ମୁମ୍ବାଇ: ତେର ହଜାର କୋଟି ଟଙ୍କାର ଋଣ ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସମ୍ପତ୍ତି ଉପରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ନଜର ପକାଇଛି। ନିରବଙ୍କ ପୁନେ, ଦୁବାଇ, ସିଙ୍ଗାପୁର ଓ ହଂକଂରେ ଥିବା ଫ୍ଲାଟ୍, ମୋଟର ବୋଟ୍ ଓ ୫.୫ କୋଟି ଟଙ୍କା ମୂଲ୍ୟର ଗହଣାକୁ ବ୍ୟାଙ୍କ ଜବତ କରିବାକୁ ଚାହୁଁଛି। କେବଳ ସେତିକି ନୁହେଁ, ନିରବଙ୍କ ପାଖରେ ଥିବା ଦାମୀ ଚିତ୍ରକଳା (ପେଣ୍ଟିଙ୍ଗ୍)ଗୁଡ଼ିକୁ ମଧ୍ୟ ବ୍ୟାଙ୍କ ଜବତ କରିବାକୁ ଲକ୍ଷ୍ୟ ରଖିଛି। ନିରବଙ୍କ ପାଖରେ ଭିଏସ୍ ଗାୟତୁଣ୍ଡେ, ଏମ୍ ଏଫ୍ ହୁସେନ୍, କେକେ ହେବ୍ଦାର୍, ଅଞ୍ଜୋଳି ଇଲା ମେନନ୍, ବିଶ୍ୱନାଥ ନାଗେଶକର, ନନ୍ଦଲାଲ୍ ବୋଷ ଓ ବିବାନ୍ ସୁନ୍ଦରମ୍ଙ୍କ ଭଳି ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଅନନ୍ୟ କଳାକୃତି ରହିଛି। ସବୁଠୁ ଦାମୀ ଚିତ୍ରକଳା ହେଉଛି ରାଜା ରବି ବର୍ମା ଆଙ୍କିଥିବା ଟ୍ରାଭାଙ୍କୋର୍ ମହାରାଜା ଓ ତାଙ୍କ ଛୋଟ ଭାଇଙ୍କ ଚିତ୍ରକଳା। ଏହାର ମୂଲ୍ୟ ହେଉଛି ୪ କୋଟି ଟଙ୍କା। ନିରବଙ୍କ ୩୪୦୨ କୋଟି ଟଙ୍କାର ଏକ ସମ୍ପତ୍ତି ତାଲିକାକୁ ପିଏନ୍ବି ପକ୍ଷରୁ ଡେବ୍୍ଟ ରିକଭରି ଟ୍ରିବ୍ୟୁନାଲ୍ (ଡିଆର୍ଟି)କୁ ପ୍ରଦାନ କରାଯାଇଛି। ଏହି ସବୁ ସମ୍ପତ୍ତି ଜବତ କରିବାକୁ ବ୍ୟାଙ୍କ ଟ୍ରିବ୍ୟୁନାଲ୍ଠାରୁ ଅନୁମତି ମାଗିଛି। ବ୍ୟାଙ୍କ ଦେଇଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ ରହିଛି ଯେ, ଦୁବାଇରେ ନିରବଙ୍କ ତିନିଟି ଫ୍ଲାଟ୍ ରହିଛି ଯାହାର ମୂଲ୍ୟ ହେଉଛି ୬.୫ କୋଟି ଟଙ୍କା। ସିଙ୍ଗାପୁର ଓ ହଂକଂରେ ତାଙ୍କର ଗୋଟିଏ ଲେଖାଏଁ ଫ୍ଲାଟ୍ ରହିଛି। ନିରବଙ୍କ ପାଖରେ ୮ ଲକ୍ଷ ଟଙ୍କାର ନଗଦ ରାଶି ମଧ୍ୟ ରହିଛି।
ନିରବଙ୍କ ଦାମୀ ଚିତ୍ରକଳା ଉପରେ ପିଏନ୍ବିର ନଜର
/sambad/media/post_attachments/wp-content/uploads/2018/07/painting-nirav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)