ପିଏନ୍‌ବି ଠକେଇ: ମାମୁ, ଭଣଜାଙ୍କୁ ସିବିଆଇର ସାନି ସମନ୍‌

ଭାରତ ଫେରିବା ଅସମ୍ଭବ: ଚୋକ୍‌ସି

ନୂଆଦିଲ୍ଲୀ: ଆଜି ସିବିଆଇ ପକ୍ଷରୁ ପିଏନ୍‌ବି ଠକେଇର ଦୁଇ ମୁଖ୍ୟ ଅଭିଯୁକ୍ତ ଭଜଣା ନିରବ ମୋଦି ଏବଂ ମାମୁ ମେହୁଲ ଚୋକ୍‌ସିଙ୍କୁ ସାନି ସମନ୍‌ ଜାରି କରାଯାଇଛି। ତଦନ୍ତରେ ସାମିଲ ହେବାକୁ ସେମାନେ ବାଧ୍ୟ ବୋଲି ସିବିଆଇ ତାଙ୍କୁ ଜଣାଇ ଦେଇଛି। ପୂର୍ବରୁ ଏହି ଦୁଇ ଅଭିଯୁକ୍ତଙ୍କୁ ସିବିଆଇ ତିନି ଥର ସମନ ଜାରି କରିଥିଲା। କିନ୍ତୁ ସେମାନେ ତଦନ୍ତରେ ସହଯୋଗ କରୁନାହାନ୍ତି। ତଦନ୍ତରେ ସାମିଲ ହୋଇପାରିବେ ନାହିଁ ବୋଲି ଉଭୟ ନିରବ ଏବଂ ମେହୁଲ ଯେଉଁ କାରଣ ଦର୍ଶାଇଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି ସିବିଆଇ କହିଛି। ନିରବ ଏବଂ ଚୋକ୍‌ସି କେଉଁଠାରେ ଅଛନ୍ତି ତାହା କେହି ଜାଣିନାହାନ୍ତି। ନିଜର ପ୍ରକୃତ ଠିକଣା ଜଣାଉନଥିବାରୁ ଉଭୟଙ୍କ ଉପରେ ସିବିଆଇ ବିରକ୍ତ ହୋଇଛି।

ଏହା ପୂର୍ବରୁ ଜାରି ହୋଇଥିବା ସମନର ଉତ୍ତର ଚୋକ୍‌ସି ଏକ ସାତ ପୃଷ୍ଠାର ଇ-ମେଲ୍‌ ମାଧ୍ୟମରେ ଦେଇଛନ୍ତି। ଯେହେତୁ ମୋର ପାସପୋର୍ଟକୁ ରଦ୍ଦ କରାଯାଇଛି ତେଣୁ ମୁଁ ଭାରତ ଫେରିପାରିବି ନାହିଁ କିମ୍ବା ତଦନ୍ତରେ ସାମିଲ ହୋଇପାରିବି ନାହିଁ ବୋଲି ଚୋକ୍‌ସି ଜଣାଇଛନ୍ତି। ସେ କହିଛନ୍ତି ଯେ କିଛି ଦିନ ହେଲାଣି ମୋର ସ୍ୱାସ୍ଥ୍ୟ ଭଲନାହିଁ। ହୃଦରୋଗର ଚିକିତ୍ସା ଚାଲିଛି। ଫେବ୍ରୁଆରି ପ୍ରଥମ ସପ୍ତାହାରୁ ଚିକିତ୍ସା ଆରମ୍ଭ ହୋଇଛି। କିଡ୍‌ନି ପ୍ରତି ବିପଦ ଥିବାରୁ ଯାତାୟାତ କରିବାକୁ ମୋତେ ମନା କରାଯାଇଛି। ମୋର ଏହି ଚିକିତ୍ସା ଆହୁରି ଚାରି ଛଅ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଚୋକ୍‌ସି ଜଣାଇଛନ୍ତି। ସେ ଇ-ମେଲ୍‌ରେ ନିଜର ମନରେ ଥିବା ଭୟକୁ ପ୍ରକାଶ କରିବା ପାଇଁ ଲେଖିଛନ୍ତି ଯେ, ଯଦି ମୋତେ ଗିରଫ କରାଯିବ ତେବେ ମୋର ଚିକିତ୍ସା ସରକାରୀ ଡାକ୍ତରଖାନାରେ କରାଯିବ। ସେଠାରେ ମୁଁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବି ନାହିଁ। ଏହା ପରେ ଘରୋଇ ହସ୍‌ପିଟାଲ୍‌୍‌ଗୁଡ଼ିକ ମଧ୍ୟ ମୋର ଚିକିତ୍ସା କରିବାକୁ ମନା କରିଦେଇପାରନ୍ତି। ପାସ୍‌ପୋର୍ଟ ରଦ୍ଦ କରାଯାଇଥିବା ବିଷୟରେ ଚଳିତ ବର୍ଷ ଫେବ୍ରୁଆରି ୧୮ରେ ଚୋକ୍‌ସିଙ୍କ ପାଖକୁ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ, ମୁମ୍ବାଇରୁ ଏକ ଇ-ମେଲ୍‌ ଆସିଥିଲା। ‘ଭାରତର ସୁରକ୍ଷା ପ୍ରତି ବିପଦ’ କାରଣ ଦର୍ଶାଇ ତାଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ମୁଁ କିଭଳି ଏକ ସୁରକ୍ଷା ବିପଦ ହୋଇଗଲି ତାହା ଚୋକ୍‌ସି ଜାଣିବାକୁ ଚାହିଁଛନ୍ତି। ଏ ସଂକ୍ରାନ୍ତରେ ସେ ପାସପୋର୍ଟ କାର୍ଯ୍ୟାଳୟକୁ ଯୋଗାଯୋଗ କରି କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ ବୋଲି କହିଛନ୍ତି। ଚୋକ୍‌ସି ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ଗଣମାଧ୍ୟମରେ ବିଚାର ଚାଲିଛି। ତାଙ୍କୁ ଜଣେ ଦୋଷୀ ଭଳି ଗଣମାଧ୍ୟମ ଉପସ୍ଥାପନ କରୁଛି। ରାଜନୈତିକ ଦଳଗୁଡ଼ିକ ସମ୍ପୂର୍ଣ୍ଣ ଘଟଣାକୁ ନେଇ ରାଜନୀତି କରୁଛନ୍ତି। ଏହା ଦ୍ୱାରା ସମ୍ବିଧାନ ତାଙ୍କୁ ବଞ୍ଚିବା ପାଇଁ ଏବଂ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଯେଉଁ ଅଧିକାର ଦେଇଥିଲା ତାହା ଉଲ୍ଲଘଂନ ହୋଇଥିବା ସେ କହିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ସମନର ଉତ୍ତର ଦେଇ ଚୋକ୍‌ସି ଜଣାଇଛନ୍ତି ଯେ ତାଙ୍କ ପାସ୍‌ପୋର୍ଟ ଉପରେ ଲଗାଯାଇଥିବା କଟକଣା ହଟିବା ପରେ ସେ ଭାରତ ଫେରିବେ। ଏହା ପୂର୍ବରୁ ନୁହେଁ।

ନିରବଙ୍କ ନାଁରେ ପୁଣି ଏକ ମାମଲା

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ବିରୋଧରେ ସିବିଆଇ ପକ୍ଷରୁ ପୁଣି ଏକ ମାମଲା ଦାୟର କରାଯାଇଛି। ଏକ ଋଣ ମାମଲାରେ ପିଏନ୍‌ବିକୁ ୩୨୧ କୋଟି ଟଙ୍କାର କ୍ଷତି ହୋଇଥିବା ଅଭିଯୋଗରେ ଏହି ନୂଆ ମାମଲା ଦାୟର ହୋଇଛି। ମାମଲାରେ ନିରବ, ତାଙ୍କ କଂପାନିର ଅର୍ଥ ବିଭାଗ ସଭାପତି ବିପୁଲ ଅମ୍ବାନି, ମୁଖ୍ୟ ଅର୍ଥ ଅଧିକାରୀ ରବି ଗୁପ୍ତା, ଅନ୍ୟ କିଛି ନିର୍ଦେଶକ ଏବଂ କିଛି ବ୍ୟାଙ୍କ ଅଧିକାରୀଙ୍କ ନାମ ରହିଛି। ନିରବଙ୍କ କଂପାନି ଫାୟାରଷ୍ଟାର୍‌ ଗ୍ରୁପ୍‌କୁ ୨୦୧୩ରୁ ୨୦୧୭ ଭିତରେ ୩୨୧ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଯେଉଁ କାମ ପାଇଁ ଋଣ ନିଆଯାଇଥିଲା ତାହାକୁ ସେହି କାମରେ ବ୍ୟବହାର କରାଯାଇନାହିଁ। ସେହି ଋଣ ଅର୍ଥକୁ ଅନ୍ୟତ୍ର ବ୍ୟବହାର କରାଯାଇଥିଲା ବୋଲି ପିଏନ୍‌ବି ଅଭିଯୋଗ କରିବା ପରେ ସିବିଆଇ ନୂଆ ମାମଲା ଦାୟର କରିଛି। ପିଏନ୍‌ବିରୁ ୧୨ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ସିବିଆଇ ପୂର୍ବରୁ ନିରବଙ୍କ ନାଁରେ ଏକ ମାମଲା ଦାୟର କରି ତଦନ୍ତ ଜାରି ରଖିଛି। ଆଜି ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ନିରବ ମୋଦି ପିଏନ୍‌ବିରୁ ଠକେଇ କରି ଯେଉଁ ଅର୍ଥରାଶି ପାଇଥିଲେ ତାହାର ଏକ ବଡ଼ ଭାଗ ବିଦେଶରେ ବିପୁଳ ସମ୍ପତ୍ତି କିଣିବାରେ ସେ ବ୍ୟବହାର କରିଛନ୍ତି। ଇଡି ପକ୍ଷରୁ ଏଭଳି ୧୩ଟି ରାଷ୍ଟ୍ରକୁ ଚିହ୍ନଟ କରାଯାଇଛି ଯେଉଁଠାରେ ନିରବଙ୍କ ବ୍ୟବସାୟ ସ୍ୱାର୍ଥ ରହିଛି। ସେହି ସବୁ ଦେଶ ସହାୟତାରେ ନିରବଙ୍କ ସମ୍ପତ୍ତି ଉପରେ କବ୍‌ଜା କରିବାକୁ ଇଡି ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର