ଭୁବନେଶ୍ବର: ଅପରାଧଗୁଡ଼ିକର ତଥ୍ୟକୁ ଏକୀକୃତ କରି ରଖିବା ଲାଗି ଅପରାଧ ଓ ଅପରାଧୀ ଟ୍ରାକିଂ ନେଟ୍‌ୱର୍କ ସିଷ୍ଟମ (ସିସିଟିଏନ୍‌ଏସ୍‌)କୁ ୧୭୬.୧୬ କୋଟି ଟଙ୍କାରେ ବିକାଶ କରାଯାଇଛି। ଏହି ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ କିନ୍ତୁ ପୁଲିସ ଠିକ୍ ଭାବେ ବ୍ୟବହାର କରୁନାହିଁ। ପୁରୁଣା ଅପରାଧ ତଥ୍ୟକୁ ଡିଜିଟାଇଜ୍‌ କରିବାଠାରୁ ଆରମ୍ଭ କରି ଚାର୍ଜସିଟ୍ ପ୍ରସ୍ତୁତି ବେଳେ ବ୍ୟବହାର କରିବା ପର୍ଯ୍ୟନ୍ତ, ସବୁଥିରେ ପୁଲିସ ଅବହେଳା କରିଥିବା ସିଏଜି ରି ପୋର୍ଟରୁ ଜଣାପଡ଼ିଛି।

Advertisment

ଆଜି ବିଧାନସଭାରେ ଉପସ୍ଥାପନ ହୋଇଥିବା ‘ଅପରାଧ ଓ ଅପରାଧୀ ଟ୍ରାକିଂ ନେଟ୍‌ୱର୍କ ସିଷ୍ଟମ୍’ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ପ୍ରକଳ୍ପରେ ତଥ୍ୟକୁ ଡିଜିଟାଇଜ୍ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା। ୨୦୦୧ରୁ ୨୦୧୦ ପର୍ଯ୍ୟନ୍ତର ୧୦ ବର୍ଷର ପୁରୁଣା ମାମଲାଗୁଡ଼ିକୁ ଡିଜିଟାଇଜ୍ କରିବାକୁ କୁହାଯାଇଥିଲା। କିନ୍ତୁ ତାହା ବଦଳରେ ୨୦୦୩ରୁ ୨୦୧୨ ପର୍ଯ୍ୟନ୍ତ ତଥ୍ୟକୁ ଡିଜିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ବ୍ୟବହାର କରାଯାଉଥିବା ସିଷ୍ଟମ୍‌ରୁ ମଧ୍ୟ ଠିକ୍ ଭାବେ ତଥ୍ୟ ସ୍ଥାନାନ୍ତର କରାଯାଇନଥିଲା। କାରଣ ସେହି ତଥ୍ୟଗୁଡ଼ିକୁ ଡିଜିଟାଇଜ୍ କରାଯାଇନଥିଲା। ପୁଲିସ ଷ୍ଟେସନଗୁଡ଼ିକୁ ସଠିକ୍ ରିପୋର୍ଟିଂ କର୍ତ୍ତୃପକ୍ଷଙ୍କ ସହ ଠିକ୍ ଭାବେ ମ୍ୟାପିଂ କରାଯାଇନଥିଲା। ତେଣୁ ଫୌଜଦାରୀ ମାମଲାଗୁଡ଼ିକର ସ୍ଥିତି ତାଦରଖ କରାଯାଇପାରୁନାହିଁ। ଏବେବି ଅନେକ କାମ ଅଫଲାଇନ୍ ଓ ମାନୁଆଲ୍ ଉପାୟରେ ହେଉଛି। ଜେନେରାଲ୍‌ ଡାଏରି ତାରିଖ ପୂର୍ବରୁ ଏତଲା ପଞ୍ଜୀକରଣ ହୋଇଥିବା ଦର୍ଶାଯାଉଛି। ଏତଲା ଦାଖଲ ପୂର୍ବରୁ ଗିରଫ ଓ ଜବତ ଭଳି ତଥ୍ୟ ପ୍ରଦାନ କରାଯାଇଛି। ୪୧୨ଟି ମାମଲାରେ ଜେନେରାଲ ଡାଏରି ତାରିଖ ପୂର୍ବରୁ ଏତଲା ତାରିଖ ଦର୍ଶାଯାଇଛି ବୋଲି ସିଏଜି କହିଛନ୍ତି। ୫୫୫୬ଟି ଶିଶୁ ନିଖୋଜ ମାମଲାକୁ ବିନା ଏତଲାରେ ସିଷ୍ଟମରେ ଉଲ୍ଲେଖ କରାଯାଇଥିଲା। ପୁଲିସ ଷ୍ଟେସନଗୁଡ଼ିକ ଅଣ ଅପରାଧିକ ମାମଲା ତଥ୍ୟ ସିଷ୍ଟମ୍‌କୁ ଦେଉନାହାନ୍ତି।

ମାନୁଆଲ ଉପାୟରେ ହେଉଛି ଅଧିକ କାମ
ବ୍ୟବସ୍ଥା ଅପବ୍ୟବହାର ଆଶଙ୍କା
ସମ୍ବେଦନଶୀଳ ମାମଲାରେ ପରିଚୟ ପ୍ରଘଟ

ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକାର ଅଭାବ ଥିବାରୁ ତାହା ଠିକ୍ ଭାବେ ବ୍ୟବହାର ହୋଇପାରୁନାହିଁ। ୨୦୧୮ରୁ ୨୦୨୩ ମଧ୍ୟରେ ମାନୁଆଲ୍ ଉପାୟରେ ୭.୪୪ ଲକ୍ଷ ଏତଲା ରୁଜୁ ହୋଇଥିବା ବେଳେ ସିଷ୍ଟମ୍‌ରେ କିନ୍ତୁ ମାତ୍ର ୧୮,୧୫୩ଟି କେସ୍‌ ଡାଏରି ତଥ୍ୟକୁ ଅପ୍‌ଲୋଡ୍‌ କରାଯାଇଥିଲା। ଚାର୍ଜସିଟ୍‌ ପ୍ରସ୍ତୁତ କରିବାରେ ମଧ୍ୟ ଏହି ବ୍ୟବସ୍ଥାକୁ ପୁଲିସ ବ୍ୟବହାର କରୁନଥିବା ସିଏଜି କହିଛନ୍ତି। ଯେହେତୁ ମାନୁଆଲ ଉପାୟ କାମ କରିବାକୁ ପୁଲିସ ପସନ୍ଦ କରୁଛି, ସେଥିପାଇଁ ଏହି ବ୍ୟବସ୍ଥାରେ କୋର୍ଟ ଡିସ୍‌ପୋଜାଲ୍‌ ମେମୋର ତଥ୍ୟ ମଧ୍ୟ ନାହିଁ। ଅପରାଧର ରେକର୍ଡ ରଖିବାରେ ସ୍ବଚ୍ଛତା ଆଣିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ପୁଲିସ ଠିକ୍ ଭାବେ ତାହା ବ୍ୟବହାର କରୁନଥିବାରୁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନଥିବା ସିଏଜି କହିଛନ୍ତି। ସମ୍ବେଦନଶୀଳ ମାମଲାଗୁଡ଼ିକୁ ମଧ୍ୟ ପୁଲିସ ଠିକ୍ ଢଙ୍ଗରେ ପରିଚାଳନା କରୁନାହିଁ। ୨୦୧୮ରୁ ୨୦୨୩ ମଧ୍ୟରେ ୧୩,୯୪୮ଟି ମାମଲାକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲା। ତେଣୁ ସେହି ମାମଲା ସହ ଜଡ଼ିତ ପୀଡ଼ିତା, ଶିଶୁ ଅପରାଧୀଙ୍କ ପରିଚୟ ଲୁଚାଇ ରଖିବା ନିୟମ ଥିଲେ ମଧ୍ୟ ତାହା ପାଳନ କରାଯାଇନଥିଲା। ୪୦୫ଟି ପୁଲିସ ଷ୍ଟେସନର ୧୬୩୧ଟି ମାମଲା ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ସେହି ବର୍ଗରେ ତାହାକୁ ସାମିଲ କରାଯାଇନଥିଲା। ଫଳରେ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ ହୋଇଥିଲା।