ପିଏନ୍‌ବି ଠକେଇ:ବିଦାହେବେ ଆହ୍ଲାବାଦ ବ୍ୟାଙ୍କ ମୁଖ୍ୟ ଉଷା

ପ୍ରଥମ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ ପିଏନ୍‌ବିର ଦୁଇ ଇଡି ବି ଯିବେ

ନୂଆଦିଲ୍ଲୀ/ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ଚର୍ଚ୍ଚିତ ପ୍ରାୟ ୧୩ ହଜାର କୋଟିର ଠକେଇ ମାମଲାରେ ସିବିଆଇ ଆଜି ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ଅଭିଯୁକ୍ତ ଭାବେ ପିଏନ୍‌ବିର ପୂର୍ବତନ ଏବଂ ଆହ୍ଲାବାଦ ବ୍ୟାଙ୍କର ବର୍ତ୍ତମାନର ଏମ୍‌ଡି ତଥା ସିଇଓ ଉଷା ଅନନ୍ଥସୁବ୍ରମଣ୍ୟନ୍‌ ଏବଂ ପିଏନ୍‌ବିର ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଭି. ବ୍ରହ୍ମାଜୀ ରାଓ ଏବଂ ସଞ୍ଜୀବ ସରନ୍‌ଙ୍କ ସମେତ ସାଧାରଣ ପରିଚାଳକ (ଅନ୍ତର୍ଜାତୀୟ ବ୍ୟାପାର) ନେହାଲ ଅହଦ୍‌ଙ୍କ ନାମ ରହିଛି। ଆଇପିସିର ୪୦୯ (ବିଶ୍ୱାସ ଭଙ୍ଗ) ଏବଂ ୪୨୦ (ଠକେଇ) ଧାରା ଏହି ବ୍ୟାଙ୍କ ଅଧକାରୀମାନଙ୍କ ବିରୋଧରେ ଲାଗିଛି। ଚାର୍ଜସିଟ୍‌ରେ ଏମାନଙ୍କ ନାମ ସ୍ଥାନ ପାଇବା ପରେ ଉଷା ଅନନ୍ଥସୁବ୍ରମଣ୍ୟନ୍‌ଙ୍କ ସମେତ ପିଏନ୍‌ବିର ଦୁଇ ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଦାହେବାକୁ ଯାଉଛନ୍ତି। ଏଥିପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଚାର୍ଜସିଟ୍‌ରେ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ସମେତ ଭାଇ ନିଶାଲ ମୋଦି ଏବଂ ତାଙ୍କ କମ୍ପାନିର ସୁବାସ ପରବ ନାମକ ଜଣେ କର୍ମଚାରୀଙ୍କ ନାମ ରଖିଛି। ଚାର୍ଜସିଟ୍‌ରେ ଏକାଧିକ ବ୍ୟକ୍ତି ଓ ସଂସ୍ଥାକୁ ମିଶାଇ ମୋଟ ୨୫ଟି ନାମ ରହିଛି। ତେବେ ପ୍ରଥମ ଚାର୍ଜସିଟ୍‌ରେ ନିରବ ମୋଦିଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ ନାମ ନଥିବା ଜଣାଯାଇଛି। ପିଏନ୍‌ବିରୁ ବ୍ରାଡି ହାଉସ୍‌ ଶାଖାରୁ ଜାଲ୍‌ ଏଲଓୟୁ ହାତେଇବା ଲାଗି ନିରବ ମୋଦି, ନିଶାଲ ମୋଦି ଓ ସୁବାସ ପରବ ଷଡ଼ଯନ୍ତ୍ର ରଚିଥିଲେ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଚାର୍ଜସିଟ୍‌ରେ ଥିବା କମ୍ପାନି ହେଲେ ଡାଇମଣ୍ଡ୍‌ସ୍‌ ଆର୍‌ ୟୁସ୍‌, ଷ୍ଟେଲାର ଡାଇମଣ୍ଡ୍ସ ଏବଂ ସୋଲାର ଏକ୍ସପୋର୍ଟସ।
ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଚାର୍ଜସିଟ୍‌ରେ ପିଏନ୍‌ବି ଓ ଆହ୍ଲାବାଦ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ନାମ ସ୍ଥାନ ପାଇବା ପରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର ସଂପୃକ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଉଷା ଅନନ୍ଥସୁବ୍ରମଣ୍ୟନ୍‌ଙ୍କଠାରୁ ସମସ୍ତ କ୍ଷମତା କାଢ଼ିନେବାକୁ କୁହାଯାଇଛି। ସେହିଭଳି ପିଏନ୍‌ବିର ଦୁଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କଠାରୁ ମଧ୍ୟ କ୍ଷମତା କାଢ଼ିନେବାକୁ ଏହି ବ୍ୟାଙ୍କର ବୋର୍ଡକୁ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ରାଜୀବ କୁମାର ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ରୁ ୨୦୧୭ ମଧ୍ୟରେ ଉଷା ପିଏନ୍‌ବିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।
ବ୍ୟାଙ୍କ ଅଧକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ
ସିବିଆଇ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଦୁଇ ବ୍ୟାଙ୍କର ବରିଷ୍ଠ ଅଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାଲାଗି ସରକାର ପଦକ୍ଷେପ ଆରମ୍ଭ କରିଦେଇଛନ୍ତି ବୋଲି ଆର୍ଥିକ ବ୍ୟାପାର ବିଭାଗ ସଚିବ ରାଜୀବ କୁମାର କହିଛନ୍ତି। ବ୍ୟାଙ୍କ ବୋର୍ଡରୁ ନିର୍ଦ୍ଦେଶକମାନଙ୍କୁ ବିଦା କରିବା ଲାଗି ଏକ ପ୍ରକ୍ରିୟା ରହିଛି ଏବଂ ତାହା ଆରମ୍ଭ ହୋଇଯାଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆହ୍ଲାବାଦ ବ୍ୟାଙ୍କର ବୋର୍ଡ ବୈଠକ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ହେବ।
ପିଏନ୍‌ବି ବୋର୍ଡର ଜରୁରୀ ବୈଠକ
ଆଜି ପିଏନ୍‌ବି ବୋର୍ଡର ଏକ ଜରୁରୀ ବୈଠକ ଡକାଯାଇଥିଲା। ଅଭିଯୋଗ ଫର୍ଦ୍ଦରେ ସ୍ଥାନ ପାଇଥିବା ଦୁଇ ଜଣ କାର୍ଯ୍ୟନିର୍ବାହୀଙ୍କଠାରୁ ସମସ୍ତ କ୍ଷମତା କାଢ଼ି ନେବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏତଦ୍‌ବତୀତ ସେମାନଙ୍କ ସ୍ଥାନରେ ଅନ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେବା ଲାଗି ବୋର୍ଡ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।
୧୦ ଦିନ ପୂର୍ବରୁ ସ୍ପଷ୍ଟୀକରଣ ମାଗିଥିଲା ଅର୍ଥ ମନ୍ତ୍ରାଳୟ
୧୦ ଦିନ ପୂର୍ବରୁ ଆମେ ପିଏନ୍‌ବିର ଦୁଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ଆହ୍ଲାବାଦ ବ୍ୟାଙ୍କର ଏମ୍‌ଡି ତଥା ସିଇଓଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲୁ। କାରଣ ରିଜର୍ଭ ବ୍ୟାଙ୍କର ୨୦୧୬ ମସିହାର ସର୍କୁଲାର ଅନୁଯାୟୀ, ସ୍ୱିଫ୍ଟ ସହିତ ସିବିଏସ୍‌କୁ ଯୋଡ଼ିବା ଲାଗି ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ବ୍ୟାଙ୍କର ବରିଷ୍ଠ ଅଧକାରୀମାନେ ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରି ନଥିଲେ। ଫଳରେ ଅଭିଯୁକ୍ତମାନେ ଜାଲ୍‌ ଏଲଓୟୁ ହାତେଇ ଠକେଇ କରିଥିଲେ ବାଲି ଆର୍ଥିକ ବ୍ୟାପାର ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର