ପୁଲିସ୍‌କୁ ଆଧାର ତଥ୍ୟ ମନା

ନୂଆଦିଲ୍ଲୀ: ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଧାର ତଥ୍ୟ ପୁଲିସକୁ ଦିଆଯିବ ନାହିଁ। ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଙ୍ଗୁଠି କିମ୍ବା ଆଖି ଡୋଳା ଆଦିର ତଥ୍ୟ ବା ବାୟୋମେଟ୍ରିକ ଡାଟା ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର ପାଇଁ ଦିଆଯିବାର ବ୍ୟବସ୍ଥା ଆଇନରେ ନାହିଁ ବୋଲି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ଆଜି କୁହାଯାଇଛି। ଅପରାଧୀ, ବିଶେଷକରି ପ୍ରଥମ ଥର ପାଇଁ ଅପରାଧ ଦୁନିଆରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ୍‌କୁ ଆଧାର ତଥ୍ୟ କିଛିମାତ୍ରାରେ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ନିର୍ଦ୍ଦେଶକ ଇଶ୍‌ କୁମାର ମତ ଦେବାର ଦିନକ ପରେ ୟୁଆଇଡିଏଆଇ ପକ୍ଷରୁ ଏହା କୁହାଯାଇଛି। କେବଳ ସେତିକି ନୁହେଁ ଅତୀତରେ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଆଧାର ତଥ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ମଧ୍ୟ ୟୁଆଇଡିଏଆଇ ସ୍ପଷ୍ଟ କରିଦେଇଛି। ତେବେ ଆଧାର ଆଇନର ଧାରା ୩୩ରେ ଅନ୍ୟକୁ ତଥ୍ୟ ପ୍ରଦାନ ସଂକ୍ରାନ୍ତରେ କିଛିଟା ବ୍ୟତିକ୍ରମ ରହିଛି। ଜାତୀୟ ସୁରକ୍ଷା ସଂକ୍ରାନ୍ତରେ ଜଡ଼ିତ ମାମଲାରେ ଆଧାର ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ବ୍ୟତିକ୍ରମ ମଧ୍ୟରେ ଆସୁଛି। ତେବେ କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ନୀରିକ୍ଷଣ କମିଟିର ପ୍ରାକ୍‌ ସ୍ୱୀକୃତି ଏଥିପାଇଁ ଆବଶ୍ୟକ। ଉକ୍ତ କମିଟିର ପ୍ରାକ୍‌ ସ୍ୱୀକୃତି ମିଳିବା ପରେ ହିଁ ଏହି ତଥ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟରେ ଚାଲିଥିବା ଆଧାର ମାମଲାରେ କେନ୍ଦ୍ର ସରକାରଙ୍କ ମତ ମଧ୍ୟ ଏୟା ହିଁ ରହିଛି ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ଆଧାର ଆଇନରେ ଏହା ମଧ୍ୟ କୁହାଯାଇଛି ଯେ, ୟୁଆଇଡିଏଆଇ ପକ୍ଷରୁ ସଂଗ୍ରହ କରାଯାଉଥିବା ବାୟୋମେଟ୍ରିକ ଡାଟାକୁ କେବଳ ‘ଆଧାର’ ତିଆରି ପାଇଁ ଏବଂ ଆଧାରକାର୍ଡ ଧାରୀଙ୍କୁ ପରିଚୟର ପ୍ରମାଣୀକରଣ ଲାଗି ବ୍ୟବହାର କରାଯାଇ ପାରିବ। ଏହାଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଏହି ଆଇନକୁ ଆଧାର କରି ଲୋକଙ୍କ ଆଧାର ତଥ୍ୟ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଏକ ନିର୍ଦ୍ଦିଷ୍ଟ ମାମଲାରେ ଆଧାର ତଥ୍ୟକୁ ତଦନ୍ତକାରୀ ସଂସ୍ଥାକୁ ଦେବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ବୋଲି ୟୁଆଇଡିଏଆଇ କହିଛି।

ସମ୍ବନ୍ଧିତ ଖବର