ପିଏନ୍‌ବି ଠକେଇ: ୫୦୦୦ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୧,୩୦୦ କୋଟି ଟଙ୍କାର ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଆଜି ନିରବ ମୋଦିଙ୍କର ପ୍ରାୟ ୧୨ଟିରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ଇଡି ୫୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ସୁନା, ହୀରା ଓ ମୂଲ୍ୟବାନ ଗହଣା ରହିଛି। ଏଥିସହିତ ଏକ ଅର୍ଥ ତୋସରପାତ ମାମଲା ମଧ୍ୟ ରୁଜୁ କରିଛି। ଚଢ଼ଉ ହୋଇଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନିରବ ମୋଦିଙ୍କ କାର୍ଯ୍ୟାଳୟ, ସୋରୁମ୍‌ ଏବଂ ଓ୍ଵାର୍କସପ୍‌ ଆଦି ରହିଛି। ଯେଉଁସବୁ ସ୍ଥାନରେ ଇଡି ଚଢ଼ଉ ହୋଇଛି ସେଗୁଡ଼ିକ ମଧ୍ୟରେ ମୋଦିଙ୍କ କୁର୍ଲା ସ୍ଥିତ ବାସଭବନ, କଳା ଘୋଡ଼ା ଅଞ୍ଚଳରେ ଥିବା ତାଙ୍କ ବୁଟିକ୍‌, ବାନ୍ଦ୍ରା ଓ ଲୋଓ୍ଵର ପ୍ୟାରେଲ୍‌ରେ କମ୍ପାନିର ୩ଟି ସ୍ଥାନ, ସୁରଟର ୩ଟି ସ୍ଥାନ, ମୋଦିଙ୍କ ଚାଣକ୍ୟପୁରୀ ସୋ’ରୁମ୍‌ ଏବଂ ଦିଲ୍ଲୀର ପ୍ରତିରକ୍ଷା କଲୋନି ରହିଥିବା ଜଣାଯାଇଛି। ଚଢ଼ଉ ବେଳେ ତଦନ୍ତକାରୀ ଅଧିକାରୀମାନେ କାଗଜପତ୍ର ଜବତ କରି ସେଗୁଡ଼ିକୁ ସାଥିରେ ନେଇଯାଇଛନ୍ତି। ଏତଦ୍‌ବ୍ୟତୀତ ମୋଦିଙ୍କ ୩.୯ କୋଟି ଟଙ୍କାର ବ୍ୟାଙ୍କ ଜମାକୁ ଅଚଳ କରି ଦିଆଯାଇଛି। ଆଗାମୀ କିଛିଦିନ ପାଇଁ ଏହି ଚଢ଼ଉ ଜାରି ରହିବ ବୋଲି ଇଡିର ଅଧିକାରୀମାନେ କହିଛନ୍ତି। ଜାଲିଆତି ସମ୍ପର୍କିତ ପ୍ରମାଣ ଯୋଗାଡ଼ ଇଡି କରୁଛି। ବ୍ୟାଙ୍କିଂ ବ୍ୟବସ୍ଥାରେ କାରସାଦି କରି ଏବଂ ଆମଦାନି ସମ୍ପର୍କିତ ଜାଲ କାଗଜପତ୍ର ଦାଖଲ କରି ନିରବ ବିଦେଶକୁ ଟଙ୍କା ନେଇଥିବା ଇଡି ସନ୍ଦେହ କରୁଛି। ଇଡି ଏ ନେଇ ବିସ୍ତତ ଯାଞ୍ଚ କରୁଛି। ନିରବ ଓ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ସିବିଆଇ ମାମଲା ଆଧାରରେ ଇଡି ଏହି ଅର୍ଥ ତୋସରପାତ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୮୦ କୋଟି ଟଙ୍କାର ଠକେଇ ମାମଲାରେ ଚଳିତମାସ ପ୍ରାରମ୍ଭରେ ସିବିଆଇ ମୋଦି, ତାଙ୍କ ପତ୍ନୀ ଆମି, ଭାଇ ନିଶାଳ ଏବଂ ସମ୍ପର୍କୀୟ ମେହୁଲ ଚୋକ୍‌ସିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାଉପରେ ଅଧିକ ତଦନ୍ତ ହେବାରୁ ବ୍ୟାଙ୍କ ଅଧିକାରୀମାନେ ଏମାନଙ୍କ କମ୍ପାନିଙ୍କୁ ପ୍ରାୟ ୧୧,୩୦୦୦ କୋଟି ଟଙ୍କାର ଗତ କିଛି ବର୍ଷ ମଧ୍ୟରେ ଏଲଓୟୁ ଜାରି କରିଥିବା ବିଷୟ ପଦାକୁ ଆସିଥିଲା। ନିରବଙ୍କୁ ସହାୟତା ଯୋଗାଇଥିବା ଅଭିଯୋଗରେ ସିବିଆଇ ପିଏନ୍‌ବିର ଜଣେ ଅବସରପ୍ରାପ୍ତ ଅଧିକାରୀ ଓ ଜଣେ କିରାଣିଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି। ଗତବର୍ଷ ବ୍ୟାଙ୍କର ଅବସରପ୍ରାପ୍ତ ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟି ଏବଂ ସିଙ୍ଗଲ ଓ୍ଵିଣ୍ଡୋ ଅପରେଟର ମନୋଜ ଖରାଟ ୨୮୦ କୋଟି ଟଙ୍କା ମୂଲ୍ୟର ୮ଟି ଏଲ୍‌ଓୟୁ ଜାରି କରିଛନ୍ତି। ଶ୍ରୀ ସେଟ୍ଟି ଅବସର ନେବାର ୩ ମାସ ପୂର୍ବରୁ ଏହା ଜାରି କରାଯାଇଛି। ଶ୍ରୀ ସେଟ୍ଟି ଗତବର୍ଷ ମେ ମାସରେ ଅବସର ନେଇଥିବାବେଳେ ଏଲଓୟୁ ଫେବ୍ରୁଆରିରେ ଜାରି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଲ୍‌ଓୟୁ ହେଉଛି ଏକ ପ୍ରକାର ବ୍ୟାଙ୍କ ଗ୍ୟାରେଣ୍ଟି।

ଅନ୍ୟ ବ୍ୟାଙ୍କଙ୍କ ସବୁ ଟଙ୍କା ଦେବ ପିଏନ୍‌ବି
ମୁମ୍ବାଇ: ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ଲେଟର୍ସ ଅଫ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ସ(ଏଲ୍‌ଓୟୁ)କୁ ବ୍ୟବହାର କରି କରିଥିବା ଠକେଇ ମାମଲାରେ ପ୍ରତିପକ୍ଷ ଋଣପ୍ରଦାନକାରୀ ବ୍ୟାଙ୍କ ଗୁଡ଼ିକୁ ସମସ୍ତ ୧୧,୩୦୦ କୋଟି ଟଙ୍କା ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିର୍ଦେଶ ଦେଇଛି। ଏ ସମ୍ପର୍କରେ ଅବଗତ ଥିବା ଦୁଇଜଣ ବ୍ୟାଙ୍କରଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ବ୍ୟାଙ୍କିଂ ବ୍ୟବସ୍ଥାରେ ଆସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ ପିଏନ୍‌ବି ଏହି ଅର୍ଥ ଅନ୍ୟ ବ୍ୟାଙ୍କକୁ ନଦେଲେ ବ୍ୟାଙ୍କିଂ ବ୍ୟବସ୍ଥାର କାର୍ଯ୍ୟାବଳୀ ଉପରୁ ଆସ୍ଥା ତୁଟିଯିବ ଏବଂ ଏଥିଯୋଗୁଁ ଆର୍ଥିକ ବଜାରରେ ଅସ୍ଥିରତା ଲାଗି ରହିବ ବୋଲି ଏହି ଅଧିକାରୀମାନେ କହିଛନ୍ତି। ତେବେ ପାଣ୍ଠି ଅଭାବର ସମ୍ମୁଖୀନ ହୋଇଥିବା ପିଏନ୍‌ବି ଏହି ସଙ୍କଟକୁ ଟାଳିବା ଲାଗି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବୈଠକରେ ଏହି ନିର୍ଦେଶନାମା ଦିଆଯାଇଛି। ବୈଠକରେ ଉପସ୍ଥିତ ଥିବା ବ୍ୟାଙ୍କ ଅଧିକାରୀ ଜଣକ କହିଛନ୍ତି ଯଦି ପିଏନ୍‌ବି ଏହି ଅର୍ଥ ନଦିଲେ ତାହେଲେ ଉଭୟ ପିଏନ୍‌ବି ଓ ଅନ୍ୟ ୩୦ଟି ବ୍ୟାଙ୍କକୁ ଏ ନେଇ ହୋଇଥିବା କ୍ଷତି ବାବଦରେ ଅର୍ଥ ରଖିବାକୁ ପଡ଼ିବ। ଅନ୍ୟ ବ୍ୟାଙ୍କକୁ ଅର୍ଥ ଦେଇଦେଲେ କେବଳ ପିଏନ୍‌ବିକୁ କ୍ଷତି ସହିବାକୁ ପଡ଼ିବ। ତେବେ ବ୍ୟାଙ୍କରଙ୍କ କହିବାନୁଯାୟୀ ପିଏନ୍‌ବି ପକ୍ଷରୁ ଏହି ଅର୍ଥ ପ୍ରଦାନ ମଧ୍ୟ ବିଳମ୍ବ ହେବ। ତେଣୁ ଅର୍ଥ ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବା ଜରୁରୀ।

ସମ୍ବନ୍ଧିତ ଖବର