କୃଷି ବିଲ୍‌ ନେଇ ରାଜନୀତି

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇଥିବା କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ଅଧ୍ୟାଦେଶକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଜଣେ ମନ୍ତ୍ରୀ ହରସିମରତ୍‌ କୌର ବାଦଲ ଇସ୍ତଫା ଦେଇଛନ୍ତି। ଲୋକସଭାରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଓ କୃଷି ସେବା ବିଲ୍‌, ୨୦୨୦ ଲୋକସଭ‌ାରେ ପାସ୍ ହୋଇଛି। ମଙ୍ଗଳବାର ଦିନ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍‌ ପାସ୍ ହୋଇଥିଲା। ଏହି ବିଲ୍‌ଗୁଡ଼ିକ ହେଉଛି ବିବାଦର ମୂଳ କାରଣ। ଏହାକୁ କୃଷକ ବିରୋଧୀ କହି ବିରୋଧୀ ଦଳ କଂଗ୍ରେସ ଓ ସିରୋମଣି ଅକାଳି ଦଳ ପ୍ରତିବାଦ ଜଣାଇଛନ୍ତି।

ବିଲ୍‌କୁ ନେଇ ବିବାଦ କାହିଁକି?
‌ଦେଶର ମୋଟ ଚାଷୀଙ୍କ ମଧ୍ୟରୁ ୮୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଉଚିତ ଦାମ୍‌ରେ ବିକିବା ପାଇଁ ମୂଲଚାଲ କରିବାର ସୁଯୋଗ ପାଉନାହାନ୍ତି। ଉତ୍ପାଦନ ବଢ଼ାଇବା ଲାଗି ପ୍ରଯୁକ୍ତିରେ ମଧ୍ୟ ନିବେଶ କରିପାରୁନାହାନ୍ତି। ସେମାନଙ୍କ ଲାଭ ପାଇଁ ସରକାର ଆଣିଥିବା ବିଲ୍‌ରେ ଅନେକ ବ୍ୟବସ୍ଥା ରହିଛି। କୃ‌ଷି ବଜାର ସମ୍ପର୍କିତ ବିଲ୍‌ରେ ଚାଷୀମାନଙ୍କୁ ଏପିଏମ୍‌ସି ମଣ୍ଡି ବାହାରେ ନିଜ ସାମଗ୍ରୀ ବିକ୍ରି କରିବାର ଅନୁମତି ଦିଆଯାଇଛି। ଏହା ଦ୍ବାରା କମିସନ ଏଜେଣ୍ଡ୍‌ମାନେ କମିସନ ଓ ମଣ୍ଡି ଫି’ ହରାଇବେ। ଏହା ‌ବିରୋଧର ଏକ ପ୍ରମୁଖ କାରଣ। ଚାଷୀମାନେ ନିଜ କ୍ଷେତରୁ ଯାହାକୁ ଚାହିଁବେ ସାମଗ୍ରୀ ବିକିପାରିବେ। ପରିବହନରେ ହେଉଥିବା ସେମାନଙ୍କ ଖର୍ଚ୍ଚ ମଧ୍ୟ କମିବ। କଣ୍ଟ୍ରାକ୍ଟ ଫାର୍ମିଂକୁୂ ନେଇ ରହିଥିବା ବ୍ୟବସ୍ଥାରେ ଚାଷୀମାନେ ବଡ଼ ରିଟେଲ୍‌ ସଂସ୍ଥା ସହ ଚୁକ୍ତି କରିପାର‌ିବେ। ସେମାନେ ଉତ୍ପାଦିତ ସାମଗ୍ରୀର କ’ଣ ମୂଲ୍ୟ ଚାହୁଛନ୍ତି ତାହା ଚୁକ୍ତି ସ୍ବାକ୍ଷର ବେଳେ ନିର୍ଧାରିତ ହେବ। ତେଣୁ ବଜାରରେ ବିଭିନ୍ନ ସମୟରେ ମୂଲ୍ୟକୁ ନେଇ ଦେଖାଦେଉଥିବା ଅସ୍ଥିରତାକୁ ନେଇ ଚାଷୀଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍‌ରେ ଦାନାଯୁକ୍ତ ଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି। ଅର୍ଥାତ ଏହି ସାମଗ୍ରୀଗୁଡ଼ିକର ଷ୍ଟକ ସୀମା ନିର୍ଧାରଣ କରାଯାଇପାରିବ ନାହିଁ। କେବଳ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ବିରଳ ପରିସ୍ଥିତିରେ ସରକାର ଷ୍ଟକ ସୀମା ଧାର୍ଯ୍ୟ କରିପାରିବେ। ଏହା ଦ୍ବାରା କୃଷି କ୍ଷେତ୍ରକୁ ଉଭୟ ଘରୋଇ କ୍ଷେତ୍ରର ଓ ବିଦେଶୀ ପୁଞ୍ଜି ଆସିପାରିବ।

ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହେଉଛି: ପ୍ରଧାନମନ୍ତ୍ରୀ
ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଓ ସରକାରଙ୍କ ପ୍ରକ୍ୟୁରମେଣ୍ଟ୍‌ ବ୍ୟବସ୍ଥା ପୂର୍ବଭଳି ଜାରି ରହିବ। ମୁଁ ଚାଷୀମାନଙ୍କୁ ଏହି ପ୍ରତିଶ୍ରୁତି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ବିଲ୍‌ଗୁଡ଼ିକ ଚାଷୀଙ୍କୁ ଅଧିକ ସୁଯୋଗ ଦେବ ଏବଂ ସେମାନଙ୍କୁ ବାସ୍ତବରେ ସଶକ୍ତ କରିବ। ଚାଷୀମାନେ ଉଚିତ ମୂଲ୍ୟ ପାଇବେ ନାହିଁ ବୋଲି ବିଭ୍ରାନ୍ତୀକରଣ ତଥ୍ୟ ପ୍ରଚାର କରାଯାଉଛି। ଆମ ଦେଶର ଚାଷୀମ‌ାନେ କେତେ ସଚେତନ ତାହା ସେମାନେ ଭୁଲି ଯାଉଛନ୍ତି। ଧାନ ଓ ଗହମକୁ ସରକାର ସଂଗ୍ରହ କରିବେ ନାହିଁ ବୋଲି ମିଥ୍ୟା ପ୍ରଚାର ହେଉଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଚାଷୀମାନଙ୍କୁ ବିଭ୍ରାନ୍ତ କରିବାରକୁ ଉଦ୍ୟମ ହେଉଛି। କୃଷି କ୍ଷେତ୍ରକୁ ନେଇ ଯେଉଁମାନେ ମିଥ୍ୟା ସତର୍କବାଣୀ ଶୁଣାଇଛନ୍ତି ସେମାନଙ୍କ ପ୍ରତି ସତର୍କ ରହିବାକୁ ସେ ଚାଷୀମାନଙ୍କୁ ଆହ୍ବାନ ଦେଇଛନ୍ତି। ସେମାନେ ଦୀର୍ଘ ଦଶନ୍ଧୀ କ୍ଷମତାରେ ଥିଲେ ଏବଂ ଚାଷ ବିଷୟରେ ବହୁତ କହୁଥିଲେ କିନ୍ତୁ ଏହି‌ କ୍ଷେତ୍ର ପାଇଁ କିଛି କରିନାହାନ୍ତି ବୋଲି ସେ କହିଛନ୍ତି। ଚାଷୀଙ୍କୁ ମିଳୁଥିବା ନୂଆ ସୁଯୋଗକୁ କେଉଁମାନେ ଘୃଣା କରୁଛନ୍ତି ତାହା ଚାଷୀମା‌ନେ ଦେଖୁଛନ୍ତିି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କୃଷକଙ୍କ ବିରୋଧର କାରଣ
ଲୋକସଭାରେ କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ବିଲ୍ ପାସ୍ ହେବା ପରେ ସାରା ଦେଶରେ କୃଷକମାନେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ମନରେ ଭୟ ରହିଛି ଯେ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହେଲେ ସେମାନଙ୍କୁ ଆଉ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଲାଭ ମିଳିବ ନାହିଁ। କାରଣ ପ୍ରସ୍ତାବିତ ନିୟମଗୁଡ଼ିକରେ ଚାଷୀମାନଙ୍କୁ ନିର୍ଦିଷ୍ଟ ମୂଲ୍ୟର ଗ୍ୟାରେଣ୍ଟି ଦେବା ଲାଗି କୌଣସି ହିସାବ ବ୍ୟବସ୍ଥା କରାଯାଇନାହିଁ। ସେମାନେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦କୁ ନେଇ ଅଧିକ ଚିନ୍ତିତ ଅଛନ୍ତି। ଏଥିରେ ବ୍ୟବସାୟ ଅଂଚଳ, ବ୍ୟାବସାୟୀ, ବିବାଦ ସମାଧାନ ଏବଂ ବଜାର ଫି’ ଆଦି ବିଷୟ ରହିଛି।

ବି‌ରୋଧୀ ଦଳଗୁଡ଼ିକ କାହିଁକି ତୀବ୍ର ବିରୋଧ କରୁଛନ୍ତି
କଂଗ୍ରେସ, ତୃଣମୂଳ କଂଗ୍ରେସ, ସିରୋମଣି ଅକାଳି ଦଳ, ଡିଏମ୍‌କେ ଓ ବିଏସ୍‌ପି କୃଷି କ୍ଷେତ୍ରରେ ସଂସ୍କାର ଲାଗି ଅଣାଯାଇଥିବା ବିଲ୍‌କୁ ବି‌ରୋଧ କରୁଛନ୍ତି। ଏହାକୁ ସେମାନେ କୃଷକ ବି‌ରୋଧୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ବାର୍ଥ ବିରୋଧୀ ବୋଲି କହିଛନ୍ତି। ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହେଲେ ଦେଶର ୬୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପ୍ରଭାବିତ ହେବେ ବୋଲି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି। ଶିବ ସେନା ସଦସ୍ୟ ଅରବିନ୍ଦ ସାୱନ୍ତ ବିଲ୍‌ଗୁଡ଼ିକୁ ସ୍ବାଗତ କରିଛନ୍ତି। ତେବେ ଘରୋଇ ସଂସ୍ଥା ଓ ଚାଷୀଙ୍କ ମଧ୍ୟରେ ହେବାକୁ ଥିବା ଚୁକ୍ତିରେ ଏମ୍ଏସ୍‌ପି ଠାରୁ ଚାଷୀଙ୍କୁ ଯେଭଳି ଅଧିକ ମୂଲ୍ୟ ମିଳିପାରିବ ତାହା ନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆମ୍ ଆଦ୍‌ମି ପାର୍ଟି (ଆପ୍‌)ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ବିଲ୍‌ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସରକାର କ’ଣ କହୁଛନ୍ତି
କୃଷି କ୍ଷେତ୍ର ଲାଗି ଅଣାଯାଇଥିବା ବିଲ୍‌ ଚାଷୀମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସରକାର ବାରମ୍ବାର ଦୋହରାଉଛନ୍ତି। ଏହା କେବଳ ଚାଷୀ ନୁହେଁ ବରଂ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ ବୋଲି ସରକାର କହିଛନ୍ତି। ନିତି ଆୟୋଗ ସଦସ୍ୟ ରମେଶ ଚାନ୍ଦ କହିଛନ୍ତି ଯେ ଏହି ବିଲ୍‌ଗୁଡ଼ିକ ଦ୍ବାରା ଚାଷୀମାନଙ୍କୁ ଉତ୍ପାଦିତ ସାମଗ୍ରୀ ପାଇଁ ଅଧିକ ମୂଲ୍ୟ ମିଳିବ। ବିଜେପିର ଜଗଦ୍ଦମ୍ବିକା ପାଲ୍‌ କହିଛନ୍ତି ଯେ ଏବେ ଚାଲିିଥିବା ଆନ୍ଦୋଳନ କୃଷକ ଆନ୍ଦୋଳନ ନୁହେଁ ବରଂ ବିରୋଧୀ ଦଳ କଂଗ୍ରେସ ପ୍ରାୟୋଜିତ ଆନ୍ଦୋଳନ। ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହେବା ପରେ କୃଷକମାନେ ନିଜ ସାମଗ୍ରୀଗୁଡ଼ିକୁ ନିଜ ପସନ୍ଦର ଯେକୌଣସି ସ୍ଥାନରେ ଓ ‌ଯେକୌଣସି କ୍ରେତାଙ୍କୁ ବିକ୍ରି କରିପାରିବେ। ଏହା ଉପରେ କୌଣସି ଶୁଳ୍କ କିମ୍ବା ସେସ୍‌ ରହିବ ନାହିଁ ବୋଲି ସେ କହିଛନ୍ତି। ୱାଇଏସ୍‌ଅ‌ାର୍‌ କଂଗ୍ରେସ ଓ ଜନତା ଦଳ (ୟୁନାଇଟେଡ୍‌) ବିଲ୍‌ଗୁଡ଼ିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର