ପିଏନବି ମହାଦୁର୍ନୀତି: ଆଉ ୮ କର୍ମଚାରୀ ନିଳମ୍ବିତ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୧୧,୪୦୦ କୋଟି ଦୁର୍ନୀତି ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଆଉ ୮ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି । ଏମାନେ ଏହି ଦୁର୍ନୀତି କରିବାରେ ନିରବ ମୋଦିଙ୍କୁ ସାହାଯ୍ୟ କରିଥିବା ସଂଦେହ କରାଯାଉଛି । ଏହି ୮ ଜଣଙ୍କ ମଧ୍ୟରେ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀ ଅଛନ୍ତି । ଏହି ଘଟଣାରେ ଗତ ବୁଧବାରଦିନ ମଧ୍ୟ ପିଏନବି ୧୦ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରିଥିଲା । ଫଳରେ ଏହି ମହାଦୁର୍ନୀତି ମାମଲାରେ ନିଳମ୍ବିତ ହୋଇଥିବା ପିଏନବି କର୍ମଚାରୀ ସଂଖ୍ୟା ୧୮ରେ ପହଞ୍ଚିଛି । ଏହି କର୍ମଚାରୀମାନେ ଚକ୍ରାନ୍ତ କରି ନିରବ ମୋଦିଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ବା ଏଲଓୟୁ ଜାରି କରିଥିଲେ ଓ ଏହି ଏଲଓୟୁକୁ ଦେଖାଇ ନିରବ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିଲେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏଲଓୟୁକୁ ଏକ ପ୍ରକାରର ଗ୍ୟାରେଣ୍ଟି ବୋଲି ଧରାଯାଏ, ଏହାକୁ ଦେଖାଇ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାରୁ ଋଣ ନେଇହେବ । କିନ୍ତୁ ଏସବୁ ଋଣ ପାଇଁ ସଂପୃକ୍ତ ବ୍ୟାଙ୍କ ଦାୟୀ ରହିବ । ଅର୍ଥାତ୍‌ ଋଣ ନେଇ ଥିବା ବ୍ୟକ୍ତି ବା ସଂସ୍ଥା ନ ସୁଝିଲେ ସେଥିଲାଗି ଏଲଓୟୁ ଦେଇଥିବା ବ୍ୟାଙ୍କ ହିଁ ସୁଝିବ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅନ୍ୟ ବ୍ୟାଙ୍କମାନଙ୍କର ଋଣ ପରିଶୋଧ କରାଯିବ ବୋଲି ପିଏନବି କହିଛି । ଏହି ଅର୍ଥ ଆଭ୍ୟନ୍ତରୀଣ ସୁତ୍ରରୁ ସଂଗ୍ରହ କରାଯିବ ବୋଲି ବ୍ୟାଙ୍କ କହିଛି ।

ସମ୍ବନ୍ଧିତ ଖବର