ନିତି ଆୟୋଗ ରିପୋର୍ଟ: ଡେଲିଭରି ଏଜେଣ୍ଟ୍‌ଙ୍କ ପାଇଁ ପେନ୍‌ସନ୍, ବୀମା ଶୀଘ୍ର

ନୂଆଦିଲ୍ଲୀ: ଟାକ୍ସି ଚାଳକ, ଖାଦ୍ୟ ଓ ସାମଗ୍ରୀ ଡେଲିଭରି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ। ଲୋକମାନଙ୍କ ନିକଟରେ ପସନ୍ଦର ସାମଗ୍ରୀଠାରୁ ଆରମ୍ଭ କରି ଖାଦ୍ୟ ପହଞ୍ଚାଉଥିବା ଓ ଗାଡ଼ିରେ ପ୍ରିୟଜନଙ୍କୁ ବିଭିନ୍ନ ସ୍ଥାନକୁ ନେଉଥିବା ଏହି କର୍ମଚାରୀମାନେ ସାମାଜିକ ସୁରକ୍ଷା ପରିସରରୁ ବାହାରେ ରହିଛନ୍ତି। ବୃଦ୍ଧାବସ୍ଥା କିମ୍ବା ଅବସର ସମୟ ଲାଗି ସେମାନଙ୍କ ପାଇଁ କିଛି ବି ବ୍ୟବସ୍ଥା ନାହିଁ। ସେଭଳି କର୍ମଚାରୀମାନଙ୍କୁ ଲାଗି ଖୁବ୍‌ଶୀଘ୍ର ପେନ୍‌ସନ୍ ଓ ବୀମାର ବ୍ୟବସ୍ଥା କରାଯିବ। ସମସ୍ତ ଡେଲିଭରି ଏଜେଣ୍ଟ୍‌ ଓ ଡ୍ରାଇଭରମାନଙ୍କୁ ଦୁର୍ଘଟଣା ବୀମା ପ୍ରଦାନ କରିବା ଲାଗି ନିତି ଆୟୋଗ ପରାମର୍ଶ ଦେଇଛି। ଘରୋଇ ସଂସ୍ଥା କିମ୍ବା ସରକାରଙ୍କ ସହ ମିଶି କଂପାନିଗୁଡ଼ିକ ଏଥିପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି କୁହାଯାଇଛି।

କାମ କରିବା ସମୟରେ ଆଘାତ ସମସ୍ୟା ଯୋଗୁଁ ଚାକିରି ହରାଇଲେ କିମ୍ବା ଆୟ ବନ୍ଦ ହୋଇଯିବା କାରଣରୁ ସୃଷ୍ଟି ହେବାକୁ ଥିବା ସ୍ଥିତି ମୁକାବିଲା କରିବା ଲାଗି ଡେଲିଭରି ଏଜେଣ୍ଟ୍‌, ଟାକ୍ସି ଚାଳକ ଆଦିମାନଙ୍କୁ ଅବସରକାଳୀନ ଯୋଜନା, ବାର୍ଦ୍ଧକ୍ୟ ସମୟର ସୁବିଧା ଏବଂ ଅନ୍ୟାନ୍ୟ ବୀମା ସୁବିଧା ପ୍ରଦାନ କରିବା ବିଷୟରେ କଂପାନିଗୁଡ଼ିକ ବିଚାର କରିବା ଦରକାର ବୋଲି ନିତି ଆୟୋଗ ଏକ ରିପୋର୍ଟ ଜାରି କରି ପରାମର୍ଶ ଦେଇଛି। ବୀମା କଂପାନିଗୁଡ଼ିକ ସହଯୋଗିତାରେ ଏହି ଯୋଜନାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା କୋଡ୍ ୨୦୨୨ ଅନୁସାରେ ସରକାରଙ୍କ ସହ ମିଶି ମଧ୍ୟ ଏହି ସୁବିଧା ଦିଆଯାଇପାରିବ। ଏଭଳି କର୍ମଚାରୀମାନଙ୍କ ଲାଗି ବିଶ୍ବର ବିଭିନ୍ନ ଦେଶରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକ ବିଷୟରେ ମଧ୍ୟ ରିପୋର୍ଟରେ ଆଲୋଚନା କରାଯାଇଛି। ବର୍ଷ ସାରା କଂପାନି ସହ ଯୋଡ଼ି ହୋଇରହୁଥିବା କର୍ମଚାରୀମାନଙ୍କ ଲାଗି ଅସୁସ୍ଥତା ଜନିତ ଛୁଟି ଓ ସ୍ବାସ୍ଥ୍ୟ ବୀମାର ବ୍ୟବସ୍ଥା କରିବାକୁ ମଧ୍ୟ କଂପାନିଗୁଡ଼ିକୁ କୁହାଯାଇଛି। ଏହି ରିପୋର୍ଟରେ ନିତି ଆୟୋଗ ଆକଳନ କରିଛି ଯେ ୨୦୨୯-୩୦ ସୁଦ୍ଧା ଗିଗ୍‌ କର୍ମଚାରୀଙ୍କ ସଂଖ୍ୟା ୨.୩୫ କୋଟିରେ ପହଞ୍ଚିବ। ଯେଉଁମାନେ ସ୍ବାଧୀନ ଭାବେ ଡେଲିଭରି ଏଜେଣ୍ଟ୍‌, ଟାକ୍ସି ଡ୍ରାଇଭର ଆଦି ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଗିଗ୍‌ କର୍ମଚାରୀ କୁହାଯାଉଛି। ପ୍ରଥମ ଥର ପାଇଁ ନିତି ଆୟୋଗ ପକ୍ଷରୁ ଏହି କ୍ଷେତ‌୍ରରେ ରହିଥିବା ସମ୍ଭାବନା ଜାଣିବା ଲାଗି ଅଧ୍ୟୟନ କରାଯାଇଥିଲା। ୨୦୨୦-୨୧ରେ ଗିଗ୍ କର୍ମଚାରୀଙ୍କ ସଂଖ୍ୟା ୭୭ ଲକ୍ଷ ଥିଲା। ବର୍ତ୍ତମାନ ମୋଟ ଗିଗ୍ କର୍ମଚାରୀଙ୍କ ମଧ୍ୟରୁ ୪୭ ପ୍ରତିଶତ ମଧ୍ୟମ ଦକ୍ଷତାର କାମ କରୁଥିବା ବେଳେ ୨୨% ଉଚ୍ଚ ଦକ୍ଷତା ଓ ୩୧% ନିମ୍ନ ଦକ୍ଷତା ଭିତ୍ତିକ କାମରେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର