁକୁ ମଧ୍ୟ ଜବତ କରାଯାଇଛି। ୱାଧୱାନଙ୍କ ବାସଭବନରେ ଚଢ଼ଉ ବେଳେ ଏହି କାର୍‌ ସବୁ ଜବତ କରାଯାଇଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ୱାଧୱାନ ବାପ ପୁଅଙ୍କୁ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳୁ) ତରଫରୁ ଗିରଫ କରାଯାଇଥିଲା। ଏହା ପରେ ଇଡି ପକ୍ଷରୁ ସେମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

ୱାନୱାନ ବାପପୁଅଙ୍କ ବିରୋଧରେ ଅଭିଯୋଗ ଅଛି ଯେ ସେମାନେ ପିଏମ୍‌ସି ବ୍ୟାଙ୍କର କିଛି ଅଧିକାରୀଙ୍କୁ ହାତ କରି ୬୫୦୦ କୋଟି ଟଙ୍କାର ଋଣ ନେଇଥିଲେ। ତାହାକୁ ଆଉ ପରିଶୋଧ କରିନଥିଲେ। ସେହି ଋଣକୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଚାଇବାକୁ ପ୍ରୟାସ କରିଥିଲେ। ଏଭଳିକି ୨୧ ହଜାର ନକଲି ଖାତା ମଧ୍ୟ ଖୋଲାଯାଇଛି। ବିଳମ୍ବରେ ହେଲେ ମଧ୍ୟ ବ୍ୟାଙ୍କରେ ହୋଇଥିଲା ଏହି ଜାଲିଆତି ଖବର ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ପହଞ୍ଚିଯାଇଥିଲା। ଏହା ପରେ ବ୍ୟାଙ୍କ ଉପରେ ଛଅ ମାସର କଠୋର କଟକଣା ଲଗାଯାଇଥିବା ବେଳେ ଗ୍ରାହକଙ୍କ ପାଇଁ ମଧ୍ୟ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଥିଲେ ଯାହା ଧୀରେ ଧୀରେ କୋହଳ ହୋଇ ୨୫ ହଜାର ଟଙ୍କା ହୋଇଗଲାଣି। ଏହି ମାମଲାରେ ପିଏମ୍‌ସି ବ୍ୟାଙ୍କର ନିଲମ୍ବିତ ହୋଇଥିବା ପରିଚାଳନା ନିର୍ଦେଶକ ଜୟ ଥୋମାସ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର