ନୂଆଦିଲ୍ଲୀ : ଦେଶର ୧୦ଟି ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରିବା ଲାଗି ଗତବର୍ଷ ସରକାର ଯେଉଁ ଘୋଷଣା କରିଥିଲେ ତାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ସହ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ଘଟିଛି। ଫଳରେ ଏହା ଦେଶର ଦ୍ବିତୀୟ ବଡ଼ ସରକାରୀ ବ୍ୟାଙ୍କ ଭାବେ ଉଭା ହୋଇଛି। ଏହି ମିଶ୍ରିତ ବ୍ୟାଙ୍କର ମୋଟ କାରବାର ରାଶି ୧୮ ଲକ୍ଷ କୋଟି ଟଙ୍କା ପାଖାପାଖି ରହିଥିବା ବେଳେ ଦେଶରେ ୧୧୦୦୦ରୁ ଅଧିକ ଶାଖା ଏବଂ ୧୩ ହଜାରୁ ଅଧିକ ଏଟିଏମ୍ ରହିଛି। ପିଏନ୍ବିର ଏମ୍ଡି ଓ ସିଇଓ ଏସ୍ ଏସ୍ ମଲ୍ଲିକାର୍ଜୁନ ରାଓ ନୂତନ ବ୍ୟାଙ୍କର ସିଇଓ ଭାବେ କାର୍ଯ୍ୟ କରିବେ। ଏହି ଐତିହାସିକ ମୁହୂର୍ତର ଅଂଶ ହୋଇଥିବାରୁ ଆମେ ଗର୍ବିତ ବୋଲି ସେ କହିଛନ୍ତି। ସେହିପରି, କାନାରା ବ୍ୟାଙ୍କ ସହିତ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ହୋଇଛି। ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହୋଇଛି। ଇଣ୍ଡିଆନ୍ ବ୍ୟାଙ୍କ ସହିତ ଆହ୍ଲାବାଦ ବ୍ୟାଙ୍କ ମିଶିଯାଇଛି। ଆଗାମୀ ଦିନରେ ପିଏନବି, କାନାରା ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ମୂଳ ବ୍ୟାଙ୍କ ଭାବେ କାର୍ଯ୍ୟ କରିବେ। ସେମାନଙ୍କ ସହିତ ମିଶିଥିବା ଅନ୍ୟ ଛଅଟି ବ୍ୟାଙ୍କର କାରବାର ମିଶିଯିବ। ଏହି ବ୍ୟାଙ୍କଗୁଡ଼ିକର ଗ୍ରାହକମାନେ ମୂଳ ବ୍ୟାଙ୍କର ଗ୍ରାହକ ଭାବେ ବିବେଚିତ ହେବେ। ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ସତ୍ତ୍ବେ ବ୍ୟାଙ୍କ ମିଶ୍ରଣକୁ କାର୍ଯ୍ୟକାରୀ କରାଯାଇଛି। ଗତବର୍ଷ ଅଗଷ୍ଟରେ ଏହି ମେଗା ବ୍ୟାଙ୍କ ମିଶ୍ରଣ ବିଷୟରେ ଘୋଷଣା କରାଯାଇଥିଲା। ବ୍ୟାଙ୍କର ଅଫିସର ସଂଘଗୁଡ଼ିକ ଏହାକୁ ବିରୋଧ କରୁଥିଲେ। ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ମିଶ୍ରଣକୁ ଆଉ କିଛି ଦିନ ଘୁଞ୍ଚାଇ ଦେବା ଲାଗି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ମିଶ୍ରଣ ଯୋଗୁଁ କର୍ମଚାରୀ ଛଟେଇ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ କୌଣସି ପ୍ରକାର ଛଟେଇ ହେବ ନାହିଁ। ଦେଶକୁ ୨୦୨୫ ସୁଦ୍ଧା ୫ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମଧ୍ୟରୁ ବ୍ୟାଙ୍କ ମିଶ୍ରଣ ଥିଲା ଅନ୍ୟତମ ପଦକ୍ଷେପ।
୧୦ ବ୍ୟାଙ୍କର ମିଶ୍ରଣରେ ସୃଷ୍ଟି ହେଲା ୪ଟି ବଡ଼ ବ୍ୟାଙ୍କ : ପିଏନ୍ବି ଦେଶର ଦ୍ବିତୀୟ ବଡ଼ ସରକାରୀ ବ୍ୟାଙ୍କ
/sambad/media/post_attachments/wp-content/uploads/2020/04/pnb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)