ପିଏନ୍‌ବି ଠକେଇ: ଜବତ ହେଲାଣି ୬୩୯୩ କୋଟି

ଶନିବାର ଇଡିକୁ ମିଳିଲା ୫୨୩ କୋଟି, ସମ୍ପତ୍ତିରେ ରହିଛି ପେଣ୍ଟ୍‌ହାଉସ୍‌, ୧୩୫ ଏକର ଜମି

ମୁମ୍ବାଇ/ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଶନିବାର ନିରବ ମୋଦି ଓ ତାଙ୍କ କଂପାନିର ୨୧ଟି ସମ୍ପତ୍ତି ଜବତ କରିଛି। ଏଥିରେ ଗୋଟିଏ ପେଣ୍ଟ୍‌ହାଉସ୍‌ ଓ ଫାର୍ମହାଉସ୍‌ ରହିଛି। ପେଣ୍ଟ୍‌ ହାଉସ୍‌ଟିର ମୂଲ୍ୟ ୮୧ କୋଟି ୧୬ ଲକ୍ଷ ଟଙ୍କା ହେବ। ୩ଟି ଫ୍ଲାଟ୍‌କୁ ଯୋଡ଼ାଯାଇ ଏହାର ନିର୍ମାଣ କରାଯାଇଛି। ଏତଦ୍‌ବ୍ୟତୀତ ମୁମ୍ବାଇ ଓ୍ଵର୍ଲିର ସମୁଦ୍ର ମହଲ ଆପାର୍ଟମେଣ୍ଟରେ ରହିଥିବା ୧୫.୪୫ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌କୁ ମଧ୍ୟ ଇଡି ଜବତ କରିଛି। ଆଜି ଜବତ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ୫୨୩ କୋଟି ଟଙ୍କାରୁ ଅଧିକ ହେବ। ଏ ପର୍ଯ୍ୟନ୍ତ ପିଏନ୍‌ବିର ମହାଠକେଇ ଘଟଣାରେ ଇଡି ଜବତ କରିଥିବା ସମ୍ପତ୍ତିର ମୂଲ୍ୟ ୬୩୯୩ କୋଟି ଟଙ୍କା ଅତିକ୍ରମ କରିଛି। ଆଜି ଜବତ ହୋଇଥିବା ୨୧ଟି ସମ୍ପତ୍ତି ମଧ୍ୟରେ ୬ଟି ଆବାସିକ ସମ୍ପତ୍ତି ଥିବାବେଳେ ୧୦ଟି ଅଫିସ କୋଠା, ପୁନେରେ ୨ଟି ଫ୍ଲାଟ୍‌, ଗୋଟିଏ ସୌର ଶକ୍ତି ପ୍ଲାଣ୍ଟ, ଆଲିବଗ୍‌ରେ ଏକ ଫାର୍ମ ହାଉସ୍‌ ଏବଂ ଅହମ୍ମଦନଗର ଜିଲାରେ ୧୩୫ ଏକର ଜମି ରହିଛି। ଇଡି ପକ୍ଷରୁ ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ସମ୍ପତ୍ତି ଜବତ କରାଯାଇଛି।

ସମୁଦ୍ର ମହଲ ଓ ପୁନେର ହଡପସର ଅଂଚଳରେ ଥିବା ସମ୍ପତ୍ତି ନିରବ ଓ ତାଙ୍କ ପତ୍ନୀ ଆମିଙ୍କ ନାମରେ ରହିଛି। କାଲାଘୋଡ଼ା ଓ ଅପରୋ ହାଉସ ଅଂଚଳରେ ଜବତ ହୋଇଥିବା ସମ୍ପତ୍ତି ମୋଦିଙ୍କ ହୀରା କଂପାନି ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ନାମରେ ରହିଛି। ନିରବ ମୋଦି ଟ୍ରଷ୍ଟ ନାମରେ ଆଲିବଗ୍‌ର ସମୁଦ୍ର କୂଳ ଖିମିଠାରେ ଥିବା ଫାର୍ମହାଉସ୍‌ ଓ ଜମିର ମୂଲ୍ୟ ୪୨ କୋଟି ୭୦ ଲକ୍ଷ ଟଙ୍କା ହେବ। ଅହମ୍ମଦନଗର ଜିଲ୍ଲାର କରଜଟ୍‌ ଅଂଚଳରେ ୫୩ ଏକର ଜମିରେ ଥିବା ସୌର ଶକ୍ତି ପ୍ରକଳ୍ପର ମୂଲ୍ୟ ୭୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ନିରବ ମୋଦି, ମେହୁଲ ଚୋକ୍‌ସି ଓ ସେମାନଙ୍କ କଂପାନିଙ୍କ ବିରୋଧରେ ଇଡି ଗତ ୧୪ ତାରିଖରେ ପିଏମ୍‌ଏଲ୍‌ଏ ମାମଲା ରୁଜୁ କରି ସମ୍ପତ୍ତି ଜବତ କାର୍ଯ୍ୟ ଚଳାଇଛି। ଇତିମଧ୍ୟରେ ଇଡି ଏହି ମାମଲାରେ ୬୩୯୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିସାରିଲାଣି। ଏତଦ୍‌ବ୍ୟତୀତ ନିରବ, ଆମି ଓ ମେହୁଲ୍‌ଙ୍କୁ ଇଡି ପଚରାଉଚରା ପାଇଁ ଆସନ୍ତା ୨୬ ତାରିଖରେ ହାଜର ହେବାକୁ କହିଛି। ଏହି ମାମଲାରେ ଉଭୟ ସିବିଆଇ ଓ ଇଡି ପୃଥକ୍‌ ଭାବେ ଏତଲା ରୁଜୁ କରିଛନ୍ତି। ତେବେ ଏମାନେ ମାମଲା ରୁଜୁ କରିବା ମୋଦି ଓ ତାଙ୍କ ପରିବାର ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା କୁହାଯାଉଛି।

ପିଏନ୍‌ବି ଏମ୍‌ଡି ଓ ଇଡିଙ୍କୁ ସିବିଆଇର ପଚରାଉଚରା
ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସୁନୀଲ ମେହଟ୍ଟା ଓ କାର୍ଯନିର୍ବାହୀ ନିର୍ଦେଶକ କେ. ଭି. ବ୍ରହ୍ମଚାରୀ ରାଓଙ୍କୁ ନିରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇ ଆଜି ପଚରାଉଚରା କରିଛି। ଏହି ମାମଲାରେ ସିବିଆଇ ପ୍ରଥମ ଥର ପାଇଁ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ସେମାନଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରାଯାଇ ଏହି ପଚରାଉଚରା ସିବିଆଇ କରିନାହିଁ। ବରଂ ଏହି ଠକେଇ ସଂପର୍କରେ ବ୍ୟାଙ୍କ କିଭଳି ଜାଣିଲା, କାରବାର କିଭଳି ହେଉଥିଲା ଏବଂ ନିୟମର ଉଲ୍ଲଂଘନ କିଭଳି ହେଲା ତାହା ଜାଣିବା ଲାଗି ସେମାନଙ୍କୁ ପଚରାଉଚରା କରାଯାଇଛି ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ତେବେ ଏହି ମାମଲାରେ ସିବିଆଇ ଗିରଫ କରିଥିବା ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ଏ ସମ୍ପର୍କରେ ଜେରା କରୁଛି।

ସମ୍ବନ୍ଧିତ ଖବର