ପୋଲାଭରମ ପ୍ରକଳ୍ପ ବ୍ୟୟ ଅଧାରୁ ଅଧିକ କମିଲା: ଆନ୍ଧ୍ର ମାଗୁଛି ୪୭,୭୨୫ କୋଟି, କେନ୍ଦ୍ର ‌ଦେଉଛି ୨୦,୩୯୮ କୋଟି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପୋଲାଭରମ ବହୁମୁଖୀ ପ୍ରକଳ୍ପକୁ ବଡ଼ ଧକ୍କା ଲାଗିଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଆନ୍ଧ୍ର ସରକାର ଯେତିକି ଟଙ୍କା ମାଗୁଛନ୍ତି କେନ୍ଦ୍ର ‌ସରକାର ସେତିକି ଅର୍ଥ ଦେବାକୁ ପ୍ରସ୍ତୁତ ନାହାନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପୋଲାଭରମ ପ୍ରକଳ୍ପର ବ୍ୟୟବରାଦକୁ ହ୍ରାସ କରିଥିବାରୁ ‌ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ କେନ୍ଦ୍ର ଉପରେ ଖପ୍ପା ହୋଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଗତ ସପ୍ତାହରେ ଏକ ଚିଠି ମଧ୍ୟ ଲେଖିଛନ୍ତି। ସୋମବାର କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏ ନେଇ ଏକ ବୈଠକ ବି ହେବ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ଜଗନ ମୋଦୀଙ୍କ ଲେଖିଥିବା ଚିଠିରେ ସଂ‌ଶୋଧିତ ବ୍ୟୟ ଅଟକଳ ଅବାସ୍ତବ ବୋଲି କହିଛନ୍ତି। ଫଳରେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୋମବାର ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଅଧିକାରୀଙ୍କ ଏକ ବୈଠକ ହେବ ବୋଲି ଆଶା କରାଯାଉଛି। ପ୍ରକଳ୍ପ ଶେଷ ହେବା ପାଇଁ କେତେ ଅର୍ଥ ଆବଶ୍ୟକ ତାହା ଉପରେ ଏହି ପ୍ରକଳ୍ପ ଉପରେ ଆଲୋଚନା ହେବ। ପିପିଏରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି। ‌୨୦୧୪ ମସିହାରେ ପିପିଏ ଗଠନ ହୋଇଥିଲା। ୨୦୧୭-୧୮ର ଦର ହିସାବରେ ପିପିଏ ପକ୍ଷରୁ ପ୍ରକଳ୍ପ ପାଇଁ ୪୭,୭୨୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୧୩-୧୪ ଦର ହିସାବରେ ପ୍ରକଳ୍ପ ବ୍ୟୟକୁ ଅର୍ଥ ମନ୍ତ୍ରାଳୟ ୨୦୩୯୮ କୋଟି ଟଙ୍କାରେ ଧାର୍ଯ୍ୟ କରିଛି। ସଂଶୋଧିତ ବ୍ୟୟ ଅଟକଳକୁ ଗ୍ରହଣ କରିବ ବୋଲି ସର୍ତ୍ତ ରଖି ଅର୍ଥ ମନ୍ତ୍ରାଳୟ ପିପିଏକୁ ପାଣ୍ଠି ପ୍ରଦାନ କରିଛି ବୋଲି ଗତ ୧୨ ତାରିଖରେ ପିପିଏକୁ ଜଣାଇଛି। ଉଲ୍ଲେଖଯୋଗ୍ୟ ଯେ, ଗୋଦାବରୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ୨୦୧୪‌ ମସିହରେ ଜାତୀୟ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାର ଅର୍ଥ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେବେ ଏବଂ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ। ତେବେ ଏହି ପ୍ରକଳ୍ପକୁ ଓଡ଼ିଶା ଦୃଢ଼ ବିରୋଧ କରି ଆସୁଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଡ଼ିଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର