କରୋନା କବଚ ବନାମ କରୋନା ରକ୍ଷକ ପଲିସି

ନୂଆଦିଲ୍ଲୀ: କୋଭିଡ୍-୧୯ ଜନିତ ହସ୍ପିଟାଲ୍ ଭର୍ତି ଖର୍ଚ୍ଚ ତୁଲାଇବା ଲାଗି ସ୍ବଳ୍ପମିଆଦୀ ବୀମା ପଲିସି ଆଣିବା ଲାଗି ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ବୀମା କଂପାନିଗୁଡ଼କୁ ନିର୍ଦେଶ ଦେଇଥିଲେ। ବଜାରରେ ଏବେ କରୋନା ପାଇଁ ଦୁଇ ପ୍ରକାର ପଲିସି ଉପଲବ୍ଧ ହେଉଛି। ତାହା ହେଉଛି କରୋନା କବଚ ପଲିସି ଓ କରୋନା ରକ୍ଷକ ପଲିସି। କରୋନା କବଚ ପଲିସି ହେଉଛି ଏକ ଇଣ୍ଡେମନିଟି ପ୍ଲାନ୍ ଯେଉଁଥିରେ ହସ୍ପିଟାଲ୍‌ରେ ହୋଇଥିବା ଖର୍ଚ୍ଚ ଫେରସ୍ତ ମିଳିବ। ମାତ୍ର କରୋନା ରକ୍ଷକ ହେଉଛି ଏକ ଲାଭ ଭିତ୍ତିକ ପ୍ଲାନ୍, ତେଣୁ ଏଥିରେ ବୀମାଧାରକଙ୍କୁ ସମ୍ପୂର୍ଣ୍ଣ ବୀମା ରାଶି ପ୍ରଦାନ କରାଯିବ। ଉଭୟ ପଲିସିରେ ଅନ୍ୟାନ୍ୟ ରୋଗର ଚିକିତ୍ସା ବାବଦ ଖର୍ଚ୍ଚକୁ ମଧ୍ୟ ବହନ କରିବାର ସୁବିଧା ରହିଛି। ତେଣୁ କୌଣସି ପଲିସିକୁ କେବଳ କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ଦିନ ପାଇଁ କିଣିବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। ଯେଉଁମାନଙ୍କ ପାଖରେ କୌଣସି ପ୍ରକାର ସ୍ବାସ୍ଥ୍ୟ ବୀମା ନାହିଁ ସେମାନେ ଦୀର୍ଘମିଆଦୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଲିସି କିଣିବା ଦରକାର। ଯେଉଁମାନଙ୍କ ପାଖରେ ପୂର୍ବରୁ ସ୍ବାସ୍ଥ୍ୟ ବୀମା ରହିଛି ‌ସେମାନେ ସ୍ବଳ୍ପ ସମୟ ପାଇଁ କରୋନା କବଚ କିମ୍ବା କରୋନା ରକ୍ଷକ ପଲିସି କିଣିପାରିବେ।

କେଉଁଠି ମିଳିବ
କରୋନାକୁ ନେଇ ସାଧାରଣ ସ୍ବାସ୍ଥ୍ୟ ବୀମା ପଲିସି ହେଉଛି କରୋନା କବଚ ପଲିସି। ଏହାକୁ ଲୋକମାନେ ସାଧାରଣ ବୀମା ଓ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରୁଥିବା କଂପାନି ଠାରୁ କିଣିପାରିବେ। ଜୀବନ ବୀମା ସୁବିଧା ଦେଉଥିବା ସଂସ୍ଥାରେ ଏହି ପଲିସି ମିଳିବ ନାହିଁ। ମାତ୍ର କରୋନା ରକ୍ଷକ ପଲିସି ଜୀବନ ବୀମା କଂପାନିଗୁଡ଼ିକ ଠାରୁ କିଣିହେବ।

ଉପଲବ୍ଧତା
ଗତ ଜୁଲାଇ ୧୦ ପରଠାରୁ ୨୯ଟି ବୀମା କଂପାନି କରୋନା କବଚ ପଲିସି ବିକ୍ରି କରୁଛନ୍ତି। କରୋନା ରକ୍ଷକ ପଲିସିକୁ ଜୁଲାଇ ୧୦ ପୂର୍ବରୁ ଆଣିବାକୁ ଆଇଆରଡିଏଆଇ କଂପାନିଗୁଡ଼ିକୁ କହିଥିଲା। ତାହା ଉନ୍ମୋଚନ ଅପେକ୍ଷାରେ ରହିଛି।

ବୀମା ରାଶି
କରୋନା କବଚ ପଲିସିରେ ସର୍ବନିମ୍ନ ବୀମା ରାଶି ମୂଲ୍ୟ ହେଉଛି ୫୦,୦୦୦ ଟଙ୍କା ଏବଂ ସର୍ବାଧିକ ରାଶି ହେଉଛି ୫ ଲକ୍ଷ ଟଙ୍କା। କରୋନା ରକ୍ଷକ ପଲିସିରେ ସର୍ବନିମ୍ନ ବୀମା ରାଶି ୫୦ ହଜାର ଟଙ୍କା ହୋଇଥିବା ବେଳେ ସର୍ବୋଚ୍ଚ ବୀମା ରାଶି ମୂଲ୍ୟ ହେଉଛି ‌ଅଢ଼େଇ ଲକ୍ଷ ଟଙ୍କା।

ହସ୍ପିଟାଲ୍‌ରେ ରହଣୀ
କରୋନା କବଚ ପଲିସିର ଲାଭ ପାଇବାକୁ‌ ହେଲେ ହସ୍ପିଟାଲ୍‌ରେ ଅତିକମରେ ୨୪ ଘଂଟା ରହିବାକୁ ପଡ଼ିବ। ଯେତେଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ରହିଲେ ମଧ୍ୟ ବୀମା ରାଶି ମିଳିବ। ମାତ୍ର କରୋନା ରକ୍ଷକ ପଲିସିର ଲାଭ ହସ୍ପିଟାଲ୍‌ରେ ଲଗାତାର ୭୨ ଘଣ୍ଟା ରହିବା ପରେ ମିଳିବ।

ପଲିସିର ପ୍ରକାର
କରୋନା କବଚ ପଲିସିକୁ ଉଭୟ ବ୍ୟକ୍ତିବିଶେଷ ଏବଂ ପରିବାର ଫ୍ଲୋଟର ଭାବେ କିଣିହେବ। ମାତ୍ର କରୋନା ରକ୍ଷକ ପଲିସି କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ ହେଉଛି।

ବିକଳ୍ପ ସୁବିଧା
କରୋନା କବଚ ପଲିସିରେ ‘ହସ୍ପିଟାଲ୍‌ ଡେଲି କ୍ୟାସ୍‌’ ନାମକ ବିକଳ୍ପ ବ୍ୟବସ୍ଥା ରହିଛି। ଏଥିରେ ପ୍ରତିଦିନ ପାଇଁ ବୀମା କଂପାନି ବୀମା ରାଶିର ୦.୫ ପ୍ରତିଶତ ଅର୍ଥ ପ୍ରଦାନ କରିବେ। ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ମାତ୍ର କରୋନା ରକ୍ଷକ ପଲିସିରେ ସେଭଳି କିଛି ସୁବିଧା ନାହିଁ।

ସମ୍ବନ୍ଧିତ ଖବର