ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୧ ହଜାର କୋଟି ଟଙ୍କାର ଠକେଇର ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ନିରବ ମୋଦି, ତାଙ୍କ ସମ୍ପର୍କୀୟ ଏବଂ ବ୍ୟବସାୟ ସହଯୋଗୀ ମେହୁଲ ଚୋକ୍ସି ଓ ଅନ୍ୟମାନଙ୍କ ସହିତ ଜଡ଼ିତ ଥିବା ୨୦୦ ବେନାମି ସଂସ୍ଥା ଏବଂ ସମ୍ପତ୍ତି ଉପରେ ନଜର ପକାଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ନିୟମ ଅନୁଯାୟୀ, ନିରବ, ଚୋକ୍ସି ଏବଂ ସେମାନଙ୍କ କଂପାନିର ଡଜନେରୁ ଅଧିକ ସ୍ଥାବର ସମ୍ପତ୍ତିକୁ ଜବତ କରିଛି। ଇଡିର ଚଢ଼ଉ ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ସାରା ଦେଶରେ ଥିବା ୪୫ଟି ସ୍ଥାନରେ ଇଡି ଚଢ଼ଉ କରିଛି। ସେଥି ମଧ୍ୟରେ ରହିଛି କିଛି ଗହଣା ସୋ’ରୁମ୍ ଏବଂ ଓ୍ଵାର୍କସପ୍। ଖୁବ୍ଶୀଘ୍ର ଆଉ କିଛି ସମ୍ପତ୍ତିକୁ ଜବତ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆୟକର ବିଭାଗ ପକ୍ଷରୁ ନିରବ, ତାଙ୍କ କଂପାନି ଏବଂ ପରିବାର ସଦସ୍ୟଙ୍କ ୨୯ଟି ସମ୍ପତ୍ତିକୂ ଜବତ କରାଯାଇଛି। ଉଭୟ ଇଡି ଓ ଆୟକର ବିଭାଗ ସନ୍ଦେହ କରୁଛନ୍ତି ଯେ, ଠକେଇରେ ଦେଶ ଏବଂ ବିଦେଶରେ ଥିବା ୨୦୦ ପାଖାପାଖି ଜାଲ୍ କଂପାନିଙ୍କୁ ବ୍ୟବହାର କରାଯାଇଥିଲା। ସେହି କଂପାନିଗୁଡ଼ିକ ଜରିଆରେ ମନି ଲଣ୍ଡରିଂ କରାଯାଇଛି। ମନି ଲଣ୍ଡରିଂର ଅର୍ଥ ହେଉଛି କଳାଟଙ୍କାକୁ ଧଳା କରିବା। ସେହି ସବୁ ପାଣ୍ଠିକୁ ବେନାମି ସମ୍ପତ୍ତି, ସୁନା ଏବଂ ମୂଲ୍ୟବାନ ପଥର କିଣିବାରେ ନିରବ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।
ଏହି ମାମଲାର ତଦନ୍ତ କରିବା ପାଇଁ ଇଡି ଏବଂ ଆୟକର ବିଭାଗ ପକ୍ଷରୁ ମିଳିତ ତଦନ୍ତ ଟିମ୍ ଗଠନ କରାଯାଇଛି। ପିଏନ୍ବି ଠକେଇ ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ୫୬୭୪ କୋଟି ଟଙ୍କା ଜବତ କରାଯାଇସାରିଲାଣି। ଟିକସ ଠକେଇ ମାମଲାରେ ଗତକାଲି ଆୟକର ବିଭାଗ ପକ୍ଷରୁ ଗୀତାଞ୍ଜଳି ଜେମସ୍ ଏବଂ ଏହାର ମାଲିକ ମେହୁଲ ଚୋକ୍ସିଙ୍କ ୯ଟି ବ୍ୟାଙ୍କ ଖାତାକୁ ଜବତ କରାଯାଇଥିଲା। ପୂର୍ବରୁ ନିରବଙ୍କ ୨୯ଟି ସମ୍ପତ୍ତି ଏବଂ ୧୦୫ ବ୍ୟାଙ୍କ ଖାତାକୁ ଜବତ କରାଯାଇଛି। ପିଏନ୍ବି ଠକେଇ ବିଷୟରେ ଜଣାପଡ଼ିବା ପରେ ଏହାର ତଦନ୍ତ ସିବିଆଇ, ଇଡି ଏବଂ ଆୟକର ବିଭାଗ କରୁଛନ୍ତି। ସେବି ମଧ୍ୟ ନିଜ ଆଡୁ ତଦନ୍ତ କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ମଧ୍ୟ ଏହି ମାମଲା ଉପରେ ନଜର ରଖିଛି।
ସନ୍ଦେହ ଘେରରେ ଅନ୍ୟ ବ୍ୟାଙ୍କର ଅଧିକାରୀ
ନୂଆଦିଲ୍ଲୀ: ପିଏନ୍ବି ଠକେଇର ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ଅନ୍ୟ ବ୍ୟାଙ୍କଗୁଡ଼ିକର ଅଧିକାରୀମାନଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ଦୀର୍ଘ ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ଠକେଇ ଆହ୍ଲାବାଦ ବ୍ୟାଙ୍କ, ଏସ୍୍ବିଆଇ, ୟୁନିଅନ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କର ହଂକଂରେ ଥିବା ଶାଖାକୁ ବ୍ୟବହାର କରାଯାଇଥିଲା। ସେହି ଶାଖାଗୁଡ଼ିକରେ କାମ କରୁଥିବା ଅଧିକାରୀଙ୍କୁ ମଧ୍ୟ ତଦନ୍ତ ଏଜେନ୍ସିଗୁଡ଼ିକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। କାରଣ ଯେତେ ସବୁ ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍ଓୟୁ) ପିଏନ୍ବି ଜାରି କରିଥିଲା, ସେସବୁ ଏହି ବ୍ୟାଙ୍କଗୁଡ଼ିକର ଶାଖା ଜରିଆରେ ବ୍ୟବହାର କରାଯାଇଥିଲା। ଗହଣା ଏବଂ ରତ୍ନପଥର କ୍ଷେତ୍ର ପାଇଁ ଏଲ୍ଓୟୁର ଅବଧି ହେଉଛି ୯୦ ଦିନ। କିନ୍ତୁ ଏହା ପ୍ରତି କୌଣସି ବ୍ୟାଙ୍କର ଅଧିକାରୀ ଧ୍ୟାନ ଦେଇନଥିଲେ। ଯଦି କୌଣସି ଅଧିକାରୀ ଏବିଷୟରେ ପୂର୍ବରୁ ପ୍ରଶ୍ନ ଉଠାଇଥାନ୍ତେ ତେବେ ପିଏନ୍ବି ଠକେଇ ଏତେ ବଡ଼ ହୋଇନଥାନ୍ତା। ହଂକଂରେ ୧୧ଟି ଭାରତୀୟ ବ୍ୟାଙ୍କର ଶାଖା ରହିଛି।
କମିସନ ଖାଉଥିଲେ ପିଏନ୍ବି କର୍ମଚାରୀ
ନୂଆଦିଲ୍ଲୀ: ପିଏନ୍ବି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କର କର୍ମଚାରୀମାନେ ପ୍ରତି ଥର ଏଲ୍ଓୟୁ ଜାରି କରିବା ବେଳେ କମିସନ୍ ନେଉଥିଲେ। ଯେଉଁ କମିସନ ମିଳୁଥିଲା ତାହାକୁ କର୍ମଚାରୀମାନେ ନିଜ ଭିତରେ ବାଣ୍ଟି ନେଉଥିଲେ। ସେମାନେ ନିରବଙ୍କ ଟିମ୍କୁ ବ୍ୟାଙ୍କର କମ୍ପ୍ୟୁଟର ସିଷ୍ଟମକୁ ହାସଲ କରିବାର ସୁଯୋଗ ମଧ୍ୟ ଦେଇଛନ୍ତି। ଗତକାଲି ଏହି ମାମଲାରେ ଗିରଫ ହୋଇଥିବା ତିନି ପିଏନ୍ବି ପଚରାଉଚୁରା କରିବା ବେଳେ ସିବିଆଇ ଏହା ଜାଣିବାକୁ ପାଇଛି। ଏହି କର୍ମଚାରୀମାନେ ନିରବଙ୍କ ଟିମ୍କୁ ଆକାଉଣ୍ଟ୍ ବିବରଣୀ ଏବଂ ପାସ୍ଓ୍ଵାର୍ଡ ଦେଉଥିଲେ। ଏହା ଜରିଆରେ ବ୍ୟାଙ୍କର ସ୍ୱିଫ୍ଟ ସିଷ୍ଟମରେ ନିରବଙ୍କ ଟିମ୍ ଅତି ସହଜରେ ପ୍ରବେଶ କରିପାରୁଥିଲେ। ଏହି ଠକେଇରେ ବ୍ୟାଙ୍କରୁ ଆହୁରି ଡଜନେରୁ ଅଧିକ କର୍ମଚାରୀ ସାମିଲ ରହିଥିବା ସନ୍ଦେହ କରାଯାଉଛି। ସିବିଆଇ ପକ୍ଷରୁ ଗୀତାଞ୍ଜଳି ଗ୍ରୁପ୍ ଅଫ୍ କଂପାନିଜ୍ର ୧୮ଟି ସହଯୋଗୀ ସଂସ୍ଥାର ବାଲାନ୍ସ ସିଟ୍କୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ପିଏନ୍ବି ଠକେଇରୁ ମିଳିଥିବା ଟଙ୍କାକୁ କିଭଳି ଭାବେ ବ୍ୟବହାର କରାଯାଇଛି ତାହା ସିବିଆଇ ଜାଣିବାକୁ ପ୍ରୟାସ କରୁଛି। ଚଢ଼ଉ ବେଳେ କଂପାନିର ସର୍ଭରରୁ ଯେଉଁ ବିପୁଳ ପରିମାଣର ତଥ୍ୟ ମିଳିଛି ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।
ପିଏସ୍ୟୁ ବ୍ୟାଙ୍କ ଘରୋଇକରଣ ଚର୍ଚା ଆରମ୍ଭ
ନୂଆଦିଲ୍ଲୀ: ପିଏନ୍ବି ଠକେଇ ଧରାପଡ଼ିବା ପରେ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ ବିଷୟରେ ବିଚାର କରିବାର ବେଳ ଆସିଛି ବୋଲି ଚର୍ଚା ଆରମ୍ଭ ହୋଇଯାଇଛି। ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣିଅମ୍ ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡ଼ିକରେ ଘରୋଇ କ୍ଷେତ୍ରର ସହଯୋଗ ବଢ଼ିବା ଦରକାର। ସେହିପରି ଆସୋଚାମ୍ ପକ୍ଷରୁ କୁହାଯାଇଛି ଯେ ସରକାରୀ ବ୍ୟାଙ୍କଗୁଡ଼ିକରେ ଉତ୍ତମ ପ୍ରଶାସନର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ସେଗୁଡ଼ିକର ଘରୋଇକରଣ କରାଯାଉ। ସରକାରୀ ବ୍ୟାଙ୍କଗୁଡ଼ିକରେ ଥିବା ବିପୁଳ ପରିମାଣର ସରକାରୀ ଅଂଶଧନକୁ ହ୍ରାସ କରିବା ଦିଗରେ ସରକାର କାମ କରିବା ଉଚିତ ବୋଲି ଆସୋଚାମ ପରାମର୍ଶ ଦେଇଛି। ଆସୋଚାମ୍ ପକ୍ଷରୁ କୁହାଯାଇଛି ଯେ ସରକାରୀ ବ୍ୟାଙ୍କଗୁଡ଼ିକର ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲିଛି। ଟିକସଦାତାଙ୍କ ଟଙ୍କାକୁ ବ୍ୟବହାର କରି ଏଭଳି ବ୍ୟାଙ୍କଗୁଡ଼ିକୁ ଉଦ୍ଧାର କରିବାର ଏକ ସୀମା ରହିବା ଦରକାର।